ରାଜ୍ୟରେ ବଢ଼ିଛି ଚାଷୀ ପରିବାରର ମାସିକ ଆୟ, ୨୦୧୯ରେ ୫୦୧୨ ଟଙ୍କା: କୃଷିମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ  ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଦିଆଯାଉଛି। ୨୦୧୯ ରେ ସର୍ବେକ୍ଷଣ ସମୟରେ ସାମୁଦ୍ରିକ ଘୁର୍ଣ୍ଣିଝଡ଼ ଫନି, ତିତିଲି ପରି ପ୍ରାକୃତିକ ବିପର୍ଯ୍ୟୟ ହେଇଥିବାରୁ ଚାଷୀଙ୍କ ଆୟ ପ୍ରଭାବିତ କରିଛି।

ସରକାର ଭାଗ ଚାଷୀଙ୍କୁ ଚାଷୀର ମାନ୍ୟତା ଦିଆଯାଉ ନାହି କାହିଁକି ? ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି, ଭାଗଚାଷୀ ବି ଚାଷୀ, ସେମାନଙ୍କୁ ଚାଷୀ ମାନ୍ୟତା ଦେବା କଥା ଉଠିଲା କେଉଁଠୁ? ଭାଗଚାଷୀଙ୍କୁ ପୂର୍ବରୁ ସରକାରୀ ସୁବିଧା ମିଳୁ ନଥିଲା। ଗତ କିଛି ଦିନ ହେବ ଫସଲ ଋଣ, ସାର, ବିହନ, କୀଟନାଶକ ପ୍ରଦାନ କରାଯାଉଛି। ଭାଗଚାଷୀଙ୍କ ପାଇଁ ବଳରାମ ଯୋଜନା କରାଯାଇଛି। ରାଜ୍ୟରେ ୯ ଲକ୍ଷ ୫ ହଜାର ୧୯୪ ଭାଗଚାଷୀ ଅଛନ୍ତି।

କୃଷିମନ୍ତ୍ରୀ କହିଛନ୍ତି ଯେ, ଚାଷୀଙ୍କ ଆୟ ନିର୍ଦ୍ଧାରଣ ସର୍ଭେ ପ୍ରତି ୧୦ ବର୍ଷରେ ହେଉଥିଲା। ୨୦୦୨-୦୩ରେ ହୋଇଥିଲା। ତା ପରେ ୨୦୧୨-୧୩ରେ ହେଇଥିଲଶ। ହେଲେ ହଠାତ ଏହାକୁ ୬ ବର୍ଷ କରାଗଲା। ୨୦୨୨-୨୩ ବଦଳରେ ୨୦୧୯ରେ ହେଲା, ଯାହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ସ୍ୱାଇଁ। ନିର୍ବାଚନ ବର୍ଷ ଥିବାରୁ ଏହା କରାଯାଇଥିବା ନେଇ ସେ ଗୃହରେ ଅଭିଯୋଗ ଉଠାଇଛନ୍ତି। ୨୦୧୫-୧୬ ଗଣନା ଅନୁସାରେ, ଅନ୍ୟ ଜମିରେ ସମ୍ପୂର୍ଣ୍ଣ ଭାବେ ଚାଷୀ କରୁଥିବା ଚାଷୀଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ୭୧ ଜଣ। ସେହିପରି ନିଜ ଓ ଅନ୍ୟ ଜମିରେ ୬ ଲକ୍ଷ ୨୨ ହଜାର ୧୧୩ ଚାଷୀ ଚାଷ କରୁଛନ୍ତି। ରାଜ୍ୟରେ ଚାଷୀ ସଂଖ୍ୟା ହେଉଛି ୪୮ ଲକ୍ଷ ୬୫ ହଜାର ୮୫୦।

 

ସମ୍ବନ୍ଧିତ ଖବର