ଭୁବନେଶ୍ବର : ଏଥର ନିର୍ଧାରିତ ସମୟର ୫ ଦିନ ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତରେ ପ୍ରବେଶ କରିବ। ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆଜି ସୂଚନା ଦେଇଛି। ମେ’ ୨୭ ତାରିଖ ସୁଦ୍ଧା କେରଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆଇଏମ୍ଡି ପକ୍ଷରୁ କୁହାଯାଇଛି।
ସାଧାରଣତଃ ଜୁନ୍ ୧ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥାଏ। ମେ’ ୨୭ ତାରିଖରେ ଅବା ୪ ଦିନ ଏପଟସେପଟରେ କେରଳରେ ଚଳିତ ବର୍ଷ ମୌସୁମୀ ଛୁଇଁଯିବ। ଉତ୍ତର-ପଶ୍ଚିମ ଭାରତ ତାପମାତ୍ରା ଖୁବ୍ ଅଧିକ ଥିବା ବେଳେ ତାହା ମୌସୁମୀ ବାୟୁକୁ ଟାଣିଥାଏ ଓ ଦେଶରେ ମୌସୁମୀ ଶୀଘ୍ର ଆଗମନ ହୋଇଥାଏ। ଆଣ୍ଡାମାନ ଓ ନିକୋବରରେ ମଧ୍ୟ ମୌସୁମୀ ମେ’ ୨୦ ତାରିଖ ବଦଳରେ ମେ’ ୧୫ ସୁଦ୍ଧା ସକ୍ରିୟ ହୋଇଯିବ। ଗ
ତ ୧୭ବର୍ଷ ହେଲା ଆଇଏମ୍ଡି ପକ୍ଷରୁ ଭାରତରେ ମୌସୁମୀ ଆଗମନ ନେଇ ପୂର୍ବାନୁମାନ ଜାରି ରହିଛି। ଏହି ଆକଳନ ସବୁବେଳେ ସଠିକ୍ ପ୍ରମାଣିତ ହୋଇଛି। ଅପରପକ୍ଷେ ଓଡ଼ିଶାରେ ପୁଣି ପାରଦ ଉପରମୁହାଁ ହୋଇଛି। ରାଜ୍ୟର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଅତିକ୍ରମ କରିଛି। ଏଥିସହ ୪୨.୫ଡିଗ୍ରି ତାପମାତ୍ରା ସହ ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଆସନ୍ତା ୩ଦିନରେ ତାପମାତ୍ରା ଆହୁରି ୩/୪ଡିଗ୍ରି ଯାଏ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୧୫ରୁ ୧୭ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷାର ସମ୍ଭାବନାକୁ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।