ଭୁବନେଶ୍ବର : ଆସିବା ପୂର୍ବରୁ ଧୋକା ଦେଲାଣି ମୌସୁମୀ। ୬ ଦିନ ଆଗରୁ ଅର୍ଥାତ୍‌ ମେ’ ୨୭ରେ କେରଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଯେଉଁ ପୂର୍ବାନୁମାନ କରିଥିଲା, ତାହାକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭୁଲ୍‌ ପ୍ରମାଣିତ କରିଦେଇଛି। କେରଳ ପହଞ୍ଚିବାକୁ ମୌସୁମୀକୁ ଆଉ କିଛି ଦିନ ଲାଗିପାରେ ବୋଲି ଆଇଏମ୍‌ଡି ଆଜି କହିଛି। ସ୍ବାଭାବିକ ଭାବେ ପ୍ରତିବର୍ଷ ଜୁନ ୧ରେ ମୌସୁମୀ କେରଳ ଛୁଇଁଥାଏ। ଏହାର ପ୍ରାୟ ୧୦ ଦିନ ପରେ ଓଡ଼ିଶା ଛୁଇଁଥାଏ। ତେବେ କେରଳ ଛୁଇଁବାରେ ବିଳମ୍ବ ହେଉଥିବାରୁ, ଜୁନ୍‌ ୧୦ ପୂର୍ବରୁ ‌ଓଡ଼ିଶାକୁ ମୌସୁମୀର ଆଗମନ ହେବ ନାହିଁ; ଏକଥା ଏକପ୍ରକାର ସ୍ପଷ୍ଟ ହୋଇଗଲାଣି। ଅପରପକ୍ଷେ ପାଖାପାଖି ୬ ଦିନ ଧରି ସ୍ଥିର ହୋଇଯାଇଥିବା ମୌସୁମୀ ଆଜିଠୁ ପୁଣି ଆଗେଇବା ଆରମ୍ଭ କରିଛି। ଆଜି ଦକ୍ଷିଣ ଶ୍ରୀଲଙ୍କା ଛୁଇଁଛି। ଶୁକ୍ରବାର ସୁଦ୍ଧା ଆହୁରି ଆଗକୁ ଗତି କରି ଶ୍ରୀଲଙ୍କାର ବାକି କିଛି ଅଂଶ ସ୍ପର୍ଶ କରିବ ବୋଲି ଆଇଏମ୍‌ଡି ସୂଚନା ଦେଇଛି। ଆଇଏମ୍‌ଡି ରିପୋର୍ଟ ଅନୁସାରେ, ମୌସୁମୀ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବସାଗର, ସଂପୂର୍ଣ୍ଣ ମାଳଦ୍ବୀପ, ଲକ୍ଷଦ୍ବୀପର ନିକଟବର୍ତ୍ତୀ ଅଞ୍ଚଳ ଓ କୋମୋରିନ୍‌ ଅଞ୍ଚଳ‌ର କିଛି ଅଂଶରେ ପହଞ୍ଚିବାର ସମ୍ଭାବନା ରହିଛି।

Advertisment

publive-image Skymet Weather

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ରାଜ୍ୟରେ ମେ’ ୩୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ବିଭିନ୍ନ ସ୍ଥାନରେ ହେବ। ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ଜୁନ୍‌ ୧ ତାରିଖ ପରେ ସାରା ରାଜ୍ୟରେ ଗରମ ବଢ଼ିବ। ମୌସୁମୀ ବର୍ଷା ହେବା ପର୍ଯ୍ୟନ୍ତ ଏହି ଗରମ ଚାଲୁ ରହିବ। ଆକଳନ କରାଯାଉଛି ଯେ ଜୁନ୍‌ ୩ ବା ୪ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୪ ଡିଗ୍ରି ବା ଅଧିକ ରହିପାରେ। ଏପରିକି ଭୁବନେଶ୍ବରରେ ମଧ୍ୟ ଏହା ୪୪ ଡିଗ୍ରିରୁ କମ୍‌ ରହିବା ସମ୍ଭାବନା କମ୍‌। ଗୁଳୁଗୁଳି ବହୁ ଅଧିକ ରହିବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ହେବ। ‌

କେରଳରେ ଗତ କିଛି ଦିନ ହେଲା ସ୍ବଳ୍ପ ବର୍ଷା ହେଉଛି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଥିରୁଅନନ୍ତପୁରମ୍‌ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା କମିବ। ବର୍ତ୍ତମାନ କେରଳ ଉପକୂଳରେ ସମୁଦ୍ର କଡ଼େକଡ଼େ ଅଧିକ ବର୍ଷା ହେଉଛି। ସ୍ଥଳଭାଗ ମଧ୍ୟକୁ ମୌସୁମୀ ଆସି ପାରୁନାହିଁ। ସାମୟିକ ଭାବେ ମେ’ ୩୧ ଓ ଜୁନ୍‌ ୧ ତାରିଖରେ ଉପକୂଳରେ କିଛି ବର୍ଷା ବଢ଼ିବ ଓ ତା’ ପରେ ପୁଣି କମିଯିବ। ଏଣୁ ପ୍ରାଥମିକ ଅବସ୍ଥାରେ କମ୍‌ ସେ କମ୍‌ ଜୁନ୍‌ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଭା‌ରୀ ମୌସୁମୀ ବର୍ଷା ନାହିଁ। ପୂର୍ବ ବଙ୍ଗୋପସାଗରରେ ମୌସୁମୀ ଗତ ୧୦ ଦିନ ହେଲା ସକ୍ରିୟ ରହିଛି। ଏହା ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ଚାଲୁ ରହିବ। ଫଳରେ ମ୍ୟାଁମାର୍‌, ଥାଇଲାଣ୍ଡ ସମେତ ଉତ୍ତର-ପୂର୍ବ ଭାରତରେ ଭଲ ବର୍ଷା ଜାରି ରହିବ। ବିଶ୍ଲେଷଣରୁ ଜଣାପଡ଼ୁଛି ଯେ ରାଜ୍ୟକୁ ମୌସୁମୀ ବର୍ଷା ଜୁନ୍‌ ୧୦ ତାରିଖ ଆଗରୁ ଆରମ୍ଭ ହେବା ସମ୍ଭାବନା କମ୍‌। ହୁଏତ କିଛି ବିଳମ୍ବ ହୋଇପାରେ। କେରଳରେ ମୌସୁମୀ ସକ୍ରିୟ ହେଲେ ଅଧିକ ସଠିକ୍‌ କହି ହେବ। ଯଦି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ, ତେବେ ବର୍ତ୍ତମାନର ଆକଳନ ବଦଳିବାର ସମ୍ଭାବନା ରହିଛି। କିନ୍ତୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଲଘୁଚାପ ସୃଷ୍ଟିର ସଂକେତ ମିଳୁ ନାହିଁ ବୋଲି ଡ. ପଶୁପାଳକ କହିଛନ୍ତି।