୧୬ ସୁଦ୍ଧା ଓଡ଼ିଶା ଛାଡ଼ିପାରେ ମୌସୁମୀ

ଭୁବ‌ନେଶ୍ବର : ଏଥର ବିଳମ୍ବରେ ଓଡ଼ିଶାରେ ଶୀତ ପ୍ରବାହ ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବେଶ ସମୟରେ ଯେମିତି ଲୁଚକାଳି ଖେଳୁଥିଲା‌, ପ୍ରତ୍ୟାବର୍ତନ ସମୟରେ ବି ସମାନ ସ୍ଥିତି ଲାଗି ରହିଛି। କେବେ ଛାଡ଼ିବ, ସେନେଇ ଭାରତୀୟ ପାଣିପାଗ ବିଭାଗ ଏପର୍ଯ୍ୟନ୍ତ ଚିତ୍ର ସ୍ପଷ୍ଟ କରି ନାହିଁ। ତିନି ଦିନ ‌ହେଲା ବିଭାଗ ଆକଳନ କରୁଛି ଯେ ୨ ଦିନ ଭିତରେ ପୂର୍ବ ଭାରତରୁ ଶୀତ ପ୍ରତ୍ୟାବର୍ତନ କରିବ। ତେବେ ନିର୍ଦ୍ଦିଷ୍ଟ ଦିନ ଧାର୍ଯ୍ୟ କରାଯାଇ ନାହିଁ, ବରଂ ପୂର୍ବଭଳି ଦୁଇରୁ ୩ ଦିନ ଭିତରେ ମୌସୁମୀ ଓଡ଼ିଶାରୁ ପତ୍ୟାବର୍ତନ କରିବ ବୋଲି ଆଜି ବି କୁହାଯାଇଛି।

ପାଣିପାଗ କେନ୍ଦ୍ରର ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଏଥର ମୌସୁମୀ ପ୍ରତ୍ୟାବର୍ତନ‌ରେ ବିଳମ୍ବ ହେଉଥିବାରୁ ଶୀତ ଆସିବା ବି ବିଳମ୍ବ ହେବ। ସାଧାରଣତଃ ଅକ୍ଟୋବର ଦ୍ବିତୀୟ ସପ୍ତାହ ବେଳକୁ ରାତିର ତାପମାତ୍ରା ୧୨ ଡିଗ୍ରିକୁ ଖସି ଆସେ ଓ ଶୀତ ଅନୁଭୂତ ହୋଇଥ‌ାଏ। ଏଥର କିନ୍ତୁ ବିଳମ୍ବ ହୋଇଛି। ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ଆସନ୍ତା ୩ରୁ ୪ ଦିନ ମଧ୍ୟ ଏଭଳି ସ୍ଥିତି ଲାଗି ରହିବ। ତେଣୁ ଅକ୍ଟୋବର ୪ର୍ଥରୁ ଶୀତ ପ୍ରବାହ ହୋଇପାରେ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ରାଜସ୍ଥାନ ଉପରେ ଏକ ଗୁରୁଚାପ ବଳୟ ରହିଛି। ପ୍ରଭାବରେ ଓଡ଼ିଶାକୁ ଜାମ୍ମୁ ଓ କାଶ୍ମୀର ଆଡ଼ୁ ଉତ୍ତରା‌ ପବନ ହେଉଛି। ଆସନ୍ତା ଦୁଇ ଦିନ ଧରି ଏହା ଜାରି ରହିବ। ୧୪ ତାରିଖ‌ରେ ଉତ୍ତର ଓଡ଼ିଶା‌ ବ୍ୟତୀତ ରାଜ୍ୟ ଅନ୍ୟ ସମସ୍ତ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୧୫ରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ ଦକ୍ଷିଣ ଓଡ଼ିଶାରେ ସ୍ଥାନେ ସ୍ଥାନେ ହାଲକା ବର୍ଷା ହୋଇପାରେ। ୧୭ ଓ ୧୮ରେ ରାଜ୍ୟର ଅନେକ ଜାଗାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

ଅନୁମାନ କରାଯାଉଛି ଯେ ସୋମବାର ଓ ମଙ୍ଗଳବାର ଉପକୂଳବର୍ତୀ ଅଞ୍ଚଳରେ ରାତିର ତାପମାତ୍ରା ଏକ ଡିଗ୍ରି ସେଲସିୟସ୍‌ ଲେଖାଏ କମିବ। କିନ୍ତୁ ପଶ୍ଚିମ ଓଡ଼ିଶାରେ ଦେଢ଼ ଡିଗ୍ରି ଲେଖାଏ କମିବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ସୁଦ୍ଧା ବାୟୁର ଦିଗ ପରିବର୍ତନ ହେବ। ପଶ୍ଚିମା ପବନ ବଦଳରେ ୧୬ ତାରିଖରେ ଉତ୍ତର-ପୂର୍ବ ଦିଗରୁ ପବନ ବହିବ। ୧୭ ତାରିଖରେ ବଙ୍ଗୋପସାଗରୀୟ ପୂର୍ବା‌ ପବନ ହେବ। ଫଳରେ ୧୬ତାରିଖଠାରୁ ରାତିର ତାପମାତ୍ରା ପୁଣି ଦୁଇ ଡିଗ୍ରି ବଢ଼ିବ। ଯାହାକି ପରବର୍ତୀ ୪ଦିନ ପର୍ଯ୍ୟନ୍ତ ଲାଗି ରହିବ ଓ ବର୍ଷା ହେବ। ତେଣୁ ୨୧ ତାରିଖ ପର୍ଯ୍ୟନ୍ତ ଶୀତ ଆସିବାର ସମ୍ଭାବନା ନାହିଁ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ୧୪ ଓ ୧୫ ତାରିଖରେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି। ୧୪ ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର, ଯାଜପୁର, କଟକ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। କେତେକ ସ୍ଥାନରେ ବଜ୍ରପାତର ସମ୍ଭାବନା ରହିଛି। ତେବେ ୧୪ ତାରିଖ ଅପରାହ୍‌ଣରୁ ୧୫ ତାରିଖ ଅପରାହ୍‌ଣ ମଧ୍ୟରେ ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହ ହାଲକା ବର୍ଷା ହୋଇପାରେ। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ଗତ ଏକ ସପ୍ତାହ ପରି ଗତକାଲି ମଧ୍ୟ ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୬.୫ ଡିଗ୍ରି ଲେଖାଏ ରେକର୍ଡ କରାଯାଇଛି। ଗତ ୧୨ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୨୬ ଓ କେନ୍ଦୁଝରରେ ୨୦.୪ମିମି ବର୍ଷା ହୋଇଛି। ଏଥିସହ ବାଲେଶ୍ବର, ଭୁବନେଶ୍ବର, କଟକ, ଗୋପାଳପୁର ଆଦି ଅଞ୍ଚଳରେ ବି ବର୍ଷା ହୋଇଛି।

ସମ୍ବନ୍ଧିତ ଖବର