୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ, ତୃତୀୟ ସପ୍ତାହରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ

ଭୀଷଣ ବାତ୍ୟା ରୂପ‌ ନେଲା ଆରବସାଗର ଲଘୁଚାପ

ଭୁବନେଶ୍ୱର : କେରଳ ଉପକୂଳରେ ମେଘ ସମୂହର ଘନତ୍ୱ ବୃଦ୍ଧି ପାଉଛି। ପଶ୍ଚିମା ବାୟୁ ସକ୍ରିୟ ହେବା ସହ ବାୟୁମଣ୍ଡଳର ମଧ୍ୟଭାଗ ପର୍ଯ୍ୟନ୍ତ ବ୍ୟାପ୍ତି ରହିଥିବାରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବାର ସମ୍ଭାବନା ସୃଷ୍ଟି ହୋଇଛି। ଧାର୍ଯ୍ୟ ସମୟର ୯ ଦିନ ବିଳମ୍ବରେ ମୌସୁମୀ କେରଳ ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସଙ୍କ କହିବାନୁଯାୟୀ ଯଦି ଏଭଳି ପାଗ ଲାଗିରହିବ ତେବେ ଜୁନ୍‌ ତୃତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶାରେ ପହଞ୍ଚିପାରେ। ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଆସନ୍ତା ଦୁଇ ଦିନ କେତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ୨ ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏଥିସହ କେତେକ ଜିଲ୍ଲାରେ ସ୍ବାଭାବିକ ତାପମାତ୍ରା ୩ରୁ ୫ ଡିଗ୍ରି ଅଧିକ ରହିବ। ତେଣୁ ଲୋକମାନେ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

thequint.com

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଦକ୍ଷିଣ ପୂର୍ବ ଆରବସାଗର ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ବିପର୍ଯ୍ୟୟ’ ଯୋଗୁଁ କେରଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇଛି। ଏହି ଘୂର୍ଣ୍ଣିଝଡ଼ ଆହୁରି ଶକ୍ତିଶାଳୀ ହୋଇ ମୁମ୍ବାଇଠାରୁ ୯୯୦ କିମି ଦକ୍ଷିଣ ପଶ୍ଚିମ ଦିଗରେ ରହିଛି। ଏହା ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଯାଇପାରେ। ଏହି ଘୂର୍ଣ୍ଣିଝଡ଼ ଯୋଗୁଁ ପଶ୍ଚିମା ପବନ ଦ୍ୱାରା ସାଇକ୍ଲୋନିକ ସର୍କୁଲେସନ୍ ଶକ୍ତିଶାଳୀ ହୋଇ ଭାରତର ପଶ୍ଚିମ ଉପକୂଳରେ ବର୍ଷା କରାଇପାରେ। ଫଳରେ କର୍ଣ୍ଣାଟକ ଓ କେରଳରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ ୯ କିମ୍ବା ପରବର୍ତୀ ସମୟରେ କେରଳରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଜୁନ ୧୭ରୁ ୨୦ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିବ। ଏହାବ୍ୟତୀତ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ନିକଟବର୍ତୀ ଅଞ୍ଚଳରେ ସୃଷ୍ଟ ଏକ ଘୂର୍ଣ୍ଣିବଳୟ ବାଂଲାଦେଶ ଓ ମିଆଁମାର ଉପୂକଳରେ ଗତି କରିବାର ସମ୍ଭାବନା ରହିଛି। ଏଥିପାଇଁ ଭାରତୀୟ ଭୂଖଣ୍ଡରୁ ବଙ୍ଗୋପସାଗର ଆଡ଼କୁ ଗରମ ଓ ଶୁଷ୍କ ବାୟୁ ପ୍ରବାହିତ ହେଉଛି। ଓଡ଼ିଶା ଓ ନିକଟବର୍ତୀ ଅଞ୍ଚଳରେ ଜୁନ୍ ୮ ଓ ୧୪ ମଧ୍ୟରେ ଉତ୍ତପ୍ତ ପ୍ରବାହ ଅନୁଭୂତ ହେବାର ସମ୍ଭାବନା ରହିଛି।

Skymet Weather

ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟ ଲଘୁଚାପ ଭୀଷଣ ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇ ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଘନୀଭୂତ ହୋଇଛି। ଏହା ଉତ୍ତର ଦିଗରେ ନିଜର ଗତିପଥ ବଜାୟ ରଖିବା ସହ ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ବାତ୍ୟା ‘ବିପର୍ଯ୍ୟୟ’, ବାଂଲାଦେଶ ଦ୍ୱାରା ନାମକରଣ କରାଯାଇଛି। ସ୍କାଏମେଟ୍‌ ସମେତ କିଛି ପାଣିପାଗ ସଂସ୍ଥାର ମଡେଲ ପ୍ରଥମେ ଉତ୍ତର ଓ କ୍ରମଶଃ ରିକର୍ଭ ହୋଇ ଉତ୍ତର-ଉତ୍ତର ପୂର୍ବ ଆଡ଼କୁ ଗତି କରି ଓମାନ ଓ ୟେମେନ୍‌କୁ ଯିବାର ସମ୍ଭାବନା ରହିଛି ବୋଲି ଆକଳନ କରିଛନ୍ତି।

ସେପଟେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ବୁଧବାର ଦିନ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରାର ୪୪.୫ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସୋନପୁରରେ ୪୪, ଝାରସୁଗୁଡା ଓ ହୀରାକୁଦରେ ୪୩.୬, ବଲାଙ୍ଗୀରରେ ୪୩.୫, ଟିଟିଲାଗଡ଼ ଓ ବୌଦ୍ଧରେ ୪୩, ଭୁବନେଶ୍ୱର‌ରେ ୪୧.୨ ଡିଗ୍ରି ରହିଥିଲା। ଅପରାହ୍ଣରେ ବାଲେଶ୍ୱର ସମେତ ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଯାଜପୁରର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଓ ପବନ ଯୋଗୁ ବଡ ବଡ଼ ଗଛ ଭାଙ୍ଗିବା ସହ ଚାଳ ଛପର ଘର ନଷ୍ଟ ହୋଇଛି। ବିଦ୍ୟୁତ ଖୁଣ୍ଟି ଉପୁଡ଼ିଛି। ଝଡ଼ ବର୍ଷା ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ହୋଇଛି। ରାସ୍ତାରେ ଗଛ ପଡ଼ିବା ଯୋଗୁଁ ଜୀବନଯାତ୍ରା ବହୁ ସମୟ ଧରି ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର