ଓଡ଼ିଶାରେ ମୌସୁମୀ : ମାଲକାନଗିରିରେ ବର୍ଷା ଆରମ୍ଭ, ୨୪ ଘଣ୍ଟାରେ ଦକ୍ଷିଣ ଓ ଉପକୂଳ ଓଡ଼ିଶା ଛୁଇଁବ

ଜୁନ୍‌ ୧୦ରେ ପ୍ରବଳରୁ ଅତିପ୍ରବଳ ବର୍ଷା, ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ

ଭୁବନେଶ୍ୱର : ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ(ଜୁନ୍‌ ୯)ର ଗୋଟିଏ ଦିନ ପୂର୍ବରୁ ଆଜି ସନ୍ଧ୍ୟାରେ ମାଲକାନଗିରିର କିଛି ଅଂଶକୁ ସ୍ପର୍ଶ କରିଛି ମୌସୁମୀ। ପ୍ରଭାବରେ ଅପରାହ୍ନଠାରୁ ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଆରମ୍ଭ ହୋଇଛି। ରାତି ସୁଦ୍ଧା ଜିଲ୍ଲାରେ ୨୦ ମି.ମି.ରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଶନିବାର ସକାଳ ସୁଦ୍ଧା ସମ୍ପୂର୍ଣ୍ଣ ମାଲକାନଗିରିରେ ମୌସୁମୀ ପହଞ୍ଚିବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ଗଜପତି, ଗଞ୍ଜାମ, ବୌଦ୍ଧ, କନ୍ଧମାଳ ଜିଲ୍ଲାକୁ ବି ମୌସୁମୀ ଛୁଇଁବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ଗୋଟିଏ ଦୁଇଟି ସ୍ଥାନରେ ଅତିପ୍ରବଳ ବର୍ଷାର ବି ସମ୍ଭାବନା ରହିଛି। ଶନିବାର ରାତି କିମ୍ବା ରବିବାର ସକାଳ ସୁଦ୍ଧା ମୌସୁମୀ ଉପକୂଳ ଓଡ଼ିଶା ଯଥା- ପୁରୀ, ଖୋର୍ଧା, ନୟାଗଡ଼, କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବେଶ କରିବ। ଗୋଟିଏ ପଟେ ମୌସୁମୀ ପ୍ରବେଶ କରିଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୧୦ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଶୁକ୍ରବାର ରାତିଠାରୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ଜୁଆର ଉଠିବ। ପବନର ବେଗ ଘଣ୍ଟା ପ୍ରତି ୪୦ରୁ ୬୦ କି.ମି. ରହିବ। ତେଣୁ ମତ୍ସ୍ୟଜୀବୀଙ୍କ ପାଇଁ ବିପଦ ସୃଷ୍ଟି ହୋଇପାରେ। ୧୦ ତାରିଖ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରି ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଆହୁରି କୁହାଯାଇଛି ଯେ ୧୧ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ଓଡ଼ିଶାକୁ ମୌସୁମୀ ଛୁଇଁବ। ୧୦ ଓ ୧୧ ତାରିଖରେ ପଶ୍ଚିମ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ। ପ୍ରଭାବରେ ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ବରଗଡ଼, ଢେଙ୍କାନାଳ, ସୋନପୁର ଜିଲ୍ଲାରେ ବି ପ୍ରବଳ ବର୍ଷା ହେବ। ଏହି ସମୟରେ କାଳବୈଶାଖୀ ପ୍ରଭାବ ସେତେଟା ଦେଖିବାକୁ ମିଳିବ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଡ. ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି ଯେ ମୌସୁମୀ ମାଲକାନଗିରି ଛୁଇଁଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକାଂଶ ଓଡ଼ିଶାକୁ ଛୁଇଁବ। ଉତ୍ତର ବଙ୍ଗୋପସାଗରରେ ଏବେ ଲଘୁଚାପ ରହିଛି। ତେଣୁ ସମୁଦ୍ର ଅଶାନ୍ତ ରହୁଛି। ରାତିରେ ସମୁଦ୍ରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ମୌସୁମୀ ଆସିଥିବାରୁ ପରିସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି।

ଗତ ୧୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ାରେ ସର୍ବାଧିକ ୫୯.୩ ମି.ମି. ବର୍ଷା ହୋଇଛି। ସୁନ୍ଦରଗଡ଼ରେ ୪୪ ମି.ମି. ହୋଇଥିବା ବେଳେ ଚାନ୍ଦବାଲିରେ ୩୪.୨, ସୋନପୁରରେ ୩୧, ବଲାଙ୍ଗୀରରେ ୧୮, ହୀରାକୁଦରେ ୧୬, ବାଲେଶ୍ୱରରେ ୧୫ ମି.ମି. ବର୍ଷା ହୋଇଛି। କେନ୍ଦ୍ରାପଡ଼ା, କଟକ, ଯାଜପୁର, ଖୋର୍ଧା, ପୁରୀ, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାରେ ବି ହାଲକା ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର