ଭୁବନେଶ୍ୱର: ବାତ୍ୟା ‘ମୋନ୍ଥା’ ଶେଷ ମୁହୂର୍ତ୍ତରେ ଗତିପଥ ବଦଳାଇବାରୁ ଏହାର ପ୍ରଭାବ ବିଶେଷ ଭାବେ ରାଜ୍ୟ ଉପରେ ପଡ଼ିନି। କିନ୍ତୁ ବର୍ଷା ଯୋଗୁ କିଛି ଜିଲ୍ଲାରେ କ୍ଷୟକ୍ଷତି ହୋଇଛି। ବାତ୍ୟା ପ୍ରଭାବରେ ୩୩ଟି ବ୍ଲକ୍, ୧୧ଟି ସହରାଞ୍ଚଳ ଓ ୩୫୮ଟି ଗ୍ରାମ ପ୍ରଭାବିତ ହୋଇଛି। ଅକ୍ଟୋବର ୩୧ରୁ ରାଜ୍ୟରେ ପାଗ ସ୍ବାଭାବିକ ହୋଇଯିବ। କିନ୍ତୁ ୩୦ ତାରିଖ ଗୁରୁବାରଠାରୁ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି। କ୍ଷୟକ୍ଷତି ରିପୋର୍ଟ ମିଳିଲେ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଆଜି ମନ୍ତ୍ରୀ ଶ୍ରୀ ପୂଜାରୀ ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ସମୀକ୍ଷା କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆମେ ବାତ୍ୟାର ମୁକାବିଲା ପାଇଁ ବିଭିନ୍ନ ବିଭାଗ ସହ ସମନ୍ବୟ ରଖି ବ୍ୟାପକ ପ୍ରସ୍ତୁତି କରିଥିଲୁ। ସବୁ ବିଭାଗ ଜିଲ୍ଲାୱାରି ପ୍ରସ୍ତୁତି ସହ ତୃଣମୂଳସ୍ତରରେ କିପରି ବାତ୍ୟାର ମୁକାବିଲା କରାଯାଇପାରିବ ସେ ନେଇ ଯୋଜନା ପ୍ରସ୍ତୁତ କରି ପଦକ୍ଷେପ ନେଇଥିଲେ। ଗଣମାଧ୍ୟମ ମଧ୍ୟ ଲୋକଙ୍କ ମଧ୍ୟରେ ବାତ୍ୟାକୁ ନେଇ ସଚେତନତା ସୃଷ୍ଟି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା। ବାତ୍ୟା ମୁକାବିଲା ପାଇଁ ୩୩ଟି ଓଡ୍ରାଫ୍ ଦଳ, ୫ଟି ଏନ୍ଡିଆର୍ଏଫ୍, ୧୩୩ଟି ଅଗ୍ନିଶମ ବାହିନୀକୁ ମିଶାଇ ମୋଟ ୧୬୧ଟି ଦଳ ନିୟୋଜିତ କରାଯାଇଥିଲା।
ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ
ଆଜିଠୁ କ୍ଷୟକ୍ଷତି ଆକଳନ
୨୧୬୪ଟି ବାତ୍ୟା, ବନ୍ୟା ଆଶ୍ରୟସ୍ଥଳୀକୁ ୧୮,୭୩୨ ଜଣ ଲୋକଙ୍କୁ ନିରାପଦ ଭାବରେ ସ୍ଥାନାନ୍ତର କରାଯାଇଥିବାବେଳେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା କରାଯାଇଥିଲା। ଏହାବ୍ୟତୀତ ୨୧୯୮ ଜଣ ଆସନ୍ନ ପ୍ରସବାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ଓ ମା’ଗୃହକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ଏବେ ସେମାନେ ସେଠାରେ ସୁରକ୍ଷିତ ଅଛନ୍ତି ଏବଂ କେତେକ ମାତୃତ୍ୱ ଲାଭ କରିଛନ୍ତି। ବାତ୍ୟା ଆଶଙ୍କା ଥିବା ଅଞ୍ଚଳରେ ୬୦ଟି ଡାକ୍ତରୀ ଦଳ ନିୟୋଜିତ କରାଯାଇଥିବାବେଳେ ପ୍ରାଣୀସମ୍ପଦର ସୁରକ୍ଷା ପାଇଁ ୩୫ଟି ପ୍ରାଣୀଚିକିତ୍ସା ଦଳ ନିୟୋଜିତ ହୋଇଥିଲେ। ୩୬୨ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ ୧୮୭୩୨ ଜଣ ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଯେଉଁ ସ୍ଥାନରେ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ସୃଷ୍ଟି ହୋଇଥିଲା ସେସବୁକୁ ପୁନଃସଂସ୍ଥାପନ ଓ ସ୍ୱାଭାବିକ କରାଯାଇଛି। ଯେଉଁଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଥିଲା, ସେଠାରେ ମଧ୍ୟ ତୁରନ୍ତ ଗଛ କାଟି ରାସ୍ତା ସଫା କରାଯାଇଛି।
ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ରେ ସର୍ବାଧିକ ୧୫୦.୫ ମିମି ବର୍ଷା ରେକର୍ଡ କରାଯାଇଛି। ଗଜପତି ଜିଲ୍ଲାର ଦୁଇଟି ବ୍ଲକ୍ ଯଥା ରାୟଗଡ଼ରେ ୧୧୯.୮ ମିମି, ମୋହନାରେ ୧୦୬ ମିମି, ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରେ ୧୧୭.୪ ମିମି, ମୟୂରଭଞ୍ଜର ଉଦଳା ବ୍ଲକ୍ରେ ୧୦୫ ମିମି ବର୍ଷା ରେକର୍ଡ କରାଯାଇଛି। ଯାହାକି ୧୦୦ ମିମିରୁ ଅଧିକ। ଏହାବ୍ୟତୀତ ୫୬ଟି ବ୍ଲକ୍ ଏବଂ ସହରାଞ୍ଚଳରେ ୫୦ ମିମିରୁ ୧୦୦ ମିମି ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଛି। ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିସନର ଦେଓରଞ୍ଜନ କୁମାର ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/dgjdgjdgjcnbn-2025-10-30-02-29-44.jpg)