‘ମୌସୁମୀ’ ପ୍ରତ୍ୟାବର୍ତନ ଆରମ୍ଭ, ତୃତୀୟ ସପ୍ତାହରେ ଓଡ଼ିଶା ଛାଡ଼ିବ

୧୮ ଜିଲ୍ଲାକୁ ଘଡ଼ଘଡ଼ି ଓ ବର୍ଜପାତ ସତର୍କତା

ଭୁବ‌ନେଶ୍ବର : ବିଳମ୍ବରେ ଭାରତ ଭୂଖଣ୍ଡକୁ ଛୁଇଁଥିବା ଦକ୍ଷିଣ ପଶ୍ଚିମ ‌ମୌସୁମୀ ବାୟୁ ଡେରିରେ ପ୍ରତ୍ୟାବର୍ତନ ଆରମ୍ଭ କରିଛି। ନିର୍ଦ୍ଧାରିତ ସମୟ(ସେପ୍ଟେମ୍ବର ୨୪)ର ୧୫ ଦିନ ପରେ ଅର୍ଥାତ୍‌ ଆଜିଠାରୁ ଉତ୍ତର ପଶ୍ଚିମ ଭାରତରୁ ମୌସୁମୀ ଛାଡ଼ିବା ଆରମ୍ଭ କରିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କୁହାଯାଇଛି ଯେ ପ୍ରଥମ ଦିନରେ ପଞ୍ଜାବର କିଛି ଅଞ୍ଚଳ, ହରିୟାନା ଓ ଉତ୍ତର ରାଜସ୍ଥାନରୁ ମୌସୁମୀ ଫେରିଛି। ଏବେ ପାଗ ଅନୁକୂଳ ରହିଥିବାରୁ ଆସନ୍ତା ଦୁଇ ଦିନ ମଧ୍ୟରେ ଉତ୍ତର ପଶ୍ଚିମ ଭାରତର କେତେକ ରାଜ୍ୟରୁ ବି ମୌସୁମୀ ପ୍ରତ୍ୟାବର୍ତନ କରିବ। ଏହାର ପରବର୍ତୀ ଦୁଇ/ତିନି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଉତ୍ତର ପଶ୍ଚିମ ଓ କେନ୍ଦ୍ରୀୟ ଭାରତର କେତେକ ରାଜ୍ୟରୁ ମୌସୁମୀ ଫେରିଯିବ। ତେବେ ପୂର୍ବ ଭାରତରୁ ମୌସୁମୀ ଫେରିବାକୁ ଅକ୍ଟୋବର ତୃତୀୟ ସପ୍ତାହ ହୋଇଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଉତ୍ତର-ପଶ୍ଚିମ ଭାରତରେ ସୃଷ୍ଟି ହୋଇଥିବା ଗୁରୁଚାପ କ୍ରମଶଃ ବିସ୍ତାରିତ ହେଉଛି। ତେଣୁ ୧୩ ତାରିଖ ସୁଦ୍ଧା କେନ୍ଦ୍ରୀୟ ଭାରତରୁ ମୌସୁମୀ ପ୍ରତ୍ୟାବର୍ତନ କରିବ। ଘୂର୍ଣ୍ଣିବଳୟ ଯୋଗୁଁ ଏବେ ଓଡ଼ିଶାକୁ ଦକ୍ଷିଣ ଆଡ଼ୁ ବଙ୍ଗୋପସାଗରୀୟ ପବନ ପ୍ରବାହିତ ହେଉଛି। ଅନୁମାନ କରାଯାଉଛି ୧୩ ତାରିଖଠାରୁ ବାୟୁ ପ୍ରବାହ ଦିଗରେ ପରିବର୍ତନ ଆସିବ। ପୂର୍ବ ଭାରତକୁ ପୂର୍ବା ପବନ ଓ ଉତ୍ତର-ପୂର୍ବ ଭାରତରେ ଉତ୍ତରା ପବନ ବୋହିବା ଆରମ୍ଭ କରିବ।

ସାଧାରଣତଃ ମୌସୁମୀ ପ୍ରତ୍ୟାବର୍ତନ ସମୟରେ ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳ ଭାଗରେ ଗୁରୁଚାପ ବଳୟ ସୃଷ୍ଟି ହୁଏ। ଏହାଦ୍ବାରା ମେଘ ସୃଷ୍ଟି ହୋଇ ନଥାଏ। ପାଗ ଶୁଖିଲା ଓ ଖରାଟିଆ ରୁହେ। ଏହାର କିଛି ଦିନ ଅର୍ଥାତ୍‌ ଟ୍ରାନ୍‌ଜିସନ ପରିୟଡ ପରେ ପ୍ରତ୍ୟାବର୍ତନ ମୌସୁମୀ ଦ୍ବାରା ଓଡ଼ିଶାର ଉପକୂଳ(ବିଶେଷକରି ଦକ୍ଷିଣ ଉପକୂଳ) ଓ ଦକ୍ଷିଣ ଭାରତରେ ବର୍ଷା ରହିଥାଏ। କିନ୍ତୁ ଏବର୍ଷ ଏହି ଟ୍ରାନ୍‌ଜିସନ ପରିୟଡ ସୃଷ୍ଟି ହେବ ନାହିଁ କି ନିକଟରେ ଗୁରୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ। ପୂର୍ବ ଓ ଦକ୍ଷିଣ ଭାରତରେ ବର୍ଷା ହେବ। ‌ଏଭଳି ସ୍ଥିତିରୁ ଜଣାପଡ଼ୁଛି ଯେ ୧୫ରୁ ୧୭ ତାରିଖ ମଧ୍ୟରେ ଓଡ଼ିଶାରୁ ମୌସୁମୀ ପ୍ରତ୍ୟାବର୍ତନ କରିପାରେ। ଏହି ପ୍ରତ୍ୟାବର୍ତନ ସମୟରେ ବର୍ଷା ଲାଗିରହିବ। ଯଦି ବର୍ଷାକୁ ଧରାଯିବ ତେବେ ତୃତୀୟ ସପ୍ତାହ ପୂର୍ବରୁ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତନ କରିବ ନାହିଁ। ଦ୍ବିତୀୟତଃ ମୌସୁମୀ ପ୍ରତ୍ୟାବର୍ତନ ସହିତ ରାତିର ତାପମାତ୍ରା କମିଥାଏ। କିନ୍ତୁ ରାଜ୍ୟକୁ ପୂର୍ବା ପବନ ଯୋଗୁଁ ତାପମାତ୍ରା ଏବେ କମିବ ନାହିଁ। ଯେତେବେଳେ ଉତ୍ତରା ପବନ ବା ଉତ୍ତର-ପଶ୍ଚିମ ଦିଗରୁ ପବନ ବୋହିବ ସେତେବେଳେ ତାପମାତ୍ରା କମିବ। ଯାହାକି ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଖାଯାଉନି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୧୦ ତାରିଖ ପୂର୍ବାହ୍ନ ସୁଦ୍ଧା କୋରାପୁଟ, ଗଜପତି, ରାୟଗଡ଼ା, ମୟୂରଭଞ୍ଜ ଓ ବାଲେଶ୍ବରରେ ମଧ୍ୟମଧରଣର ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତର ସମ୍ଭାବନା ରହିଛି। ୧୧ ତାରିଖ ମଧ୍ୟାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ଗଜପତି, ରାୟଗଡ଼ା, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ବାଲେଶ୍ବର, ଜଗତ୍‌ସିଂହପୁର, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ‌କେ‌ତେକ ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବ। ଏହାପରେ ପାଗରେ ପରିବର୍ତନ ଆସିବ ବୋଲି ପୂର୍ବାନୁମାନ କରାଯାଇଛି।

ଗତ ୩୬ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୪୬ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୨୪, ହୀରାକୁଦରେ ୨୨.୫, ଭବାନୀପାଟଣାରେ ୧୯.୮, ବାଲେଶ୍ବରରେ ୧୮.୫, ପୁରୀରେ ୧୮.୨, ବାରିପଦାରେ ୧୮, ଚାନ୍ଦବାଲିରେ ୧୫, ସୁନ୍ଦରଗଡ଼ରେ ୧୦ ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟ ସ୍ଥାନରେ ୧୦ ମିମିରୁ କମ୍‌ ବର୍ଷା ହୋଇଥିବା ସୂଚନା ମିଳିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧ‌ା ୯ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଓ ୨୧ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। କୌଣସି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇ ନାହିଁ। ତେ‌ବେ ପ୍ରାୟ ୪୦ଟି ବ୍ଲକରେ ସ୍ବାଭାବିକଠାରୁ ସାମାନ୍ୟ ନିଅଣ୍ଟିଆ ବର୍ଷା ହୋଇଥିବା ସ୍ବତନ୍ତ୍ର ରିଲିଫ କମିସନଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର