ଭୁବନେଶ୍ବର : ଆସନ୍ତା ୨ରୁ ୩ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଅର୍ଥାତ ରଜରେ ଚଳିତ ମୌସୁମୀର ପ୍ରଥମ ସ୍ପର୍ଶ ପାଇବ ଓଡ଼ିଶା। ପାଗ ଅନୁକୂଳ ଥିବାରୁ ବଙ୍ଗୋପସାଗରର ଅଧିକାଂଶ ଅଂଶ ସହ ଓଡ଼ିଶାର କିଛି ଅଞ୍ଚଳରେ ଆସନ୍ତା ୧୪ ତାରିଖ ସୁଦ୍ଧା ମୌସୁମୀ ସକ୍ରିୟ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଆଇଏମ୍ଡି କହିଛି, ଆସନ୍ତା ୨ରୁ ୩ ଦିନରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟ, ମରାଠୱାଡ଼ାର କିଛି ଅଞ୍ଚଳ, ତେଲେଙ୍ଗାନାର ଆଉ କିଛି ସ୍ଥାନ, ଆନ୍ଧ୍ରପ୍ରଦେଶ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ, ପଶ୍ଚିମବଙ୍ଗ ଓ ସିକିମ୍ର କେତେକ ଅଞ୍ଚଳ ସମେତ ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡର ଅନେକ ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଫଳରେ ରଜ ତିନି ଦିନ ମୌସୁମୀ ବର୍ଷାରେ ରାଜ୍ୟ ଭିଜିବ ଓ ମେଘୁଆ ପାଗ ରଜକୁ ଆହୁରି ଉପଭୋଗ୍ୟ କରିବ।
ଅନ୍ୟପଟେ ମୌସୁମୀ ଆଗମନ ପୂର୍ବରୁ ରାଜ୍ୟର କିଛି ଅଞ୍ଚଳରେ ଏବେଠାରୁ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଗତ ତିନି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନର ପାଗ ଅନୁକୂଳ ଥିବା ବେଳେ ଗରମ ଓ ଗୁଳୁଗୁଳି ଅପେକ୍ଷାକୃତ କମିଛି। ତେବେ ଆଜିଠାରୁ ରାଜ୍ୟରେ ପ୍ରାକ୍ ମୌସୁମୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଫଳରେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ ଡିଗ୍ରି ପର୍ଯ୍ୟନ୍ତ କମିବ ବୋଲି ଆଇଏମ୍ଡି କହିଛି। ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବା ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏଣୁ ଏହିସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି ଆସନ୍ତା ୧୫ ତାରିଖ ଯାଏ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି ହୋଇଛି।
ଶନିବାର ଦିନ ସମ୍ପୂର୍ଣ୍ଣ ଉପକୂଳରେ ପାଗ ମେଘୁଆ ଥିବା ବେଳେ ଥଣ୍ଡା ପବନ ବହିଥିଲା। ଫଳରେ ଉପକୂଳ ଓଡ଼ିଶାର ତାପମାତ୍ରା କମ୍ ରହିଥିଲା। ଭୁବନେଶ୍ବରର ସର୍ବୋଚ୍ଚ ତାପମାତ୍ରା ୩୨.୫ ଡିଗ୍ରି ଓ କଟକର ଥିଲା ୩୩.୨ ଡିଗ୍ରି। ଅନ୍ୟପଟେ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାର ୯ ସହରର ତାପମାତ୍ରା ଆଜି ୪୦ ଡିଗ୍ରି ଉପରେ ରହିଛି। ସୁନ୍ଦରଗଡ଼ ରାଜ୍ୟର ଉତ୍ତପ୍ତ ସହର ଭାବେ ଆଜି ୪୨.୫ ଡିଗ୍ରି ଦିନ ତାପମାତ୍ରା ରେକର୍ଡ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/monsoon.jpg)