ରାଜ୍ୟରେ ଆଉ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ

କୋଭିଡ୍ ସଂକ୍ରମଣ ୧୦ ଦିନରେ ୧୦ ଗୁଣା, ଦିନକରେ ୧୨୧୬ ପଜିଟିଭ୍, ୨ ମୃତ

ଭୁବନେଶ୍ବର : ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବୁଧବାର ଦିନ ରେକର୍ଡ ସଂଖ୍ୟକ ୨୪ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୫ ବିଦେଶ ଫେରନ୍ତା ଥିବା ବେଳେ ଅନ୍ୟ ୧୯ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି। ଏହା ପୂର୍ବରୁ ଗତ ୨ତାରିଖରେ ୨୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ବର୍ତମାନ ସୁଦ୍ଧା ରାଜ୍ୟରେ ମୋଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି। ଲଗାତାର ଭାବେ ବିଦେଶ ଫେରନ୍ତାଙ୍କ ତୁଳନାରେ ଅଧିକ ସଂଖ୍ୟକ ସ୍ଥାନୀୟ ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ ହେବା ରାଜ୍ୟ ପାଇଁ ବଡ଼ ଆହ୍ବାନ ଆଣିଛି। ଆଗକୁ କରୋନା ସ୍ଥିତି ବିସ୍ଫୋରକ ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ରଙ୍କ ସୂଚନା ଅନୁସାରେ, ଚିହ୍ନଟ ୨୪ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ଜଣ ରାଜ୍ୟରେ ଥିବା ବେଳେ ଜଣେ ତାମିଲନାଡ଼ୁ ବାସିନ୍ଦା ରହିଛନ୍ତି। ୧୮ଜଣ ପୁରୁଷ ଥିବା ବେଳେ ୬ଜଣ ମହିଳା ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ବୟସ ୧୯-୬୫ବର୍ଷ ଭିତରେ ରହିଛି। ଏଥିରେ ବାଲେଶ୍ବରରୁ ସର୍ବାଧିକ୬ଜଣ ଥିବା ବେଳେ ସମ୍ବଲପୁର, ନବରଙ୍ଗପୁର, ପୁରୀ, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଜଗତସିଂହପୁର ଜିଲ୍ଲାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ତେବେ ସେମାନଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଟ୍ରାକିଂ ଶେଷ ହୋଇନାହିଁ। ତେବେ ସୀମାନ୍ତ ଜିଲ୍ଲା ରାଜ୍ୟ ପାଇଁ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ଟିକା ନେଇଥିଲେ ମଧ୍ୟ ଲୋକମାନେ ମାସ୍କ ଓ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ ବୋଲି ଡା.ମହାପାତ୍ର ନିବେଦନ କରିଛନ୍ତି।

India Today

ଗତମାସ ୨୧ତାରିଖରେ ରାଜ୍ୟରେ ୨ଜଣ ଓମିକ୍ରନ୍‌ରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଆରମ୍ଭରୁ କେବଳ ବିଦେଶ ଫେରନ୍ତା ଓମିକ୍ରନ୍‌ରେ ଚିହ୍ନଟ ‌ହେଉଥିବା ବେଳେ ପରବର୍ତୀ ସମୟରେ ସ୍ଥାନୀୟ ଲୋକ ମଧ୍ୟ ଏଥିରେ ଆକ୍ରାନ୍ତ ଥିବା ଜିନୋମ୍ ସିକ୍ବେନ୍ସିଂରେ ସ୍ପଷ୍ଟ ହୋଇଥିଲା। ଏବେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ଅପରପକ୍ଷରେ ରାଜ୍ୟର ୩ ଓମିକ୍ରନ୍ ଆକ୍ରାନ୍ତ ୧୪ଦିନ ପରେ ସୁସ୍ଥ ହୋଇଛନ୍ତି। ସୁସ୍ଥ ବ୍ୟକ୍ତିଙ୍କ ଭିତରେ ମା’ ଓ ୨ ଝିଅ ରହିଥିବା ସମ୍ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୨ହଜାରରୁ ଅଧିକ ବିଦେଶ ଫେରନ୍ତା ଘରକୁ ଫେରିଥିବା ସୂଚନା ମିଳିଛି। ତହିଁରୁ କେତେ ପ୍ରତିଶତ ବିଦେଶ ଫେରନ୍ତାଙ୍କ ନମୁନା ପରୀକ୍ଷା କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

ଅପରପକ୍ଷରେ ରାଜ୍ୟରେ ଓମିକ୍ରନ୍ ଜନିତ ତୃତୀୟ ଲହର ଆରମ୍ଭ ହୋଇଯାଇଛି। ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟାରେ ୭୮ ପ୍ରତିଶତ ବୃଦ୍ଧି ଘଟିଛି। ଦିନକରେ ୧୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୦-୧୮ବର୍ଷର ୧୮୭ଜଣ କିଶୋର ରହିଛନ୍ତି। ଯାହାକି ଗତ ୩ତାରିଖ ତୁଳନାରେ ପ୍ରାୟ ୨ଗୁଣ। କେବଳ କନ୍ଧମାଳ, ମାଲକାନଗିରିକୁ ବାଦ୍ ଦେଲେ ୨୮ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ବାହାରିଛନ୍ତି। ଯାହାଫଳରେ ରାଜ୍ୟର କରୋନା ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି।

