ଭୁବନେଶ୍ବର: ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସମୁଦ୍ର ଭିତରେ ବଳ ଗୋଟାଉଛି। ଘଣ୍ଟା ପ୍ରତି ୮ କିମି ବେଗରେ ଉତ୍ତରପଶ୍ଚିମ ଦିଗରେ ଗତି କରି ଉପକୂଳମୁହାଁ ହେଉଛି। ରବିବାର ରାତି ୧୦ଟା ବେଳକୁ ଏହା ପୋର୍ଟ ବ୍ଲେୟାର (ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ)ରୁ ପ୍ରାୟ ୬୭୦ କିମି ପଶ୍ଚିମରେ, ଚେନ୍ନାଇଠାରୁ ୭୨୦ କିମି ପୂର୍ବ-ଦକ୍ଷିଣପୂର୍ବରେ, ବିଶାଖାପାଟଣାଠାରୁ ୭୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଓ ଗୋପାଳପୁରଠାରୁ ୯୦୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଥିଲା। ଆସନ୍ତା‌ ୧୨ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଦକ୍ଷିଣପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟା (ମୋନ୍ଥା)ରେ ପରିଣତ ହେବ। ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ୨୮ ତାରିଖ ସନ୍ଧ୍ୟା କିମ୍ବା ରାତିରେ କାକିନଡ଼ା ପାଖାପାଖି ମଚ୍ଛିଲିପଟନମ୍‌ ଓ କଳିଙ୍ଗପଟନମ୍‌ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୯୦ରୁ ୧୦୦ କିମି ମଧ୍ୟରେ ରହିବ। ଝଟକା ପବନର ବେଗ ଘଣ୍ଟା ପ୍ରତି ୧୧୦ କିମି ଛୁଇଁପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Advertisment

ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟକୁ ରେଡ୍‌ ୱାର୍ଣ୍ଣିଂ

୨୮ ସନ୍ଧ୍ୟାରେ କାକିନାଡ଼ାରେ ମାଡ଼ ହେବ/୨୭ରୁ ୨୯ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ସୋମବାରଠାରୁ ଓଡ଼ିଶାର ପାଗରେ ପରିବର୍ତ୍ତନ ଆସିବ। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର କେତେକ 
ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ପୁରୀ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ୨୮ ତାରିଖ ସକାଳ ସାଢ଼େ ୮ଟାରୁ ୨୯ ତାରିଖ ସକାଳ ମଧ୍ୟରେ ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହୋଇପାରେ। ଏଥିସହ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ (ଲାଲ୍‌ ଚେତାବନୀ) ଦିଆଯାଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟାପ୍ରତି ୫୦ରୁ ୭୦ କିମି ବେଗରେ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ପରବର୍ତ୍ତୀ ୨୪ ଘଣ୍ଟାରେ ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ରୁ ୮୦ କିମି ବେଗରେ ପବନ ହେବାକୁ ଥିବାରୁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି। ଏଥିସହ ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୭୦ କିମି ବେଗରେ ପବନ ହୋଇପାରେ।

ବନ୍ଦରରେ ଏକ ନମ୍ବର ବିପଦ ସଙ୍କେତ
୨୯ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୭ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିମି, ୨୮ ତାରିଖ ସନ୍ଧ୍ୟାରୁ ୨୯ ତାରିଖ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶା ଉପକୂଳରେ ୬୦ରୁ ୮୦ କିମି ଏବଂ ଉତ୍ତର ଓଡ଼ିଶା ଉପକୂଳରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ପରସ୍ଥିତିକୁ ନଜରରେ ରଖି ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ଓଡ଼ିଶାର ସମସ୍ତ ବନ୍ଦର ପାଇଁ ଏକ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ୨୮ ତାରିଖ ସନ୍ଧ୍ୟା ୬ରୁ ରାତି ୧୦ ମଧ୍ୟରେ ବାତ୍ୟାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଶେଷ ହେବ। ବାତ୍ୟା ଅବସ୍ଥାରେ ସ୍ଥଳଭାଗ ଛୁଇଁବା ପରେ ଆନ୍ଧ୍ର ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଳପୁର ଓ ରାୟପୁରକୁ ଯାଇପାରେ। ଏହାଦ୍ବାରା ଅବିଭକ୍ତ କୋରାପୁଟ ଓ ନୂଆପଡ଼ାରେ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। ଯଦି ମାଲକାନଗିରି ଦେଇ ଯାଏ ତେବେ ଅବିଭକ୍ତ କୋରାପୁଟ ସମେତ ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡିରେ ପବନର ବେଗ ବଢ଼ିପାରେ। ତେବେ ୨୭ ତାରିଖ ଅପରାହ୍ଣ ବେଳକୁ ଦକ୍ଷିଣ ଉପକୂଳ ଯଥା ଗଜପତି, ରାୟଗଡ଼ା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀରେ ପ୍ରବଳ ବର୍ଷା ହେବ। ୨୮ ଓ ୨୯ ତାରିଖରେ ସମଗ୍ର ଉପକୂଳରେ ବର୍ଷା ହୋଇପାରେ। ୨୯ ଓ ୩୦ ତାରିଖରେ ପଶ୍ଚିମଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ବୋଲି ସେ କହିଛନ୍ତି।