ଖେଳାଳିଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା, ଜାତୀୟ ‌ରେକର୍ଡଧାରୀଙ୍କୁ ମାସିକ ୫୦୦୦

ଭୁବନେଶ୍ବର: ରାଜ୍ୟର ଉଦୀୟମାନ ତଥା ପ୍ରତିଭାସମ୍ପନ୍ନ ଖେଳାଳିମାନଙ୍କୁ ଏଣିକି କ୍ରୀଡ଼ାବିତ୍‌ ଭତ୍ତା ପ୍ରଦାନ କରାଯିବ। ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡା ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କ ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋଚନା କରି ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି କରାଯାଇଛି। ଏହାକୁ ଲକ୍ଷ୍ୟରେ ରଖି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରାବାସ ଅନ୍ତେବାସୀ ଏବଂ ଜାତୀୟ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି କରିଛନ୍ତି। ଛାତ୍ରାବାସର ଝିଅ ପିଲାଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ପୁଅ ପିଲାଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଜାତୀୟ କ୍ରୀଡ଼ା ସଂଘ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗିତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ। ଜାତୀୟ ସ୍ତରର ପ୍ରତିଯୋଗିତା (କ୍ରୀଡ଼ା ସଂଘ, ଖେଲୋ ଇଣ୍ଡିଆ, ଜାତୀୟ ବିଦ୍ୟାଳୟ କ୍ରୀଡ଼ା ଏବଂ ଜାତୀୟ ବିଶ୍ବବିଦ୍ୟାଳୟ କ୍ରୀଡ଼ା)ରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍‌ଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ କାଂସ୍ୟ ପଦକ ହାସଲ କରିଥିବା କ୍ରୀଡାବିତ୍‌ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ଦିଆଯିବ। କ୍ରୀଡ଼ା ଛାତ୍ରାବାସରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ।

ଯଦି ଜଣେ କ୍ରୀଡାବିତ୍ ଏକ ଜାତୀୟ କୀର୍ତ୍ତିମାନ ସୃଷ୍ଟି କରନ୍ତି ଏବଂ ସେହି କୀର୍ତ୍ତିମାନ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ତାଙ୍କୁ ଏକବର୍ଷ ପର୍ଯ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ। ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍‌ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ଭତ୍ତା ମିଳିବ। କ୍ରୀଡା ବିଭାଗର ପ୍ରଶିକ୍ଷକମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡା ବିଭାଗ ଏକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ କ୍ରୀଡା କ୍ଷେତ୍ରରେ ଓଡିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି। ଭୁବନେଶ୍ୱରରେ ୨୦୧୭ ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଏବଂ ୨୦୧୮ରେ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଥିଲା। ଓଡିଶାର କ୍ରୀଡାବିତ୍‌ ମଧ୍ୟ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ନିଜ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି । କ୍ରୀଡା ଭିତ୍ତିଭୂମି ସହ କ୍ରୀଡା ପ୍ରତିଭାର ବିକାଶ ପାଇଁ ଓଡିଶା ସରକାରଙ୍କ କ୍ରୀଡା ନୀତି ବ୍ୟାପକ ସୁଯୋଗ ସୃଷ୍ଟି କରିଛି। ଓଡିଶାରେ ବ୍ୟାଡମିଣ୍ଟନ, ହକି, ଫୁଟ୍‌ବଲ, ସୁଟିଙ୍ଗ୍‌, ସନ୍ତରଣ ଓ ଦୌଡକୁଦ ଆଦି ଦଶଟି ବିଭାଗରେ ହାଇ ପରଫର୍ମାନ୍ସ କେନ୍ଦ୍ର ପ୍ରତିଷ୍ଠା ଓଡିଶା ସମେତ ସାରା ଭାରତର କ୍ରୀଡାବିତ୍‌ମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହୋଇପାରିଛି। ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ଭାବେ ଉଭା ହେବା ସହିତ ଅଲମ୍ପିକ ପଦକ ଭାରତ ପାଇଁ ଆଉ ବେଶି ଦୂର ନୁହେଁ ବୋଲି ବିଶ୍ବାସ ଆସିଛି।

ସମ୍ବନ୍ଧିତ ଖବର