ପୁରୀ : ୨୦୧୨ ମସିହାରେ କଣାସ ବ୍ଲକ୍ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁର ମାନସ ବଳିଆରସିଂହ ହତ୍ୟାକାଣ୍ଡ ମାମଲାରେ ସୋମବାର ଦିନ ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସମସ୍ତ ୨୦ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ରହିଛି। ଜରିମାନା ଅନାଦେୟ ଅଧିକ ୪ ମାସ ସଶ୍ରମ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ଦଣ୍ଡାଦେଶ ପୁରୀରେ ପ୍ରଥମଥର ହୋଇଥିବା ବେଳେ ସାରାଓଡ଼ିଶାରେ ମଧ୍ୟ ଏକକାଳୀନ ୨୦ ଜଣଙ୍କୁ ସଶ୍ରମ କାରାଦଣ୍ଡାଦେଶ କେବେ ହୋଇନଥିବା ଜଣାପଡ଼ିଛି।
କାରାଦଣ୍ଡାଦେଶ ପାଇଥିବା ଆସାମୀମାନେ ହେଲେ; ସୁବ୍ରତ ନାୟକ (୩୪), ବିଶ୍ବନାଥ ବଳିଆରସିଂହ(୬୬), ରାମକୃଷ୍ଣ ବଳିଆରସିଂହ(୪୭), ବିଚିତ୍ରାନନ୍ଦ ବଳିଆରସିଂହ(୪୫), ଶରତ ଚନ୍ଦ୍ର ନାୟକ(୪୨), ପ୍ରଶାନ୍ତ କୁମାର ନାୟକ(୩୨), ବିଶ୍ବଜିତ ନାୟକ(୨୯), ସଂଗ୍ରାମ କେଶରୀ ନାୟକ(୪୪), ଲେଲିନ କୁମାର ବଳିଆରସିଂହ(୩୦), ନରେନ୍ଦ୍ର କୁମାର ବଳିଆରସିଂହ(୩୭), ସୁକାନ୍ତ ପ୍ରଧାନ(୪୫), କ୍ଷୀରୋଦ କୁମାର ନାୟକ(୫୧), କବିରାଜ ନାୟକ(୬୪), ଯୁଧିଷ୍ଠିର ନାୟକ(୭୦), ଗୁଣନିଧି ବଳିଆରସିଂହ(୫୮), ପ୍ରମୋଦ କୁମାର ସ୍ବାଇଁ(୫୩), ମହେଶ୍ବର ନାୟକ(୬୪) ଓ ସୁଜିତ ନାୟକ(୨୯) ଶରତ ନାୟକ(୫୮) ଏବଂ ମନୋରଞ୍ଜନ ନାୟକ(୫୪)। ଏହି ମାମଲାରେ ସମ୍ପୃକ୍ତ ଅନ୍ୟତମ ଅଭିଯୁକ୍ତ ସତ୍ୟନାରାୟଣ ପଟ୍ଟନାୟକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଜଣେ ଫେରାର ଅଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜକିଶୋର ଲେଙ୍କା ୨୪ ଜଣ ସାକ୍ଷୀଙ୍କ ବୟାନ, ଅନ୍ୟ ପାରିପାର୍ଶ୍ବିକ ତଥ୍ୟ ଆଧାରରେ ୨୦ ଜଣ ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିପରି, ଘଟଣା ଦିନ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିବା ଭରତ ବଳିଆରସିଂହଙ୍କୁ ୨ ଲକ୍ଷ ଟଙ୍କା, ମୃତକ ମାନସ ବଳିଆରସିଂହଙ୍କ ପତ୍ନୀ ଭାରତୀ ବଳିଆରସିଂହଙ୍କୁ ୩ ଲକ୍ଷ ଟଙ୍କା ଏବଂ ମାନସଙ୍କ ବାପା ଆର୍ତ୍ତତ୍ରାଣ ବଳିଆରସିଂହଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ସତ୍ୟନାରାୟଣ ତ୍ରିପାଠୀ ଓ ଦେବାଶିଷ ପଣ୍ଡା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ, କଣାସ ବ୍ଲକ୍ ଅନ୍ତର୍ଗତ ଚଣ୍ଡପଡ଼ାର ବଳଜିତପୁର ଗାଁର ସରକାରୀ ଜମିରେ ଏକ ଚାକୁଣ୍ଡା ଗଛ ଥିଲା। ଏହି ଗଛଟିକୁ ଗ୍ରାମବାସୀ କାଟିଦେବାପାଇଁ ଚାହୁଁଥିବା ବେଳେ ସେହି ଗାଁର ମାନସ ବଳିଆରସିଂହ ଏହି ଗଛ କଟାଯିବାକୁ ବିରୋଧ କରିଥିଲେ। ଏନେଇ ସେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ। ଏହି କାରଣକୁ ନେଇ ମାନସ ଗ୍ରାମବାସୀଙ୍କ ଶତ୍ରୁ ପାଲଟିଯାଇଥିଲେ। ଫଳରେ, ତ ୨୦୧୨ ମସିହା ସେପ୍ଟେମ୍ବର ମାସ ୧୨ ତାରିଖ ପୂର୍ବାହ୍ନ ୬ଟା ସମୟରେ ତାଙ୍କୁ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ କଣାସ ଥାନାରେ ପୁଲିସ ୭୪/୨୦୧୨ ନମ୍ବରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତମାନେ ଗିରଫ ନହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜାମିନ ପାଇଯାଇଥିଲେ। ଏହାପରେ ଗତ ୨୦୧୩ ମସିହା ମେ ମାସ ୧୯ ତାରିଖ ଦିନ ତଦନ୍ତକାରୀ ଅଧିକାରୀ ଏହି ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ୍ ଦଫା ୩୦୨, ୩୫୪, ୧୧୪, ୧୪୭, ୧୪୯, ୧୪୮ ଧାରାରେ ଦାଖଲ କରିଥିଲେ। ଗତ ୨୦୧୬ ମସିହା ନଭେମ୍ବର ମାସ ୨୪ ତାରିଖ ଦିନ ଅଭିଯୁକ୍ତମାନଙ୍କ ନାମରେ ଚାର୍ଜଫ୍ରେମ୍ ହୋଇଥିଲା। ଗତ ମାସ ୨୩ ତାରିଖ ଦିନ ପୁରୀ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାମଲାର ଚୂଡ଼ାନ୍ତ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/puri-accu.jpg)