କ୍ଷୁଦ୍ର ଜଳସେଚନ ପ୍ରଳଳ୍ପରୁ ବ୍ୟାପକ ମୋରମ ଚୋରା ଚାଲାଣ

କ୍ଷୁଦ୍ର ଜଳସେଚନ ବିଭାଗ, ତହସିଲ କର୍ତ୍ତୃପକ୍ଷ ଜାଣି ଅଜଣା

ପୁଲିସର ଚଢ଼ଉ: ପୋକଲିନ ଜବତ, ଚାଳକ ଓ ଖଲାସୀ ଗିରଫ
ମାଷ୍ଟର ମାଇଣ୍ଡ ଠିକାଦାର ଗଲେ କୁଆଡ଼େ?

ଚଣ୍ତିଖୋଲ : ଦର୍ପଣ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରୁ ବେଆଇନ୍ ଭାବେ ଲଘୁଖଣିଜ ସାମଗ୍ରୀ ବ୍ୟାପକ ଚୋରା ଚାଲାଣ ଚାଲିଛି। କେଉଁଠି ବିନା ଲିଜରେ ନଦୀଶଯ୍ୟାରୁ ବାଲି ଚାଲାଣ ହେଉଛି ତ ଆଉ କେଉଁଠି ଗୋଚର ଜମିରୁ ବହୁ ପରିମାଣର ମାଟି ଉଠୁଥିବା ଦେଖିବାକୁ ମିଳୁଛି। ସେହିପରି ବଡଚଣାର ପଶ୍ଚିମାଞ୍ଚଳର କେତେକ ସ୍ଥାନରେ ବେଆଇନ ଭାବେ ବ୍ୟାପକ ପରିମାଣର ମୋରମ ଖନନ କରାଯାଇ ଜିଲ୍ଲା ବାହାର ସମେତ ଧର୍ମଶାଳା ବ୍ଲକର ଏକ ସିମେଣ୍ଟ କା‌ରଖାନାକୁ ଚାଲାଣ ହେଉଛି। ଏହି କାରବାରରେ ମାଫିଆମାନେ ଲକ୍ଷଲକ୍ଷ ଟଙ୍କା ମୁନାଫା କରୁଥିବା ବେଳେ ସରକାର ରାଜସ୍ବ ହରାଉଛନ୍ତି।

ପ୍ରକାଶ ଯୋଗ୍ୟ କୋଲସାହି ନୂଆ କ୍ଷୁଦ୍ରଜଳସେଚନ ପ୍ରକଳ୍ପ ମଧ୍ୟରେ ଥିବା ଚଣ୍ତିତଳ ପଞ୍ଚାୟତର ବାଘୁଆ ଯୋରାବାଟି ମୌଜାରୁ ବେଆଇନ ମୋରମ ଚୋରା ଚାଲାଣ ହେଉଥିଲା। ଏନେଇ କୋଲସାହି ଗ୍ରାମବାସୀ ବିରୋଧ କରି ଦର୍ପଣ ତହସିଲଦାରଙ୍କୁ ଅବଗତ କରାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଥିଲେ। ଏହି ଅଭିଯୋଗକୁ ତହସିଲଦାର ଅତ୍ୟନ୍ତ ହାଲୁକା ଭାବେ ନେଇ ନିରବ ରହିଥିଲେ। ପୁଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ ଗ୍ରାମବାସୀ ଅଭିଯୋଗ କରିବା ପରେ ବଡଚଣା ପୁଲିସ ବେଆଇନ ମୋରମ ଖନନସ୍ଥଳରେ ପହ‌ଞ୍ଚି ଏକ ପୋକଲିନ ମେସିନ ଜବତ କରିବା ସହିତ ଚାଳକ ଓ ଖଲାସିକୁ ଗିରଫ କରିଥିଲେ। ଏବେ ସେଠାରେ ପୁଲିସ ମୁତୟନ ଥିବା ଦେଖିବାକୁ ମିଳିଛି।

ଅନ୍ୟ ଏକ ସୂଚନା ଅନୁଯାୟୀ କୋଲସାହି କ୍ଷୁଦ୍ର ଜଳସେଚନ ପ୍ରକଳ୍ପରୁ ଗତବର୍ଷ ଏପ୍ରିଲ ମାସରେ ମୋରମ ଚାଲାଣ ପାଇଁ ଠିକାଦାର ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ଆଣି କିଛିଦିନ ମୋରମ ବାହାର ଅଞ୍ଚଳକୁ ଚାଲାଣ କରୁଥିଲେ। ଲକଡାଉନ ଏବଂ ବନବିଭାଗର ଚଢ଼ଉ ଫଳରେ ମୋରମ ଚାଲାଣକୁ ବନ୍ଦ କରିଦିଆଯାଇଥିଲା। ପୁର୍ନବାର ଚଳିତ ମାସରେ ସେହି ଠିକାଦାର ପୁରୁଣା ଅନୁମତିକୁ ଆୟୁଧ କରିବେଆଇନ ମୋରମ ଚାଲାଣ କରିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ନେଇ କୋଲସାହି ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏ ନେଇ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଲକଡାଉନ ପୂର୍ବରୁ ସଂପୃକ୍ତ ଠିକାଦାର ଯେତିକି ପରିମାଣର ମୋରମ ଉତ୍ତୋଳନ କରିଥିଲେ ତାକୁ ତହସିଲରେ ହିସାବ ଦେଇ ଅର୍ଥପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏବେ ଯେଉଁ ମୋରମ ଖନନ ହେଉଛି ସେ ବିଷୟରେ କିଛି ଜାଣିନାହିଁ। ଏ ନେଇ ଥାନାରେ ଅଭିଯୋଗ କରିବୁ ବୋଲି କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ ମଣ୍ତଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ଏ ନେଇ ଦର୍ପଣ ତହସିଲଦାର କୁହନ୍ତି ଯେ ମୋରମ ଖନନ ସ୍ଥଳଟି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଯାଉଛି। ସେହି ବିଭାଗ ତାଙ୍କ ସ୍ଥାନରୁ କାହାକୁ ମୋରମ ଦେଉଛନ୍ତି ସେ ବିଷୟରେ ଜାଣିନାହାନ୍ତି । କାହାକୁ ମୋରମ ଖନନ କରିବା ଓ ଚାଲାଣ କରିବା ପାଇଁ ଅନୁମତି ଦିଆଯାଇନାହିଁ ବୋଲି ତହସିଲଦାର ବରଣ୍ୟେନ୍ଦୁ ମହାନ୍ତି କହିଛନ୍ତି। ତହସିଲ କାର୍ଯ୍ୟାଳୟ ନିକଟ ରାସ୍ତା ଦେଇ ଦୈନିକ ରାତିରେ ଶହଶହ ହାଇୱା ଗାଡି ମୋରମ ବୋଝେଇ ହୋଇ ବିନା ଟ୍ରାଞ୍ଜିଟ ପାସ୍ରେ‌ ଯାତାୟାତ କରୁଥିବା ବେଳେ ତହସିଲଦାର କିଭଳି ଜାଣିପାରୁ ନାହାନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଦର୍ପଣ ତହସିଲ ଅଞ୍ଚଳରେ ବିନା ଲିଜରେ ବ୍ୟାପକ ଭାବେ ଚାଲୁଥିବା ଲଘୁଖଣିଜ ଦ୍ରବ୍ୟର ଚୋରା କାରବାରକୁ ତୁରନ୍ତ ବନ୍ଦ କରିବାକୁ ବଡଚଣାବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର