ଭୁବନେଶ୍ବର: ମେ ମାସରେ ପୁଣିଥରେ ଓଡ଼ିଶାକୁ ଡରାଇଲାଣି ବାତ୍ୟା। ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ସହ ଅଧିକ ସକ୍ରିୟ ହେବ। ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ‌ ହେବ। ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି। ବିଶ୍ବର ବିଭିନ୍ନ ପାଣିପାଗ ମଡେଲ୍‌ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି। ତେବେ ଅଧିକାଂଶ ମଡେଲ୍‌ ଏହି ଗଭୀର ଅବପାତ/ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ମୁହାଁ ହେବା ନେଇ ଆକଳନ କରିଛନ୍ତି। ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ। ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି। ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ। ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ।

Advertisment

ଇସିଏମ୍‌ଡବ୍ଲୁଏଫ୍‌(ଇୟୁରୋପିୟ) ମଡେଲ ଅନୁଯାୟୀ, ତାମିଲନାଡ଼ୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଓ ୨୫ ତାରିଖ ବେଳକୁ ତୀବ୍ର ଅବପାତ/ବାତ୍ୟା ରୂପ ନେଇ ଉତ୍ତର ଓଡ଼ିଶା ତଥା ସଂଲଗ୍ନ ପଶ୍ଚିମବଙ୍ଗ ମୁହାଁ ହେବା ଆଶଙ୍କା ରହିଛି। ଇସିଏମଡବ୍ଲୁଏଫ୍‌ର କୃତ୍ରିମ ବୁଦ୍ଧିମତା(ଏଆଇ) ୟୁରୋପିୟ ମଡେଲ ଅନୁଯାୟୀ ୨୧ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ, ୨୨/୨୩ରେ ଲଘୁଚାପ, ୨୩/୨୪ରେ ଅବପାତ ରୂପ ନେଇପାରେ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଭୀଷଣ କିମ୍ବା ଅତି ଭୀଷଣ ବାତ୍ୟା ରୂପରେ ଓଡ଼ିଶା ମୁହାଁ ହେବ। ଜିଇଏମ୍‌(କାନାଡିଆନ୍‌ ମଡେଲ) ଓ ଏନ୍‌ଏଭିଜିଇଏମ୍‌ (ଆମେରିକୀୟ ମଡେଲ) ଆକଳନ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ଅତି ଭୀଷଣ ବାତ୍ୟା ରୂପରେ ପଶ୍ଚିମବଙ୍ଗ ମୁହାଁ ହୋଇପାରେ। ଆଇସିଓଏନ୍‌ (ଜର୍ମାନ ମଡେଲ) ଅନୁଯାୟୀ ୨୨/୨୩ରେ ଘୂର୍ଣ୍ଣିବଳୟ, ୨୪ରେ ଲଘୁଚାପ, ୨୫ରେ ଅବପାତ ଏବଂ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହେବା ସହ ପଶ୍ଚିମବଙ୍ଗ ମୁହାଁ ହେବ। ଆଇଏନ୍‌ସିଓଆଇଏସ୍‌ (ଭାରତୀୟ ସାମୁଦ୍ରିକ ସଂସ୍ଥାନ) ଅନୁଯାୟୀ ୨୩/୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବା ସହ ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପରେ ଓଡ଼ିଶା ମୁହାଁ ହୋଇପାରେ। ତେବେ ଏନ୍‌ସିୟୁଏମ୍‌(ଭାରତୀୟ ମଡେଲ୍‌ ଏନ୍‌ସିଏମ୍‌ଆର୍‌ଡବ୍ଲୁଏଫ୍‌) ଓ ଏସିସିଇଏସ୍‌ଏସ୍‌-ଜି (ଅଷ୍ଟ୍ରେଲୀୟ ମଡେଲ୍‌) ଅନୁଯାୟୀ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ, ୨୩ ବେଳକୁ ଅବପାତ ଓ ୨୪ରେ ବାତ୍ୟା ରୂପରେ ଆନ୍ଧ୍ରପ୍ରଦେଶ ମୁହାଁ ହେବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଆସନ୍ତା ୨୧ ତାରିଖରେ ଘୂର୍ଣ୍ଣି ବଳୟ, ୨୨ ତାରିଖରେ ଲଘୁଚାପ, ୨୩ରେ ଅବପାତ ହେବ। ସେହିପରି ୨୪ରେ ଗଭୀର ଅବପ‌ାତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ଉପକୂଳ ଛୁଇଁବ। ୧୯ ତାରିଖରେ ଉତ୍ତର ବଙ୍ଗୋପସାଗରେ ୩୧ଡିଗ୍ରି ତାପମାତ୍ରା ରହିଥିଲା, ଯାହାକି ଘନୀଭୂତ ପାଇଁ ଅନୁକୂଳ ହେବ। ୨୩ରୁ ୨୫ ମଧ୍ୟରେ ଅଧିକ ଘନୀଭୂତ ହେବାକୁ ସାମୂଦ୍ରିକ ଓ ବାୟୁମଣ୍ଡ‌ଳର ଅବସ୍ଥା ମଧ୍ୟ ସୁହାଇବ। ପ୍ରାକ୍‌ ମୌସୁମୀ ବାତ୍ୟା ସମୁଦ୍ରରେ କମ୍‌ ସମୟରେ ରହିଲେ ମଧ୍ୟ, ଶୀଘ୍ର ଘନୀଭୂତ ହୋଇଥାଏ। ତେଣୁ ଏହା ରାଜ୍ୟର ଉତ୍ତର ଉପକୂଳ ଓ ପଶ୍ଚିବବଙ୍ଗ ଉପକୂଳ ସଂଲଗ୍ନ ଅଞ୍ଚଳକୁ ମୁହାଁଇପାରେ। ବର୍ତ୍ତମାନ ଏହାର ଗତିପଥ ଓ ଘନୀଭୂତ ମାତ୍ରା ଆକଳନ କରାଯାଇ ନ ପାରିଲେ ମଧ୍ୟ ୨ ଦିନ ପରେ ଚିତ୍ର ଅଧିକ ସ୍ପଷ୍ଟ ହେବ। କିନ୍ତୁ ବାତ୍ୟାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଆଗାମୀ ଦିନରେ ରାଜ୍ୟରେ ଭାରୀ ବର୍ଷା‌ର ସମ୍ଭାବନା ରହିଛି। ଚିତ୍ର ସ୍ପଷ୍ଟ ହେଲେ ପବନ‌ର ବେଗ ସମ୍ପର୍କରେ ଅଧିକ କୁହାଯାଇ ପାରିବ। ରବିବାର ଉତ୍ତର ଓ କେନ୍ଦ୍ରୀୟ ଆଣ୍ଡାମାନରେ ବର୍ଷା ହୋଇନାହିଁ। ନିକୋବର ଦ୍ବୀପରେ ୭.୨ ମିମି ବର୍ଷା ହୋଇଛି। ୨୧ରେ ହିଁ ମୌସୁମୀ ଜନିତ ମଧ୍ୟମ ଧରଣର ବର୍ଷା ସାରା ଆଣ୍ଡାମାନରେ ହେବ। ସୋମବାର ଦକ୍ଷିଣ ଆଭ୍ୟନ୍ତରରେ ୪୨ ଡିଗ୍ରି ଓ ଭୁବନେଶ୍ବରରେ ତାପମାତ୍ରା ୪୦ ଡିଗ୍ରି ହୋଇପାରେ।

ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି କୋମରିନ-ମାଲଦୀପ, ଦକ୍ଷିଣ ବଙ୍ଗୋପସାଗର, ନିକୋବାର ଏବଂ ଦକ୍ଷିଣ-ଆଣ୍ଡାମାନ ସାଗର ଦ୍ୱୀପ ଅଞ୍ଚଳକୁ ଅଗ୍ରସର ହୋଇଛି। ଆଗାମୀ ଦିନରେ ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି। ତେବେ ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡିଶା ଉପକୂଳ ପାଇଁ ବିଜ୍ଞାନ ଭିତ୍ତିକ ଆକଳନ କରିବା ସମ୍ଭବପର ନୁହେଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର କେତେକ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ।