ମାସେ ପରେ ୨ହଜାର ତଳେ ଦୈନିକ ସଂକ୍ରମଣ: ୨୭% ବୟସ୍କ ନେଲେଣି ପ୍ରିକସନ୍ ଡୋଜ୍

ଦିନକରେ ୧୪୯୭ ପଜିଟିଭ୍, ୨୦ ମୃତ ୫୦ହଜାର ତଳକୁ ଖସିଲା ଟେଷ୍ଟିଂ, ସଂକ୍ରମଣ ହାର ୪% ତଳେ

ଭୁବନେଶ୍ବର: ଗୋଟିଏ ମାସର ବ୍ୟବଧାନ ପରେ ରାଜ୍ୟରେ କରୋନା ସଂକ୍ରମଣ ୨ହଜାର ତଳକୁ ଖସି ଆସିଛି। ଗତମାସ ୫ତାରିଖରେ ରାଜ୍ୟରେ ସଂକ୍ରମଣ ୨ହଜାର ତଳେ ରହିଥିଲା। ଏହା ପରଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ମାତ୍ର ଏବେ ସଂକ୍ରମଣ ସଂପୂର୍ଣ୍ଣ ଭାବେ ତଳମୁହାଁ ହେବାରେ ଲାଗିଛି। କିଛିଦିନ ପୂର୍ବରୁ ରାଜ୍ୟର ୧୦/୧୨ଟି ଜିଲ୍ଲାରେ ଶହେ ଉପରେ ସଂକ୍ରମଣ ରହୁଥିବା ବେଳେ ଏବେ କେବଳ ୨ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ଦେଖିବାକୁ ମିଳିଛି।

ଜାନୁଆରି ୧୮ତାରିଖରେ ରାଜ୍ୟରେ କରୋନା ଶୀର୍ଷ ସଂକ୍ରମଣ ଛୁଇଁବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଖସିବାକୁ ଆରମ୍ଭ କରିଥିଲା। ଚଳିତମାସ ଆରମ୍ଭରୁ ଏହା ୩ହଜାରକୁ ଖସି ଆସିଥିଲା। ଏବେ ୨ହଜାର ତଳେ ସଂକ୍ରମଣ ରହିଛି। ସଂକ୍ରମଣ ହଠାତ୍ ୨ହଜାର ତଳକୁ ଖସି ଆସିବା ପଛରେ ‌କମ୍ ଟେଷ୍ଟିଂ ମଧ୍ୟ ଦାୟୀ ବୋଲି କୁହାଯାଉଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୭,୧୦୧ ନମୁନା ପରୀକ୍ଷା ହୋଇଛି ଓ ସଂକ୍ରମଣ ହଜାର ୩.୧୮ ପ୍ରତିଶତ ରହିଛି। କେବଳ ଖୋର୍ଧା ଓ ସୁନ୍ଦରଗଡ଼ରେ ସଂକ୍ରମଣ ହାର ରାଜ୍ୟର ହାରଠାରୁ ମଧ୍ୟ ଅଧିକ ରହିଛି। କିନ୍ତୁ ରାଜ୍ୟରେ କ୍ରମାଗତ ଭାବେ ‌ମୃତ୍ୟୁ ସଂଖ୍ୟା ୨୦ ଉପରେ ରହୁଛି। ଜିଲ୍ଲାସ୍ତରରୁ ଡେଟ୍‌ ଅଡିଟ୍‌ ରିପୋର୍ଟ ବିଳମ୍ବରେ ଆସୁଥିବାରୁ ମୃତ୍ୟୁ ସଂଖ୍ୟା ଘୋଷଣାରେ ବିଳମ୍ବ ହେଉଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ୨୪ଘଣ୍ଟାରେ ରାଜ୍ୟରେ ୧୪୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ଖୋର୍ଧାରୁ ୨୫୧, ସୁନ୍ଦରଗଡ଼ରୁ ୧୦୧ ଜଣ ରହିଛନ୍ତି। ଅନ୍ୟ ଜିଲ୍ଲାଗୁଡ଼ିକ ଭିତରେ କଟକ ୬୯, ଦେବଗଡ଼ ୬୨, ସମ୍ବଲପୁର ୫୯, ନୟାଗଡ଼ ୫୬, ରାୟଗଡ଼ା ୫୨, ଦେବଗଡ଼ ୬୨, ଗଜପତି ୪୫ ଓ ଷ୍ଟେଟ୍‌ ପୁଲରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୬୮ହଜାର ୩୦୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଉ ୨୦ଜଣ କରୋନାରେ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୬, କଳାହାଣ୍ଡି ୪, କଟକ ୩, ଜଗତସିଂହପୁର, ନୟାଗଡ଼ ୨ ଲେଖାଏ, ରାୟଗଡ଼ା, କେନ୍ଦ୍ରାପଡ଼ା, ଯାଜପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୮୭୫୪ କରୋନା ମୃତ୍ୟୁ ସଂପର୍କରେ ସରକାରୀ ଘୋଷଣା ହୋଇଛି। ରାଜ୍ୟରେ ଆଜି ୩୬୨୧ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭,୯୦୪କୁ ଖସି ଆସିଛି। ବର୍ତମାନ ସୁଦ୍ଧା ରାଜ୍ୟରେ ୧୨ଲକ୍ଷ ୪୨ହଜାର ୫୯୭କୁ ବୃଦ୍ଧି ପାଇଛି।

୨୭% ବୟସ୍କ ନେଲେଣି ପ୍ରିକସନ୍ ଡୋଜ୍

ଭୁବନେଶ୍ବର: ଜାନୁଆରି ୧୦ ତାରିଖରୁ ୬୦ବର୍ଷରୁ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି। ବର୍ତମାନ ସୁଦ୍ଧା ୨ଲକ୍ଷ ୭୯ହଜାର ୬୨୮ ବା ୨୭ ପ୍ରତିଶତ ହିତାଧିକାରୀ ପ୍ରିକସନ୍ ଡୋଜ୍ ନେଇ ସାରିଲେଣି। ସେହପିରି ୧୫-୧୮ବର୍ଷର ୧୬ଲକ୍ଷ ୧୪ହଜାର ୧୬୦ ଜଣ ବା ୬୮ ପ୍ରତିଶତ ପିଲା ମଧ୍ୟ ଟିକାକରଣରେ ସାମିଲ ହୋଇଛନ୍ତି। ରାଜ୍ୟରେ ବର୍ତମାନ ସୁଦ୍ଧା ୫କୋଟି ୮୩ହଜାର ୧୦୨ ଡୋଜ୍ ଟିକା ଦିଆଯାଇଛି।

ରାଜ୍ୟ ଧୀରେ ଧୀରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ଆଡ଼କୁ ମୁହାଁଇଛି। ପ୍ରାୟ ୧୫ଲକ୍ଷ ହିତାଧିକାରୀ ରାଜ୍ୟ ବାହାରେ ରହୁଥିବାରୁ ସେମାନଙ୍କୁ ବାଦ୍ ଦେଇ ଅନ୍ୟମାନଙ୍କୁ ଟିକା ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ଆଜି ରାଜ୍ୟରେ ୧‌ଲକ୍ଷ ୮୧ହଜାର ୩୯ଜଣ ଟିକା ନେଇଛନ୍ତି। ଏଥିରେ ୧୮-୪୪ବର୍ଗର ୧୧,୭୪୭ ପ୍ରଥମ, ୫୭,୨୩୧ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୨୮୦୧ ପ୍ରଥମ, ୨୩,୮୭୯ ଦ୍ବିତୀୟ ଓ ୬୦ବର୍ଷରୁ ଅଧିକ ୧୩,୮୮୪ଜଣଙ୍କୁ ଟିକା ଦିଆଯାଇଥିଲା। ଆସନ୍ତାକାଲି ରାଜ୍ୟରେ ୨୯୯୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଏବେ ୧୭ଲକ୍ଷରୁ ଅଧିକ ଡୋଜ୍ ଟିକା ମହଜୁଦ ରହିଛି।

ସମ୍ବନ୍ଧିତ ଖବର