ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ରବିବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ସୋମବାର ସକାଳେ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ବାତ୍ୟା (ମୋନ୍ଥା)ର ରୂପ ନେବ ଏବଂ କ୍ରମଶଃ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଅଧିକ ବଳ ଗୋଟାଇବ। ୨୮ ତାରିଖ ସୁଦ୍ଧା ‘ଭୀଷଣ ବାତ୍ୟା’ର ରୂପ ନେବ। ପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି ଜାରି ରଖି ୨୮ ତାରିଖ ସନ୍ଧ୍ୟା ବା ରାତି ସୁଦ୍ଧା ଆନ୍ଧ୍ର ଉପକୂଳର ମଛଲିପଟନମ୍‌-କଳିଙ୍ଗପାଟନମ୍‌ ନିକଟସ୍ଥ କାକିନାଡ଼ା ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ନ ହେଲେ ବି ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତଥ୍ୟ ଅନୁସାରେ, ବାତ୍ୟା ପ୍ରଭାବରେ ୨୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍‌ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। ଏଣୁ ଏହି ୮ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
Advertisment
ବଳ ଗୋଟାଉଛି ବାତ୍ୟା/କାକିନାଡ଼ା ପାଖରେ ସ୍ଥଳଭାଗ ଛୁଇଁବ
ସେହିଭଳି ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ୭୦ରୁ ୧୧୦ ମିମି ଯାଏଁ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଏହି ଦିନ ପବନର ବେଗ ଘଣ୍ଟାପ୍ରତି ୮୫ରୁ ୯୫ କିମି ପର୍ଯ୍ୟନ୍ତ ରହିପାରେ। ସ୍ଥଳବିଶେଷରେ ୧୦୫ କିମି ବେଗରେ ଝଟକା ମଧ୍ୟ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୮ ତାରିଖ ଦିନ ରାଜ୍ୟରେ ବର୍ଷା ସହ ପବନର ପ୍ରକୋପ ବଢ଼ିବ। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବିସ୍ତୃତ ବର୍ଷା ହେବ। କିଛି କିଛି ସ୍ଥାନରେ ଅତିରୁ ଅତିପ୍ରବଳ ବର୍ଷିବ। ପାଖାପାଖି ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। ଏଣୁ ଏହି ୫ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ‌ରେଡ୍‌ ୱାର୍ଣ୍ଣିଂ ଜାରି କରିଛି। ସେହିଭଳି ନରବଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।
ଏହି ଜିଲ୍ଲାଗୁଡ଼ିକରେ ‌ଅରେଞ୍ଜ ୱାର୍ଣ୍ଣିଂ ଏବଂ ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର କେତେକାଂଶରେ ପ୍ରବଳ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳବର୍ତ୍ତୀ ଦକ୍ଷିଣ ଓଡ଼ିଶାରେ ଘଣ୍ଟାପ୍ରତି ୯୦ରୁ ୧୦୦ କିମି ବେଗରେ ପବନ ବହିବା ସହ ୧୧୦ କିମି ବେଗରେ ପବନର ଝଟକା ଅନୁଭୂତ ହେବ।  ୨୯ ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଉପକୂଳ, ଦକ୍ଷିଣ ଓ ସଂଲଗ୍ନ ପଶ୍ଚିମ ଓଡ଼ିଶାରେ ବି ବର୍ଷା ସମ୍ଭାବନା ରହିଛି। ଏଣୁ ରାଜ୍ୟର ଅଧିକାଂଶ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ସତର୍କ ୱାର୍ଣ୍ଣିଂ ଜାରି କରିଛି। ୨୯ରେ ପବନର ବେଗ କମିବ ଓ ଘଣ୍ଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବା ସହ ଝଟକା ପବନର ବେଗ ୯୦ କିମି ପର୍ଯ୍ୟନ୍ତ ରହିବ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବାର ଆଶଙ୍କା ରହିଛି। ଆସନ୍ତାକାଲିଠାରୁ ୨୯ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀ ଯଥାଶୀଘ୍ର ଉପକୂଳକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି।