୨୬ରେ ସାରା ଦେଶରୁ ବିଦାୟ ନେବ ମୌସୁମୀ

ଭୁବନେଶ୍ୱର : ଚଳିତବର୍ଷ ମୌସୁମୀର ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ୩୬ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ହେଁ ତ୍ବରିତ ବେଗରେ ଶେଷ ହୋଇଛି। ଆସନ୍ତା ୨୬ ତାରିଖ‌ରେ ସାରା ଭାରତରୁ ମୌସୁମୀ ସଂପୂର୍ଣ୍ଣ ଭାବେ ଅପସରି ଯିବ। ଅକ୍ଟୋବର ୬ ତାରିଖରେ ଉତ୍ତର-ପଶ୍ଚିମ ଭାରତରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୌସୁମୀ ସମ୍ପୂର୍ଣ୍ଣ ଭାବେ ଭାରତରୁ ବିଦାୟ ନେବାକୁ ୨ ମାସରୁ ଅଧିକ ସମୟ ନେଇଥାଏ। କିନ୍ତୁ ଚଳିତବର୍ଷ ମାତ୍ର ୨୦ ଦିନରେ ଏହି ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ‌ଶେଷ ହେବ।

ଗୁୁରୁବାର ଦିନ ବାରିପଦା ଓ ମାଲକାନଗିରିରୁ ମୌସୁମୀ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ୨୩ ତାରିଖ ସୁଦ୍ଧା ପୂରା ଓଡ଼ିଶାରୁ ବିଦାୟ ନେବ। ଏଥିସହ ୨୬ତାରିଖ ସୁଦ୍ଧା ସାରା ଦେଶରୁ ମୌସୁମୀ ଫେରିଯିବ। ବଙ୍ଗୋପସାଗରର ବାୟୁମଣ୍ଡଳ ତଳସ୍ତରରେ ଉତ୍ତର-ପୂର୍ବ ପବନ ପ୍ରବାହିତ ଆରମ୍ଭ ହୋଇଯାଇଥିବାରୁ ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରିତ ହେବାକୁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ଏଥିସହ ଉତ୍ତର-ପୂର୍ବ ମୌସୁମୀ ଏବେ ଦକ୍ଷିଣ-ପୂର୍ବ ଭାରତରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ରହିଛି। ଏଣୁ ଦେଶରେ ଆସନ୍ତା ୨୬ ତାରିଖ ଆଡ଼କୁ ଉତ୍ତର-ପୂର୍ବ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହା ପ୍ରଭାବରେ ନଭେମ୍ବର ଓ ଡିସେମ୍ବରରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକରେ ବର୍ଷା ହେବ। ରାଜ୍ୟରେ ଏବେ ପାଗ ଶୁଖିଲା ରହିଥିବା ବେଳେ ଖରାର ପ୍ରକୋପ ବଢ଼ିଛି। ଓଡ଼ିଶାକୁ ଧୀରେଧୀରେ ଉତ୍ତରା ପବନ ପ୍ରବାହିତ ହେବା ଆରମ୍ଭ କରିବ। ଫଳରେ ରାଜ୍ୟର ତାପମାତ୍ରା କମିବ ଓ ଅକ୍ଟୋବର ଶେଷ ସୁଦ୍ଧା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର