ଚିନ୍ତା ବଢ଼ାଇଲା କରୋନା : ଏବେ ୧୦ ହଜାରରୁ ଅଧିକ ସକ୍ରିୟ ରୋଗୀ

ରାଜ୍ୟରେ କରୋନା ୩୦ ହଜାର ମୁହାଁ

ଗଞ୍ଜାମରେ ୧୦ ହଜାର ଛୁଇଁବ
୫ ମୃତ୍ୟୁ ସହ ସଂଖ୍ୟା ୧୫୯
ଦିନକରେ ୧୦୭୮ ଚିହ୍ନଟ, ୮୭୮ସୁସ୍ଥ

ଭୁବନେଶ୍ୱର : ରାଜ୍ୟ‌ରେ ପ୍ରଥମ ଥର ଲାଗି ୧୦ହଜାରରୁ ଅଧିକ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଗତ ୭ ଦିନ ଭିତରେ ୧୦୪୨୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ସଂକ୍ରମିତଙ୍କ ତୁଳନାରେ ସୁସ୍ଥ ହାର ହ୍ରାସ ପାଇଛି। ପୂର୍ବରୁ ରାଜ୍ୟରେ ସୁସ୍ଥ ହାର ପ୍ରାୟ ୭୦ ପ୍ରତିଶତ ରହୁଥିବା ବେଳେ ଏବେ ଏହା ୬୪ ପ୍ରତିଶତକୁ ଖସି ଆସିଛି। ଯାହାକି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ରାଜ୍ୟର ଆଗାମୀ ସ୍ଥିତି ୧୦,୦୪୧ ସକ୍ରିୟ କରୋନା ରୋଗୀଙ୍କ ସୁସ୍ଥ ହେବା ଉପରେ ନିର୍ଭର କରୁଛି।

ସ୍ବାସ୍ଥ୍ୟ ବିଭାଗର ମୁଖପାତ୍ର(ବୈଷୟିକ) ଡା. ଜୟନ୍ତ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ତୁଳନାରେ ପଜିଟିଭ୍ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ରହୁଛି। ଲଗାତାର କିଛିଦିନ ଧରି ଏଭଳି ଧାରା ରାଜ୍ୟରେ ଦେଖିବାକୁ ମିଳୁଛି। ଯାହାକି ଚିନ୍ତାର ବିଷୟ ବୋଲି ଡା.ପଣ୍ଡା କହିଛନ୍ତି। ରାଜ୍ୟରେ ୩୫ଟି କୋଭିଡ୍‌ ହସ୍ପିଟାଲ ଥିବା ବେଳେ ଏଥିରେ ୫୫୦୧ଟି ଶଯ୍ୟା ରହିଛି। ସେହିପରି ‌୧୭୮ କୋଭିଡ୍‌ କେୟାର କେନ୍ଦ୍ରରେ ୨୧୦୫୯ ଶଯ୍ୟା ରହିଛି। ସକ୍ରିୟ ରୋଗୀମାନଙ୍କୁ କୋଭିଡ୍‌ ହସ୍ପିଟାଲ ଓ କୋଭିଡ୍‌ କେୟାର କେନ୍ଦ୍ରରେ ଚିକିତ୍ସା କରାଯାଉଛି।

Onmanorama

ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଜିଲ୍ଲାରେ ୭ଶହରୁ ଅଧିକ ପଜିଟିଭ୍ ଚିହ୍ନଟ ହେଉଥିବା ବେଳେ ଲଗାତାର ଦୁଇ ଦିନ ଧରି ଜିଲ୍ଲାରେ ୫ଶହରୁ କମ୍ ରୋଗୀ ଚିହ୍ନଟ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ପରେ ପରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ବଢ଼ି ଚାଲିଛି। ଗଞ୍ଜାମରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୯୭୪୬ରେ ପହଞ୍ଚିଥିବା ବେଳେ ଖୋର୍ଧାରେ ୩୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଅନ୍ୟ ଜିଲ୍ଲା ତୁଳନାରେ ଯଥେଷ୍ଟ ଅଧିକ ରହିଛି। ରାଜ୍ୟର ୬ଟି ଜିଲ୍ଲାରେ ୧ ହଜାରରୁ ଅଧିକ କ‌ରୋନା ରୋଗୀ ଥିବା ବେଳେ ସୁସ୍ଥ ହାରରେ ଖୋର୍ଧା ଜିଲ୍ଲା ଅନ୍ୟ ଜିଲ୍ଲା ତୁଳନାରେ କମ୍ ରହିଛି।

ରାଜ୍ୟରେ ଆଜି ୬ଜଣଙ୍କ ମୃତ୍ୟୁ ସଂପର୍କରେ ସରକାରୀ ଭାବେ ଘୋଷଣା ହୋଇଛି। ଏଥିରେ ୫ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ୨ବର୍ଷର ଶିଶୁର ଅଣ କୋଭିଡ୍‌ ମୃତ୍ୟୁ ହୋଇଛି। କରୋନା ମୃତକଙ୍କ ମଧ୍ୟରେ ୩ଜଣ ମହିଳା ରୋଗୀ ରହିଛନ୍ତି। ଗଞ୍ଜାମ ଜିଲ୍ଲାର ୬୦ବର୍ଷର ମହିଳା ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ବେଳେ ମାଲକାନଗିରିର ୬୨ବର୍ଷର ମହିଳାଙ୍କ ମଧ୍ୟ ଉଚ୍ଚ ରକ୍ତଚାପ ରହିଥିଲା। ଏହାସହ ପୁରୀର ୫୫ବର୍ଷର ମହିଳା କୌଣସି ଜଟିଳ ରୋଗ ନ ଥାଇ ମଧ୍ୟ କରୋନାର ଶିକାର ହୋଇଛନ୍ତି। ଏହାବାଦ୍ ବାଲେଶ୍ବର ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ୪୬ବର୍ଷର ପୁରୁଷ, ଫୁଲବାଣୀର ୫୦ବର୍ଷର ପୁରୁଷ ଯକୃତ, ଜଣ୍ଡିସ୍ ଭଳି ରୋଗରେ ପୀଡ଼ିତ ଥିଲେ। ତେବେ ଭଦ୍ରକ ଜିଲ୍ଲାର ଜଣେ ୨ବର୍ଷର ଶିଶୁ ଜନ୍ମଗତ ହୃଦ୍‌ରୋଗରେ ପ୍ରାଣ ହରାଇଛି। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଥିବା ବେଳେ ଅଣ କୋଭିଡ୍‌ ମୃତ୍ୟୁ ୩୬ ଛୁଇଁଛି।

Times of India

ଗତ ୨୪ଘଣ୍ଟାରେ ରାଜ୍ୟରେ ୧୦୭୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୨୪୫, ଖୋର୍ଧା ୧୯୪, ସୁନ୍ଦରଗଡ଼ ୧୧୨, ଗଜପତି ୮୮, କୋରାପୁଟ ୬୬, କଟକ ୬୧, ନୟାଗଡ଼ ଓ ବାଲେଶ୍ବର ୨୯ଜଣ ଲେଖାଏଁ, ବଲାଙ୍ଗୀର ଓ ନବରଙ୍ଗପୁର ୨୬, ରାୟଗଡ଼ା ୨୪, ସମ୍ବଲପୁର ୨୧, ଅନୁଗୁଳ ଓ ମୟୂରଭଞ୍ଜ ୨୦ଜଣ ଲେଖାଏଁ, ପୁରୀ ୧୬, ଝାରସୁଗୁଡ଼ା ଓ ଯାଜପୁର ୧୨ ଜଣ ଲେଖାଏଁ, କଳାହାଣ୍ଡି ୧୯, ନୂଆପଡ଼ା ଓ କନ୍ଧମାଳରେ ୧୧ଜଣ ଲେଖାଏଁ, କେନ୍ଦ୍ରାପଡ଼ା ୮, ବରଗଡ଼ ୫, ଭଦ୍ରକ ୪, ଜଗତସିଂହପୁର ୩, ଦେବଗଡ଼ ଓ ସୋନପୁରରେ ୨ଜଣ ଲେଖାଏଁ, ଢେଙ୍କାନାଳ,ମାଲକାନାଗିରିରୁ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୬୬୨ଜଣ ସଙ୍ଗରୋଧ ଓ ୪୦୬ଜଣ ସ୍ଥାନୀୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୭୫ରେ ପହଞ୍ଚିଛି।

ଆଜି ରାଜ୍ୟରେ ୮୭୮ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗଞ୍ଜାମ ୩୯୬, ଖୋର୍ଧା ୧୧୪, ଗଜପତି ୪୯, ଜଗତସିଂହପୁର ୪୪, କୋରାପୁଟ ୩୫, ବାଲେଶ୍ବର ୩୩, କନ୍ଧମାଳ ୨୯, ଅନୁଗୁଳ ୨୬, କେନ୍ଦୁଝର ୨୩, ନୟାଗଡ଼ ୧୬, କଟକ ଓ ସୁନ୍ଦରଗଡ଼ ୧୪ଜଣ ଲେଖାଏଁ, ଭଦ୍ରକ ୧୩, ମାଲକାନାଗିରି ୧୧, ଯାଜପୁର ୧୦, କେନ୍ଦ୍ରାପଡ଼ା ୮, ବରଗଡ଼, ବୌଦ୍ଧ ଓ ଢେଙ୍କାନାଳରେ ୭ଜଣ ଲେଖାଏଁ, ଝାରସୁଗୁଡ଼ା ୫, ବଲାଙ୍ଗୀର ଓ ପୁରୀରେ ୪ଜଣ ଲେଖାଏଁ, ନୂଆପଡ଼ା ଓ ରାୟଗଡ଼ାରେ ୩ଜଣ ଲେଖାଏଁ, ମୟୂରଭଞ୍ଜ ୨ ଓ ସମ୍ବଲପୁରରେ ଜଣେ ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଏବେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୮୯୩୮ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର