ବାରିପଦା : ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି ବାଲେଶ୍ବର ଜିଲ୍ଲା ଜଳେଶ୍ବର ବିଧାୟକ ତଥା ଅବକାରୀ ମନ୍ତ୍ରୀ ଅଶ୍ବିନୀ ପାତ୍ର। ନିକଟରେ ତାଙ୍କୁ ବାଲେଶ୍ବର ଜିଲ୍ଲା ବିଜେଡିର ସଭାପତି ଭାବେ ନିଯୁକ୍ତ କରାଯାଇଛି। ଏମିତିରେ ୩ଟି ଗୁରୁତ୍ବପୂର୍ଣ୍ଣ ପଦବିରେ ରହି କାମ କରିବା ଜଣେ ବ୍ୟକ୍ତିବିଶେଷଙ୍କ ପକ୍ଷରେ ସହଜ ନୁହେଁ। ଏହାଛଡ଼ା ଅଧ୍ୟକ୍ଷ ହୋଇଥିବା ସତ୍ତ୍ବେ ୧୧ ମାସ ହେଲା ଜିଲ୍ଲା ଯୋଜନା ବୋର୍ଡର କୌଣସି ବୈଠକରେ ତାଙ୍କୁ ଦେଖିବାକୁ ମିଳିନାହିଁ। ତେଣୁ ଚାପମୁକ୍ତ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରୁ ତାଙ୍କୁ ଅବ୍ୟାହତି ଦିଆଯାଇପାରେ। ତେବେ ଏହି ପଦ ଫାଙ୍କା ହେଲେ କାହାକୁ ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ, ସେ ନେଇ କଳ୍ପଜଳ୍ପନା ଆରମ୍ଭ ହୋଇଛି। ଦଳର ବରିଷ୍ଠ ନେତା ତଥା ମୋରଡ଼ା ବିଧାୟକ ରାଜକିଶୋର ଦାସ ଏହି ଦୌଡ଼ରେ ଆଗୁଆ ଥିବା ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ; ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଯୋଜନା ବୋର୍ଡ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା। ସେ ସମୟରେ ମୟୂରଭଞ୍ଜରୁ କାହାକୁ ଏହି ପଦରେ ନିଯୁକ୍ତି ଦିଆନଯାଇ ଜିଲ୍ଲା ବାହାରୁ ଅଶ୍ବିନୀ ପାତ୍ରଙ୍କୁ ଅବସ୍ଥାପିତ କରିଥିଲେ ରାଜ୍ୟ ସରକାର। ଏହାକୁ ନେଇ ସେତେବେଳେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଥିବା ବରିଷ୍ଠ ନେତା ସୁଦାମ ମାରାଣ୍ଡିଙ୍କ ଗୋଷ୍ଠୀ ଖପ୍ପା ହୋଇଥିଲେ। ତେବେ ସବୁଠୁ ଅଧିକ ଅସନ୍ତୋଷ ଝାଡ଼ିଥିଲେ ମୋରଡ଼ା ବିଧାୟକ ରାଜକିଶୋର ଦାସଙ୍କ ସମର୍ଥକ। କାରଣ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କୁ ଗତବର୍ଷ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିବା ବେଳେ ବରିଷ୍ଠ ରାଜକିଶୋରଙ୍କୁ ଅଣଦେଖା କରାଯାଇଥିଲା। ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବି ପୂରଣ ବେଳେ ବି ସେ ନିରାଶ ହୋଇଥିଲେ।
ନିକଟରେ ସୁଦାମଙ୍କୁ ମନ୍ତ୍ରିମଣ୍ଡଳରେ ପୁଣି ସ୍ଥାନ ମିଳିଛି। ସେ ବିଦ୍ୟାଳୟ ଓ ଗଣଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗ ପାଇଛନ୍ତି। ନିର୍ବାଚନ ପୂର୍ବରୁ ସୁଦାମଙ୍କ ମାନଭଞ୍ଜନ ହୋଇଥିବା ବେଳେ ରାଜକିଶୋରଙ୍କ ଭଳି ଟାଣୁଆ ନେତାଙ୍କୁ ବି ଦଳ ନିରାଶ କରିବାକୁ ଚାହିଁବନି। ତେଣୁ ଅଶ୍ବିନୀ ପଦ ଛାଡ଼ିଲେ ରାଜକିଶୋର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦ ପାଇଁ ସବୁଠୁ ବଡ଼ ଦାବିଦାର ବୋଲି କୁହାଯାଉଛି। ଏ ନେଇ କିଛି ଦିନ ତଳେ ଭୁବନେଶ୍ବରରେ ଶୀର୍ଷ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାଯାଇଛି।