ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଲେ ଜୁନ୍‌ ୧୦ରୁ ୧୨ ମଧ୍ୟରେ ସୁଦ୍ଧା ଓଡ଼ିଶା ପହଞ୍ଚିଯିବ ମୌସୁମୀ: ଆଇଏମ୍‌ଡି

ନୂଆଦିଲ୍ଲୀ: ଦକ୍ଷିଣ- ପଶ୍ଚିମ ମୌସୁମୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଅନୁକୂଳ ବାତାବରଣ ସୃଷ୍ଟି ହେବାରେ ଲାଗିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ପୂର୍ବାନୁମାନ ଅନୁଯାୟୀ ଜୁନ୍‌ ୧ରେ ମୌସୁମୀ କେରଳକୁ ଆସିଥିଲା ଏବଂ ବର୍ତ୍ତମାନ କର୍ଣ୍ଣାଟକ, ତାମିଲନାଡୁ ଏବଂ ପୁଡୁଚେରୀ ସମେତ ଦକ୍ଷିଣ ଭାରତର ଅନେକ ରାଜ୍ୟରେ ପହଞ୍ଚି ସାରିଛି।  ଆଜି ଅପରାହ୍ଣରେ ଆଇଏମଡି ପକ୍ଷରୁ କୁହାଯାଇଛି ଯେ ଆଗାମୀ ଦିନରେ ମହାରାଷ୍ଟ୍ର, ଗୋଆ, କୋଙ୍କଣ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତର-ପୂର୍ବ ଏବଂ ତାମିଲନାଡୁର ଅବଶିଷ୍ଟ ଅଂଶରେ ମୌସୁମୀର ଅଗ୍ରଗତି ପାଇଁ ଅବସ୍ଥା ଅନୁକୂଳ ହୋଇପଡ଼ିଛି। ଆଇଏମଡି କହିଛି ଯେ ଜୁନ୍‌ ୧୦ ତାରିଖ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନ୍ୟାନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ହେବା କରାଇବାର ଆଶଙ୍କା ରହିଛି । ଉତ୍ତରପ୍ରଦେଶରେ ଜୁନ୍‌ ୨୦ ରୁ ଜୁନ୍‌ ୨୫ ମଧ୍ୟରେ ଏବଂ ପଶ୍ଚିମବଙ୍ଗରେ ଜୁନ୍‌ ୧୦ରୁ ଜୁନ୍‌ ୧୫ ମଧ୍ୟରେ ମୌସୁମୀ ପହଞ୍ଚି ବର୍ଷା କରାଇବ।

ଏହି ସମୟରେ ଦକ୍ଷିଣରେ ମୌସୁମୀ କେରଳ ଏବଂ ତାମିଲନାଡୁର ଅଧିକାଂଶ ଅଂଶକୁ ଛୁଇଁଛି ଏବଂ ବର୍ତ୍ତମାନ ଅନ୍ୟ ଦକ୍ଷିଣ ରାଜ୍ୟ ଆଡକୁ ଅଗ୍ରସର ହେଉଛି। ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଜୁନ୍‌ ୧୦ ସୁଦ୍ଧା ପହଞ୍ଚିବାକୁ ଥିବାବେଳେ, ଜୁନ୍‌ ୧୦ରୁ ୧୫ ମଧ୍ୟରେ ଓଡିଶା ଏବଂ ଜୁନ୍‌ ୧୫ ସୁଦ୍ଧା ଛତିଶଗଡ଼ରେ ପହଞ୍ଚିବ ବୋଲି ଆକଳନ କରିଛି ଆଇଏମ୍‌ଡି।

ତେବେ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ପୂର୍ବ କେନ୍ଦ୍ରୀୟ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଯଦି ସକ୍ରିୟ ରହିଲା ତେବେ ଜୁନ୍‌ ୧୧-୧୨ ସୁଦ୍ଧା ପଶ୍ଚିମବଙ୍ଗ, ଓଡିଶା, ସିକ୍କିମ୍‌ ଏବଂ ଉତ୍ତର-ପୂର୍ବ ରାଜ୍ୟର କିଛି ଅଂଶରେ ମୌସୁମୀ ଆଗୁଆ ପହଞ୍ଚିଯିବାର ମଧ୍ୟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର