ଶ୍ରମିକଙ୍କୁ ମହଙ୍ଗା ପଡ଼ୁଛି ଆଧାରକାର୍ଡ ସହ ପାସବୁକ୍‌ ଲିଙ୍କ: କୋଭିଡ୍‌ ସହାୟତାରୁ ବଞ୍ଚିତ ୧୧ଲକ୍ଷ ଶ୍ରମିକ

ଟଙ୍କା ପାଇଁ ଚିନ୍ତା ନକରି ଯଥାଶୀଘ୍ର ଲିଙ୍କ କରିବାକୁ ପରାମର୍ଶ ଦେଲେ ଶ୍ରମମନ୍ତ୍ରୀ

ଭୁବନେଶ୍ବର : ବ୍ୟାଙ୍କ ପାସବୁକ୍‌ ସହ ବାଧ୍ୟତାମୂଳକ ଆଧାରକାର୍ଡ ଲିଙ୍କ ଲକ୍ଷାଧିକ ଶ୍ରମିକଙ୍କ ପାଇଁ ମହଙ୍ଗା ପଡ଼ୁଛି। ସରକାରଙ୍କ ଏହି ନିୟମ ସଂପର୍କରେ ଅବଗତ ନଥିବାରୁ ଲକ୍ଷାଧିକ ଶ୍ରମିକ ଏବେ ସରକାରୀ କୋଭିଡ୍‌ ସହାୟତାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ସେହିପରି କିଛି ଶ୍ରମିକଙ୍କ ଆଧାରକାର୍ଡ ଓ ବ୍ୟାଙ୍କ ଆକାଉଣ୍ଟରେ ଥିବା ନାମର ବନାନରେ ତାଳମେଳ ରହୁନଥିବାରୁ ସେମାନେ ଚାହିଲେ ବି ସେମାନଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ହୋଇପାରୁନାହିଁ। ଶ୍ରମ ବିଭାଗର ସୂଚନା ଅନୁଯାୟୀ, ଏହି ସମସ୍ୟା ଯୋଗୁଁ ପ୍ରାୟ ୧୧ଲକ୍ଷ ୮୧ ହଜାର ୯୦୭ ଶ୍ରମିକ କୋଭିଡ୍‌ ସହାୟତାରୁ ବଞ୍ଚିତ ହୋଇଛନ୍ତି।

କାରୋନା ଓ ଲକଡାଉନ୍‌ ଯୋଗୁଁ ନିର୍ମାଣ ଶ୍ରମିକମାନେ ହାତ ବାନ୍ଧି ବସିଥିଲେ। ରୋଜଗାରର ଅନ୍ୟ କୌଣସି ଉତ୍ସ ନଥିବାରୁ ପରିବାର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଏହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ୧୫୦୦ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ଘୋଷଣା କରାଯାଇଥିଲା। ଏଥି ଅନ୍ତର୍ଗତରେ ୨୬ ଲକ୍ଷ ୮୫ହଜାର ଶ୍ରମିକଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ପଂଜୀକୃତ ନିର୍ମାଣ ଶ୍ରମିକ ଏବଂ ଇଟାଭାଟି ଶ୍ରମିକଙ୍କୁ ଟଙ୍କା ଦିଆଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୬ ଲକ୍ଷ ୪ ହଜାର ୨୨୯ ଲୋକଙ୍କୁ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ୫୧ ହଜାର ୬୯୧ ଶ୍ରମିକଙ୍କୁ ଟଙ୍କା ପ୍ରଦାନର ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୧୨ଲକ୍ଷ ୩୦ ହଜାର ୫୭୨ ଶ୍ରମିକଙ୍କ ଆଧାରକାର୍ଡ ସହ ବ୍ୟାଙ୍କ ପାସବୁକ୍‌ ଲିଙ୍କ‌‌ରେ ସମସ୍ୟା ଥିବାରୁ ସେମାନଙ୍କୁ ଟଙ୍କା ଦିଆଯାଇ ପାରିନଥିଲା। ସେଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୮ ହଜାର ୬୬୫ଜଣ ଶ୍ରମିକ ଲିଙ୍କ କରି ସାରିଛନ୍ତି।

କିନ୍ତୁ ଏବେ ବି ଲକ୍ଷାଧିକ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ଲିଙ୍କ ହୋଇପାରିନ ଥିବାରୁ ସେମାନେ ଏହି ସରକାରୀ ସହାୟତାରୁ ବଞ୍ଚିତ ଅଛନ୍ତି। ଏହାକୁ ନେଇ ଶ୍ରମିକମାନେ କହିଛନ୍ତି, ଆଧାର କାର୍ଡ ଏବଂ ବ୍ୟାଙ୍କ ପାସବୁକ୍‌ରେ ନାମର ବନାନ ଅଲଗା ଥିବାରୁ ଲିଙ୍କ କରିବାରେ ଅସୁବିଧା ହେଉଛି। ଅନେକ ଶ୍ରମିକ ଲିଙ୍କ ପ୍ରକ୍ରିୟା ସମ୍ପର୍କରେ ଅବଗତ ନାହାନ୍ତି। ଏଭଳି ସ୍ଥିତିରେ ସେମାନେ କ’ଣ କରିବେ, ବୁଝି ପାରୁନାହାନ୍ତି। କୋଭିଡ୍‌ ତାଙ୍କ ଜୀବିକା ନେଲା, ବର୍ତ୍ତମାନ ଜଟିଳ ପ୍ରଶାସନିକ ପ୍ରକ୍ରିୟା ସାଧାରଣ ସହାୟତାରୁ ବଞ୍ଚିତ କରୁଛି। ସାମାଜିକ କାର୍ଯ୍ୟକର୍ତ୍ତା ଉମି ଡାନିଏଲ କହିଛନ୍ତି, ଆଧାର ଲିଙ୍କ ବାଧ୍ୟତା ଯୋଗୁଁ ପ୍ରବାସୀ ଇଟାଭାଟି ଶ୍ରମିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନେ ବାହାରେ ରହି ଯାଉଥିବାରୁ ଲିଙ୍କ କରିପାରୁ ନାହାନ୍ତି। ଏଣେ ଅନେକ କାର୍ଯ୍ୟ ପାଇଁ ବାହାରକୁ ଚାଲି ଗଲେଣି।

ଏସଂପର୍କରେ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, କୋଭିଡ୍‌ ସହାୟତା ପ୍ରଦାନର କୌଣସି ସମୟସୀମା ନାହିଁ। ଶ୍ରମିକମାନେ ଯେବେ ମଧ୍ୟ ଆଧାର କାର୍ଡ ସହିତ ପାସବୁକ ଲିଙ୍କ କରାଇଦେବେ, ତାଙ୍କୁ ଟଙ୍କା ମିଳିଯିବ। ଆଧାରକାର୍ଡ ଏବଂ ପାସବୁକ୍‌ ଲିଙ୍କ ସବୁ କାର୍ଯ୍ୟ‌‌‌‌ରେ ବ୍ୟବହାରରେ ଆସିଥାଏ। ତେଣୁ ଶ୍ରମିକମାନେ ଏଥିପ୍ରତି ଗୁରୁତ୍ବ ଦେବା ଉଚିତ।

ସମ୍ବନ୍ଧିତ ଖବର