ୟୁଏଇରୁ ଫେରିଲେ ୨୧୬ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ‘ବନ୍ଦେ ଭାରତ ମିସନ୍‌’ରେ ଆଜି ୟୁନାଇଟେଡ୍‌ ଆରବ ଏମିରେଟ୍‌ସ୍‌(ୟୁଏଇ)ରେ ଫସି ରହିଥିବା ୨୧୬ଜଣ ପ୍ରବାସୀ ଓଡ଼ିଆ (ଅଧିକାଂଶ ଶ୍ରମିକ) ଓଡ଼ିଶା ଫେରିଛନ୍ତି। ସାରଜା ବିମାନବନ୍ଦରରୁ ସ୍ଥାନୀୟ ସମୟ ଅନୁଯାୟୀ, ସକାଳ ୮ଟାରେ ବାହାରିଥିବା ଏୟାର ଆରବିୟା ବିମାନ ଜି୯-୬୪୫ ଭୁବନେଶ୍ବର ବିମାନବନ୍ଦରରେ ଅପରାହ୍‌ଣ ୨ଟା ୭ରେ ଅବତରଣ କରିଥିଲା। ଏଥିରେ ଆସିଥିବା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ଓହ୍ଲାଇବା ପରେ ବିମାନଟିକୁ ସଂପୂର୍ଣ୍ଣ ବିଶୋଧନ କରାଯାଇଥିଲା। ପରେ ବିମାନଟି ଅପରାହ୍‌ଣ ୩ଟା ୮ରେ ସାରଜା ଅଭିମୁଖେ ଉଡ଼ାଣ କରିଥିଲା। ଯାତ୍ରୀମାନେ ବିମାନରୁ ଓହ୍ଲାଇବା ପରେ ସେମାନଙ୍କର ନାମ ପଞ୍ଜୀକରଣ କରିବା ସହ ଥର୍ମାଲ୍‌ ସ୍କ୍ରିନିଂ କରାଯାଇଥିଲା। ଏହାପରେ ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଇ ସେମାନଙ୍କୁ ଜିଲ୍ଲାକୁ ପଠାଯାଇଥିଲା। ସୂଚନାଯୋଗ୍ୟ, ୟୁଏଇସ୍ଥିତ ଓଡ଼ିଆ ସମାଜର ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ପ୍ରୟାସରେ ଏହି ପ୍ରବାସୀ ଓଡ଼ିଆମାନେ ଓଡ଼ିଶା ଫେରିଛନ୍ତି। ଆଜି ଏୟାର ଆରବିୟା‌ ବିମାନରେ ପାଇଲଟ୍‌ ଥିବା ଓଡ଼ିଆ ଝିଅ ମଧୁସ୍ମିତା ପଟ୍ଟନାୟକ ଏହି ବିମାନକୁ ଉଡ଼ାଣ କରି ଆଣିଥିଲେ।

ସମ୍ବନ୍ଧିତ ଖବର