ରାଜ୍ୟରେ ୨୬ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଚିହ୍ନଟ; କ୍ୟାପିଟାଲ ହସ୍ପିଟାଲରେ ୨୪, ଏସ୍‌ସିବିରେ ୨

ଆରଏମ୍‌ଆର୍‌ସିକୁ ଯାଇଥିଲା ୩୬ ଆକ୍ରାନ୍ତଙ୍କ ନମୁନା
ବର୍ତ୍ତମାନସୁଦ୍ଧା ୪ ଜିଲ୍ଲାରୁ ବାହାରିଛନ୍ତି ଆକ୍ରାନ୍ତ ଶିଶୁ

ଭୁବନେଶ୍ୱର : ରାଜ୍ୟରେ ହ୍ୟାଣ୍ଡ, ଫୁଟ୍ ଓ ମାଉଥ ଡିଜିଜ୍ ବା ଏଚ୍‌ଏଫ୍‌ଏମ୍‌ଡି ରୋଗ ଥିବା ସରକାରୀଭାବେ ସ୍ପଷ୍ଟ ହୋଇଛି। ଆରଏମ୍‌ଆରସିକୁ ପଠାଯାଇଥିବା ୩୬ଟି ନମୁନାରୁ ୨୬ଜଣ ଶିଶୁ ଏହି ରୋଗରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତହିଁରେ କ୍ୟାପିଟାଲ ହସ୍ପିଟାଲରୁ ୨୪ ଓ ଏସ୍‌ସିବି ମେଡିକାଲ କଲେଜରୁ ୨ଜଣ ଅଛନ୍ତି। ମାତ୍ର ଏସବୁ ଆକ୍ରାନ୍ତ ଦେଶବ୍ୟାପୀ ଚର୍ଚା ହେଉଥିବା ଟମାଟୋ ଫ୍ଲୁ ସହିତ କୌଣସି ସଂପର୍କ ନ ଥିବା କୁହାଯାଇଛି।

ରାଜ୍ୟର କିଛି ଜିଲ୍ଲାରେ ଏଚ୍‌ଏଫ୍‌ଏମ୍‌ଡିରେ ଆକ୍ରାନ୍ତ ଥିବା ଶିଶୁ ରହିଥିବା ବିଭିନ୍ନ ହସ୍ପିଟାଲରୁ ସୂଚନା ମିଳିଥିଲା। କୋଭିଡ ପରବର୍ତୀ ସମୟରେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢ଼ିଥିବା ଅନେକ ଡାକ୍ତର ଦାବି କରିଥିଲେ। ବିଶେଷକରି କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ୫/୬ଜଣ ଏଭଳି ଆକ୍ରାନ୍ତ ଚିକିତ୍ସା ପାଇଁ ଆସୁଥିବା ନେଇ ସୂଚନା ମିଳିବା ପରେ ସ୍ବାସ୍ଥ୍ୟ ବିଭାଗ ଏଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଟମାଟୋ ଫ୍ଲୁ ସହିତ ଏସବୁ ଆକ୍ରାନ୍ତ ଶିଶୁଙ୍କ ପ୍ରକୃତରେ କ’ଣ ସାମଞ୍ଜସ୍ୟ ରହିଛି ତାହାର ସ୍ପଷ୍ଟ ସୂଚନା ପାଇଁ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କିଛି ବିଶେଷଜ୍ଞମାନଙ୍କ ମତାମତ ଲୋଡ଼ିଥିଲା ବିଭାଗ। ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକ ବସିବା ପରେ ଏଚ୍‌ଏଫ୍‌ଏମ୍‌ଡି ସନ୍ଦିଗ୍ଧଙ୍କ ଆକ୍ରାନ୍ତଙ୍କ ସ୍ବାବ୍, ମଳ କିମ୍ବା ଫୋଟକା ସ୍ଥାନର ପାଣି/ଖୋଳପାକୁ ଆରଏମ୍‌ଆରସିକୁ ପଠାଇବାକୁ ନିର୍ଦେଶ ଦିଆଯାଇଥିଲା। ଯାହାଫଳରେ ରାଜ୍ୟର କେଉଁ କେଉଁ ଜିଲ୍ଲାରେ ଓ ଏହି ରୋଗ କିଭଳି ବିସ୍ତାର କରିଛି ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ ରହିଥିଲା।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଚିହ୍ନଟ ହୋଇଥିବା ୨୬ ଆକ୍ରାନ୍ତ କଟକ, ଖୋର୍ଧା, ପୁରୀ ଓ ଭୁବନେଶ୍ବରରୁ ରହିଛନ୍ତି। ସେମାନଙ୍କ ବୟସ ୯ମାସରୁ ୯ବର୍ଷ ଭିତରେ ରହିଛି। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ କୌଣସି ସୂଚନା ମିଳିପାରି ନାହିଁ। ଆରଏମ୍‌ଆରସିର ନିର୍ଦେଶିକା ଡା.ସଂଘମିତ୍ରା ପତି କହିଛନ୍ତି, ଯେଉଁ ନମୁନା ଆସିଥିଲା ତହିଁରୁ ଏଚ୍‌ଏଫ୍‌ଏମ୍‌ଡି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାହା ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଟମାଟୋ ଫ୍ଲୁକୁ ନେଇ ଯେଉଁ ଚର୍ଚା ହେଉଛି, ବିଜ୍ଞାନ ଦୃଷ୍ଟିରୁ ଏଥିରେ କୌଣସି ନିର୍ଦ୍ଦିଷ୍ଟ ରୋଗ ନାହିଁ ବୋଲି ଡା.ପତି କହିଛନ୍ତି। କେରଳ, କର୍ଣ୍ଣାଟକ ସମେତ କିଛି ରାଜ୍ୟରେ ଛୋଟ ପିଲାଙ୍କ ଦେହରେ ନାଲି ରଂଗର ଫୋଟକାକୁ ନେଇ ଦେଶବ୍ୟାପୀ ଟମାଟୋ ଫ୍ଲୁ ବୋଲି ଚର୍ଚା ହୋଇଥିଲା। ମାତ୍ର ବୈଜ୍ଞାନିକ ଦୃଷ୍ଟିକୋଣରୁ ଟମାଟୋ ଫ୍ଲୁ ବୋଲି କୌଣସି ରୋଗ ନ ଥିବା ବେଳେ ଏହା ଏକ ନୂଆ ‌ଧରଣର ରୋଗ ବୋଲି ଅନେକ ସନ୍ଦେହ କରୁଛନ୍ତି। ଯଦିଓ ଓଡ଼ିଶାରେ ଟମାଟୋ ଫ୍ଲୁରେ କୌଣସି ଶିଶୁ ଆକ୍ରାନ୍ତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର