ଆଜି ଛୁଇଁବ ମୌସୁମୀ, ୨୩ ଯାଏ ପ୍ରବଳ ବର୍ଷା

ଜୁନ୍‌ରେ ମୌସୁମୀ ବର୍ଷା କମ୍‌

ଭୁବନେଶ୍ବର : ଓଡ଼ିଶାର ନିକଟତର ହେଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଓଡ଼ିଶା ଛୁଇଁବ। ପ୍ରାଥମିକ ପର୍ଯ୍ୟାୟରେ ଏହା ଦକ୍ଷିଣ ଓଡ଼ିଶାରେ ସକ୍ରିୟ ହେବା ସହ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ପରବର୍ତ୍ତୀ ସମୟରେ ଉପକୂଳ ଓ ଉତ୍ତର ଓଡ଼ିଶାକୁ ସ୍ପର୍ଶ କରିବ। ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏଭଳି ଆକଳନ କରାଯାଇଛି।

ପାଣିପାଗ ‌କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ ‘ସମ୍ବାଦ’କୁ କହିଛନ୍ତି ଯେ ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି। ଆସନ୍ତା‌ ୩ ଦିନ ଯାଏ ଏପରି ଲାଗିରହିବ। ବର୍ଷା ସାରା ରାଜ୍ୟରେ ହେବ। ୨୧ ଓ ୨୨ ତାରିଖରେ କଟକ, ଢେଙ୍କାନାଳ, ଅନୁଗୁଳ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସୁନ୍ଦରଗଡ଼, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ବି ବର୍ଷା ଲାଗିରହିବ। ତେବେ ପ୍ରବଳ ବର୍ଷା ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ କହିଛି ଯେ ମୌସୁମୀ ଏବେ କର୍ଣ୍ଣାଟକ ଉପକୂଳ, ଗୋଆ, ଦକ୍ଷିଣ କେନ୍ଦ୍ରୀୟ ମହାରାଷ୍ଟ୍ର, ପଶ୍ଚିମବଙ୍ଗାରେ ସକ୍ରିୟ ହୋଇଛି। ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ବିହାରର କିଛି ଅଞ୍ଚଳ, ସିକିମ୍‌, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶରେ ମୌସୁମୀ ସକ୍ରିୟ ରହିବ। ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ ଉତ୍ତର ଓଡ଼ିଶା ଉପରେ ରହିବ। ତେଣୁ ତିନି ଦିନ ଧରି ବର୍ଷା ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବା କଥା‌ ହେଉଛି ଯେ ଜୁନ୍‌ ୨୧ରେ ମୌସୁମୀ ଓଡ଼ିଶା ଛୁଇଁବ। ତାହା ପୂର୍ବରୁ ଆଜି ଦିନତମାମ ପାଗ କୋହଲା ରହିବା ସହ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ବି ବର୍ଷା ହେଉଛି। ମୌସୁମୀ ବାୟୁ ଏବେ ସକ୍ରିୟ ରହିଥିବାରୁ ତିନି ଦିନ ଭିତରେ ସାରା ଓଡ଼ିଶାକୁ ସ୍ପର୍ଶ କରିଯିବ। ତେବେ ୨୪ ତାରିଖଠାରୁ ବର୍ଷା କମିବ। କାଳ‌ବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ବର୍ଷା ହୋଇପାରେ। ନ ହେଲେ ଚଳିତ ମାସରେ କମ୍‌ ବର୍ଷା ରହିବ। ତେବେ ଚାଷ ପାଇଁ କିଛି କ୍ଷତି ହେବ ନାହିଁ। କାରଣ ଏବର୍ଷ କାଳବୈଶାଖୀ ବର୍ଷା ଅଧିକ ହୋଇଛି। ସାରା ଓଡ଼ିଶାରେ ବର୍ଷା ହୋଇଥିବାରୁ ପାଗ ଅନୁକୂଳ ରହିଛି।

ଅନ୍ୟପକ୍ଷରେ ଆଜି ବି ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୩ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ହୀରାକୁଦରେ ୪୧.୨, ଝାରସୁଗୁଡ଼ାରେ ୪୦.୪, ଟିଟିଲାଗଡ଼, ମାଲକାନଗିରି ଓ ସୋନପୁରରେ ୪୦ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ଉପକୂଳ ଓଡ଼ିଶାରେ କିନ୍ତୁ ତାପମାତ୍ରା କମିଛି। ଭୁବନେଶ୍ବର ତାପମାତ୍ରା ୩୦.୫ ଡିଗ୍ରିକୁ ଖସି ଆସିଛି। କଟକ, ପୁରୀ, ବାଲେଶ୍ବର, ଗୋପାଳପୁର, ପାରାଦୀପ, କୋରାପୁଟ, ଦାରିଙ୍ଗବାଡ଼ି ଆଦି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରି ତଳେ ରହିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ପୁରୀରେ ସର୍ବାଧିକ ୪୪.୪ ମିମି ବର୍ଷା ହୋଇଥିବା‌ ବେଳେ କେନ୍ଦୁଝରରେ ୨୪.୩, ଝାରସୁଗୁଡ଼ାରେ ୧୪, ମାଲକାନଗିରିରେ ୧୧, ପାରାଦୀପରେ ୧୦.୬, ବାଲେଶ୍ବରରେ ୬.୨, ଗୋପାଳପୁରରେ ୫, ଚାନ୍ଦବାଲିରେ ୩, ଭୁବନେଶ୍ବରରେ ୨ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର