ୟୁଟ୍ୟୁବ୍‌ରୁ ମହିଳାଙ୍କ ମାସିକ ଆୟ ଦେଢ଼ଲକ୍ଷ

ଗୃହିଣୀରୁ ସଫଳ ୟୁଟ୍ୟୁବର୍‌, ଶାଢ଼ି ପିନ୍ଧି ଘୋଡ଼ା ଚଢ଼ୁଛନ୍ତି, ଟ୍ରକ୍‌, ବସ୍‌ ଚଳାଉଛନ୍ତି

ଯାଜପୁରସଦର, (ଅନିଲ କୁମାର ପଣ୍ଡା): ୟୁଟ୍ୟୁବ୍‌ରୁ ଜଣେ ମହିଳା ମାସକୁ ରୋଜଗାର କରୁଛନ୍ତି ଦେଢ଼ଲକ୍ଷ। ୟୁଟ୍ୟୁବ୍‌ରେ ଘୋଡ଼ାଚଢ଼ାଠାରୁ ଆରମ୍ଭ କରି ଟ୍ରାକ୍ଟରରେ ହଳ କରିବା, ଭଲ୍‌ଭୋ ବସ୍‌ ଚଳାଇବା ହେଉ କି ଟ୍ରକ୍‌ ଚଳାଇବାର ଯେଉଁ ଭିଡିଓ ଅପ୍‌ଲୋଡ୍‌ କରୁଛନ୍ତି, ତାହାକୁ କୋଟିକୋଟି ଲୋକ ଦେଖୁଛନ୍ତି। ଏବେ ୨୦ ଲକ୍ଷରୁ ଅଧିକ ୟୁଟ୍ୟୁବ୍‌ ବ୍ୟବହାରକାରୀ ତାଙ୍କର ଅନୁଗାମୀ। ଯାହାକି, ତାଙ୍କ ପାଇଁ ରୋଜଗାରର ସୁଯୋଗ ଆଣିଦେଇଛି। ଏହି ମହିଳା ହେଲେ, ଯାଜପୁର ଜିଲ୍ଲାର ଖରସ୍ରୋତା କୂଳରେ ଅବସ୍ଥିତ ବେରୁଦା ପଞ୍ଚାୟତର ଜହଳ ଗ୍ରାମର ମୋନାଲିସା ଭଦ୍ର ।

ମୋନାଲିସାଙ୍କ ସ୍ୱାମୀଙ୍କ ନାଁ ବଦ୍ରିନାରାୟଣ ଭଦ୍ର। ଦୁହେଁ ଏବେ ୟୁଟ୍ୟୁବର୍‌ ଭାବେ ବେଶ୍‌ ଜଣାଶୁଣା। ୨୦୧୬ରେ ବିଦ୍ରିନାରାୟଣ ନିଜ ନାମରେ ଆରମ୍ଭ କରିଥିଲେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ। ତାଙ୍କ ପତ୍ନୀ ମାଙ୍କଡ଼ଙ୍କୁ ଖାଇବାକୁ ଦେବା ସମୟରେ ସେ ଏକ ଭିଡିଓ ଉତ୍ତୋଳନ କରି ପ୍ରଥମଥର ଛାଡ଼ିଥିଲେ। ତାହାକୁ ବେଶ୍‌ କିଛି ଲୋକ ପ୍ରଶଂସା କରିଥିଲେ। ସେବେଠାରୁ ସେ ଦୈନିକ କିଛିନା କିଛି ଭିଡିଓ ଛାଡ଼ିଚାଲିଛନ୍ତି। ବିଶେଷକରି ମୋନାଲିସାଙ୍କ ପଶୁପକ୍ଷୀଙ୍କ ପ୍ରତି ଭଲପାଇବା, ବସ୍‌, ଟ୍ରକ୍‌,ଟ୍ରାକ୍ଟର୍‌, ଡମ୍ପର୍‌ ଓ ବୁଲେଟ୍‌ ଆଦି ଚଲାଇବା ଓ ଶାଢ଼ି ପିନ୍ଧି ଘୋଡ଼ା ଦୌଡ଼ାଇବାର ଦୃଶ୍ୟ ତାଙ୍କୁ ପ୍ରସିଦ୍ଧ କରିଛି। ମାତ୍ର ତାଙ୍କ ଘରେ ସେ ଜଣେ ସାଧାରଣ ଗୃହିଣୀ। ସକାଳୁ ରୋଷେଇବାସଠାରୁ ପିଲାଙ୍କୁ ପ୍ରସ୍ତୁତ କରି ପାଠ ପଢ଼ାଇବା ଆଦି ସବୁ କାମ ନିଜେ କରିଥାନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ଆହତ ହୋଇଥିବା ମାଙ୍କଡ଼ଙ୍କ ସେବା ଶୁଶ୍ରୂଷା କରିଥାନ୍ତି। ଭବିଷ୍ୟତରେ ସେ ହେଲିକପ୍ଟର୍‌, ଟ୍ରେନ୍‌ ଆଦି ଚଳାଇବାକୁ ଆଶା ରଖିଥିବା କହନ୍ତି। ସବୁବେଳେ କିଛି ନୂଆ କରିବାର ଆଗ୍ରହ ରଖିଛନ୍ତି। ମୋନାଲିସାଙ୍କ ଏସବୁ କାର୍ଯ୍ୟକୁ ସୁଟିଂ କରି ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି ବଦ୍ରିନାରାୟଣ।

ବର୍ତ୍ତମାନ ତାଙ୍କର ୨୨ ଲକ୍ଷ ୪୦ ହଜାର ସବସ୍କ୍ରାଇବର ରହିଛନ୍ତି। ପ୍ରାୟ ୭୬ କୋଟି ଦର୍ଶକ ତାଙ୍କ ଭିଡିଓ ସବୁ ଦେଖିସାରିଲେଣି। ତାଙ୍କର ଏକ କୃଷିଜୀବୀ ଯୌଥ ପରିବାର। ମୋନାଲିସା ସବୁ ଘର କାମସାରି ଦୁଇ ପୁଅଝିଅଙ୍କ କଥା ବୁଝିବା ପରେ ଦୈନିକ ଭିନ୍ନଭିନ୍ନ ଭିଡିଓ କରିବା ସହ ମାଙ୍କଡ଼ଙ୍କୁ ଖାଇବାକୁ ଦେବା, ସେବା କରିବା ତାଙ୍କର ନିୟମିତ କାମ ପାଲଟିଛି। ନିଜ ଅଞ୍ଚଳର ମାଙ୍କଡ଼ଙ୍କୁ ଦୈନିକ ଖାଇବାକୁ ଦେବା ସହ ସେବା ଓ ସୁରକ୍ଷା ଯୋଗାଇ ଆସୁଛନ୍ତି। ବହୁ ମାଙ୍କଡ଼ ମଧ୍ୟ ତାଙ୍କ ଘରେ ସଦସ୍ୟ ଭାବେ ଅବାଧରେ ଚଳପ୍ରଚଳ କରୁଛନ୍ତି। ସେ ଗାଡ଼ିରେ ଗଲାମାତ୍ରେ ତାଙ୍କୁ ମାଙ୍କଡ଼ପଲ ଘେରି ଯାଉଛନ୍ତି। ପଶୁପକ୍ଷୀଙ୍କୁ ଭଲ ପାଇବା ଓ ଏହାକୁ ନେଇ ଭିଡିଓ ପ୍ରସ୍ତୁତ କରିବା ଏବେ ଏହି ଦମ୍ପତିଙ୍କ ନିଶା ଓ ପେସା ପାଲଟିଛି। ଗାଁର ବୋହୂ ଆଜି ଦେଶବିଦେଶରେ ପରିଚୟ ପାଇଥିବାରୁ ଶାଶୂଘର ଓ ଗ୍ରାମବାସୀ ଆନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର