ଲକ୍‌ଡାଉନ୍‌ ପରେ ବି ବସ୍‌ ଚଳାଚଳ ନେଇ ଅନିଶ୍ଚିତତା: ଅଫ୍‌ ରୋଡ ହେଲା ୧୪ ହଜାର ବସ୍‌

ଭୁବନେଶ୍ବର : ତାଲାବନ୍ଦ କୋହଳ କିମ୍ବା ପ୍ରତ୍ୟାହାର ହେବା ପରେ ବି ବସ ଚଳାଚଳ ସ୍ବଭାବିକ ହେବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଜୁନ୍‌ ମାସ ଠାରୁ ରାଜ୍ୟରେ ଚଳାଚଳ କରୁଥିବା ୧୪ ହଜାରରୁ ଊର୍ଧ୍ବ ବସ ଅଫ ଦି ରୋଡ କରାଯାଇଥିବା ଘୋଷଣା କରିଛି ଓଡ଼ିଶା ବସ ମାଲିକ ସଂଘ। ଲକ୍‌ଡାଉନ କୋହଳ ପୂର୍ବରୁ ୪ ଦଫା ଦାବି ପୂରଣ କରାଗଲେ ଗାଡ଼ି ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ସଂଘ ଆବାହକ ଦେବାଶିଷ ନାୟକ।

ଦାବି ଗୁଡ଼ିକ ମଧ୍ୟରେ ସରକାରଙ୍କ ପକ୍ଷରୁ ବସ ମାଲିକଙ୍କ ପାଇଁ ଜୁନ୍‌ରୁ ଅଗଷ୍ଟ ୩ ମାସ ପର୍ଯ୍ୟନ୍ତ ଟିକସ ଛାଡ଼, ବ୍ୟାଙ୍କ ଇଏମଆଇ ଏବଂ ସୁଧକୁ ୬ ମାସ ପାଇଁ ସ୍ଥଗିତ କରିବା, ବୀମା ଅବଧି ୬ ମାସ ପାଇଁ ବୃଦ୍ଧି, ବସ୍‌ ମାଲିକ, କର୍ମଚାରୀଙ୍କ ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ଆଦି ରହିଛି। ଏଥିସଂକ୍ରାନ୍ତରେ ଦାବିପତ୍ର ପ୍ରଧାନମନ୍ତ୍ରୀ, କେନ୍ଦ୍ର ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।

ସଂଘ କହିଛି, ରାଜ୍ୟରେ ୧୪ ହଜାରରୁ ଊର୍ଧ୍ବ ବସ ଚଳାଚଳ କରେ। ୨୦୨୦ ପରେ ଚଳିତ ବର୍ଷର ଦ୍ବିତୀୟ ଲହରରେ କରୋନା ସହିତ ଲକ୍‌ଡାଉନ, ସଟ୍‌ଡାଉନ ବସ୍‌ ବ୍ୟବସାୟକୁ ଧକ୍କା ଦେଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏପ୍ରିଲ, ମେ’ ମାସରେ ଏମଭି ଟିକସକୁ ଛାଡ଼ କରିଛନ୍ତି। ବର୍ତ୍ତମାନ କରୋନା ସଂକ୍ରମଣ ଯେଉଁ ସ୍ଥିତିରେ ରହିଛି ଏହା କେବେ ସ୍ବାଭାବିକ ହେବ ଏହାକୁ ନେଇ ନିଶ୍ଚିତ କୁହାଯାଇ ପାରିବ ନାହିଁ। ଲକ୍‌ଡାଉନ କୋହଳ କିମ୍ବା ପ୍ରତ୍ୟାହାର ହେବା ପରେ ମଧ୍ୟ କରୋନା ଯୋଗୁଁ ବସରେ ଯାତ୍ରୀ ହେବା ନେଇ କୌଣସି ନିଶ୍ଚିତତା ନାହିଁ। ଡିଜେଲ ଦର ମାତ୍ରାଧିକ ବୃଦ୍ଧି ହେବା ଯୋଗୁଁ ବସ ଚଳାଚଳରେ ଖର୍ଚର ପରିମାଣ ଅଧିକ। ଏଥିଯୋଗୁଁ ଆୟର କୌଣସି ନିଶ୍ଚିତତା ନାହିଁ। ବସ୍‌ ମାଲିକ ବସ୍‌ ଚଳାଚଳ ଜାରି ରଖିଲେ ଦୈନିକ ସେମାନେ ୧୦ ହଜାର ଟଙ୍କା କ୍ଷତି ସହିବା ନିଶ୍ଚିତ। ଲକ୍‌ଡାଉନ କୋହଳ ହେବା ପରେ ଅନେକ ଯାତ୍ରୀ ବସ୍‌ ପାଇଁ ଆଶା କରି ନପାଇଲେ ହଇରାଣ ହୋଇ ପାରନ୍ତି। ପୂର୍ବରୁ ଏହି ଘୋଷଣା କରାଯାଉଥିବା କହିଛି ସଂଘ।

ସମ୍ବନ୍ଧିତ ଖବର