ରାଜ୍ୟର ୫ଟି ଜିଲ୍ଲାରେ କରୋନା ଭୂତାଣରୁ ରିପ୍ରଡକସନ୍ ବା ‘ଆର୍’ ଭ୍ୟାଲୁ ୧ ଉପରେ ରହିଥିବାରୁ ଏସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ଘଣ୍ଟାରେ ୬୮,୮୭୮ ନମୁନା ପରୀକ୍ଷା ହୋଇଥିଲା ତହିଁରେ ସଂକ୍ରମଣ ହାର ରହିଛି ୧.୭୭ ପ୍ରତିଶତ। ଖୋର୍ଧାରୁ ସର୍ବାଧିକ ୪୫୬ଜଣ ଚିହ୍ନଟ ହୋଇଛନ୍ତି। ଦିନକରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟାରେ ୭୩ ପ୍ରତିଶତ ବୃଦ୍ଧି ହୋଇଛି। ଏହାବାଦ୍ ସୁନ୍ଦରଗଡ଼ ୧୬୬, ସମ୍ବଲପୁର ୯୯, କଟକ ୮୦, ଯାଜପୁର ୪୭, ମୟୂରଭଞ୍ଜ ୪୦, ଝାରସୁଗୁଡ଼ା ୩୩, ପୁରୀ ୩୦, କେନ୍ଦୁଝର ୨୫, ବରଗଡ଼ ୨୧ ଓ ଷ୍ଟେଟ୍‌ ପୁଲରୁ ୧୧୦ଜଣଙ୍କୁ ଚିହ୍ନଟ କରାଯାଇଛି।

Newsweek

ବରିଷ୍ଠ ଚିକିତ୍ସକ ଡା.ତ୍ରିଭୁବନ ମହାପାତ୍ର କହିଛନ୍ତି, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିଲେ ମଧ୍ୟ ଏବେ ବି ଡେଲ୍‌ଟା ପ୍ରଜାତି ଯାଇନାହିଁ। ତେଣୁ ଲୋକମାନଙ୍କୁ ଉଭୟ ଡେଲ୍‌ଟା ଓ ଓମିକ୍ରନ୍ ପ୍ରତି ସତର୍କ ରହିବାକୁ ଜରୁରୀ। ଯଦି କୌଣସି ବ୍ୟକ୍ତି ଏହି ଦୁଇ ପ୍ରଜାତି ବା ଡେଲ୍‌ମିକ୍ରନ୍ ଦ୍ବାରା ଏକକାଳୀନ ଆକ୍ରାନ୍ତ ହୋଇଯାନ୍ତି ତାହାଲେ ବଡ଼ ସମସ୍ୟା ସୃଷ୍ଟି କରିବ। ବିଶେଷକରି ବୟସ୍କ ଓ ଜଟିଳ ରୋଗ ଥିବା ବ୍ୟକ୍ତିମାନେ ଏବେ ବି ବିପଦମୁକ୍ତ ନୁହନ୍ତି। ତେଣୁ ମାସ୍କ ସହିତ ସାମାଜିକ ଦୂରତା ଓ ଟିକାକରଣକୁ ବଢ଼ାଇବାକୁ ପଡ଼ିବ। ଏହାସହ ଏବେ ଆସିଥିବା ମଲନୁପିରାଭିର ଔଷଧ ମଧ୍ୟ ହସ୍ପିଟାଲରେ ଭର୍ତିକୁ ଦୂରେଇ ପାରିବ। ଜଣେ ବ୍ୟକ୍ତି ସଂକ୍ରମିତ ହେବାର ପ୍ରାରମ୍ଭିକ ୩ଦିନ ଭିତରେ ଏହି ଔଷଧ ଖାଇଲେ ବେଶ୍‌ ଫଳପ୍ରଦ ହେବ।
ସେ ଆହୁରିମଧ୍ୟ କହିଛନ୍ତି ଯେ ଓମିକ୍ରନ୍ ଯୋଗୁଁ ସଂକ୍ରମଣ ଦ୍ରୁତ ଗତିରେ ହେଉଥିବାରୁ ସଂକ୍ରମଣ ଶୀର୍ଷକୁ ଛୁଇଁବାର ୩ ସପ୍ତାହ ଭିତରେ ଏହା ହ୍ରାସ ପାଇବ। ତେଣୁ ଚଳିତବର୍ଷ ଶେଷସୁଦ୍ଧା କରୋନା ଏଣ୍ଡେମିକ୍ ସ୍ଥିତିକୁ ଆସିଯାଇଥିବ। ତେଣୁ ଏବେ ଲୋକମାନଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି ଡା.ମହାପାତ୍ର କହିଛନ୍ତି।

ରାଜ୍ୟରେ ଆଉ ୨ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସରକାରୀ ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ ‌ସମୁଦାୟ କରୋନା ମୃତ୍ୟୁସଂଖ୍ୟା ୮୪୬୬କୁ ବୃଦ୍ଧି ପାଇଛି। ରାଜ୍ୟରେ ଆଜି ୧୩୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୪୫ହଜାର ୫୧୪କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୩୮୪୩ ଚିକିତ୍ସାଧୀନ ରୋଗୀ ରହିଛନ୍ତି।

ସମ୍ବନ୍ଧିତ ଖବର