୬ରେ କେରଳ ଛୁଇଁବ ମୌସୁମୀ
ଦେଶରେ ସ୍ବାଭାବିକ ବର୍ଷା ହେବ: ପାଣିପାଗ ବିଭାଗ, ସାରା ରାଜ୍ୟରେ ଲାଗିରହିବ କାଳବୈଶାଖୀ
ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୬ରେ କେରଳ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏଥିସହ ବିଭାଗ ପକ୍ଷରୁ କୁହାଯାଇଛି ଯେ ମେ’ ୧୮ରେ ମୌସୁମୀ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁ ଏହା ଆଗକୁ ବଢ଼ି ପାରି ନାହିଁ। ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା ଜାରି ରହିଛି। ମୌସୁମୀ ଆସିବାରେ ବିଳମ୍ବ ହେଉଥିଲେ ମଧ୍ୟ ଜୁନ୍ରୁ ସେପ୍ଟେମ୍ବର ମଧ୍ୟରେ ଏଥର ଦେଶରେ ସ୍ୱାଭାବିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।
ଘରୋଇ ପାଣିପାଗ ସଂସ୍ଥା ‘ସ୍କାଏମେଟ୍’ ଆକଳନ କରିଛି ଯେ ୭ ତାରିଖରେ ମୌସୁମୀ କେରଳ ଛୁଇଁବ। ଏଥିରେ ଗୋଟିଏ ବା ଦୁଇ ଦିନ ଆଗ ପଛ ହୋଇପାରେ। ସମ୍ପୃକ୍ତ ସଂସ୍ଥା ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୪ରେ ମୌସୁମୀ କେରଳ ଛୁଇଁବ। ତେବେ ଆଣ୍ଡାମାନ ଛୁଇଁଥିବା ମୌସୁମୀ ପ୍ରତିକୂଳ ପରିସ୍ଥିତି ଯୋଗୁ ଆଗକୁ ବଢ଼ି ପାରି ନଥିଲା। ଏବେ ମୌସୁମୀ ସକ୍ରିୟ ହେବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ୭ ତାରିଖ ସୁଦ୍ଧା କେରଳରେ ନିଜର ଉପସ୍ଥିତି ଜାହିର କରିବ। ମୌସୁମୀ ପୁଣି ସକ୍ରିୟ ହୋଇ ଆଣ୍ଡାମାନର ଅଧିକାଂଶ ଅଞ୍ଚଳରେ ପ୍ରବେଶ କରିଛି। ୩୦ ତାରିଖ ସୁଦ୍ଧା ଏହା ବଙ୍ଗୋପସାଗର ଓ ପୋର୍ଟ ବ୍ଲେୟାର ଅଞ୍ଚଳକୁ ଛୁଇଁଛି। ତେଣୁ ଜୁନ୍ ୭ ସୁଦ୍ଧା କେରଳରେ ପ୍ରବେଶ କରିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆଗୁଆ କହିଥିଲେ ଯେ ଓଡ଼ିଶାରେ ମୌସୁମୀ ବର୍ଷା ସ୍ବାଭାବିକ ରହିବ। ଯଦିଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କିଛି କମ୍ ରହିବ। କିନ୍ତୁ କୃଷି ପାଇଁ ଆବଶ୍ୟକୀୟ ମୌସୁମୀ ବର୍ଷା ହେବ। ଜୁନ୍ ମାସରେ ବର୍ଷା ପରିମାଣ କମ୍ ରାହିବ। ବାକି ତିନି ମାସରେ ବର୍ଷା ପରିମାଣ ସ୍ବାଭାବିକ ରହିବ। ଆଜି ସେ ଆକଳନ କରିଛନ୍ତି ଯେ ଜୁନ ୪ ଓ ୫ରେ କେରଳରେ ଭଲ ବର୍ଷା ହେବ। କିନ୍ତୁ ଦୁଇ ଦିନ ପରେ ବର୍ଷା ପରିମାଣ କମିଯିବ। ମୌସୁମୀ ବର୍ଷା ଉତ୍ତର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା କମ୍। ସେହି ଅନୁଯାୟୀ ଓଡ଼ିଶାରେ ରଜ ଆଗରୁ ବର୍ଷା ହେବାର ସମ୍ଭାବନା କମ୍। ତେବେ ୭ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହା ଯଦି ଲଘୁଚାପରେ ପରିଣତ ହୁଏ ଓ ଉପକୂଳ ମୁହାଁ ହୁଏ ତେବେ ଓଡ଼ିଶାରେ ରଜ ପୂର୍ବରୁ ବର୍ଷା ହେବ। ନଚେତ୍ ବିଳମ୍ବ ହେବ।
ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ସ୍ଥିର ରହିଛି। ଆଜି ୯ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୪୩.୫, ଝାରସୁଗୁଡ଼ାରେ ୪୩.୨ ଡିଗ୍ରି ରହିଥିଲା। କେନ୍ଦୁଝର, ତାଳଚେର, କୋରାପୁଟ, ଭୁବନେଶ୍ବର, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି। ପ୍ରଫେସର ପଶୁପାଳକଙ୍କ ଆକଳନ ହେଉଛି ଯେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ। ତେବେ ଯେଉଁଠାରେ କାଳବୈଶାଖୀ ହେବ ସେଠାରେ ତାପମାତ୍ରା କମିବ। ଦୁଇ ଦିନ ପରେ ତାପମାତ୍ରା ପୁଣି ଦୁଇ ଡିଗ୍ରି କମିବ। ଯଦିଓ ତାପମାତ୍ରା କମ୍ ରହିବ ତେବେ ବଙ୍ଗୋପସାଗରୀୟ ପବନ ଯୋଗୁଁ ବାୟୁର ଆର୍ଦ୍ରତା ଅଧିକ ରହିବ। ତେଣୁ ଗୁଳୁଗୁଳି ଅନୁଭୂତ ହେବ। ତାହା ୬ ତାରିଖ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିବ। ୭ ତାରିଖରେ ପୁଣି ତାପମାତ୍ରା ବଢ଼ିବ। ତେବେ ପଶ୍ଚିମ ଓଡ଼ିଶାରେ ଜୁନ୍ ୨ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ନାହିଁ। ୩ ତାରିଖରୁ ତାପମାତ୍ରା ବଢ଼ିବ। ୫ ଓ ୬ ତାରିଖ ବେଳକୁ କେତେକ ସ୍ଥାନରେ ୪୬ ଡିଗ୍ରିରୁ ଅଧିକ ହୋଇପାରେ। ପ୍ରାକ୍ ମୌସୁମୀ ବର୍ଷା ହେଲେ ତାପମାତ୍ରା କମିବ। କାଳବୈଶାଖୀ ବର୍ଷା ବ୍ୟତୀତ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ।