ଓଡ଼ିଶା ଉପକୂଳରେ ବିଶ୍ୱର ଅଧା ଅଲିଭ୍ ରିଡ୍‌ଲେ, ସମୁଦ୍ରକୁ ଗଲେ ୩ କୋଟି ଶାବକ

ଭୁବନେଶ୍ବର : ଅଲିଭ୍ ରିଡ୍‌ଲେଙ୍କ ଭୂସ୍ବର୍ଗ ପାଲଟିଛି ଓଡ଼ିଶା ଉପକୂଳ। ବିଶ୍ବର ସମୁଦାୟ ଅଲିଭ୍ ରିଡ୍‌ଲେଙ୍କ ମଧ୍ୟରୁ ୫୦%ରୁ ଅଧିକ କେବଳ ଓଡ଼ିଶା ଉପକୂଳରେ ଦେଖିବାକୁ ମିଳିଥାନ୍ତି। ନଭେମ୍ବରରୁ ମେ’ ମାସ ମଧ୍ୟରେ ଲକ୍ଷାଧିକ ଅଲିଭ୍ ରିଡ୍‌ଲେ ଓଡ଼ିଶା ଉପକୂଳରେ ଅଣ୍ଡା ଦେବା ସହ ସେମାନଙ୍କ ଛୁଆ ଏଠାରୁ ହିଁ ସମୁଦ୍ରକୁ ଯାଇଥାନ୍ତି। ସେହି ଅନୁଯାୟୀ ଏଥର ମଧ୍ୟ ଓଡ଼ିଶା ଉପକୂଳରେ ୬ ଲକ୍ଷରୁ ଅଧିକ ଅଲିଭ୍ ରିଡ୍‌ଲେ ଆସିଥିବା ବେଳେ ୩ କୋଟି କଇଁଛ ଶାବକ ସମୁଦ୍ର ମଧ୍ୟକୁ ଯାଇ ସାରିଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ମିଳିଛି।

Telangana Today

ଅଲିଭ୍ ରିଡ୍‌ଲେ ପ୍ରଜନନ ଋତୁ ସମୟରେ ସଂରକ୍ଷଣ ଓ ସୁରକ୍ଷା ଉପରେ ଏଥର ଅଧିକ ଗୁରୁତ୍ବାରୋପ କରାଯାଇଥିଲା। ସମୁଦ୍ର ଭିତରେ ଯନ୍ତ୍ରଚାଳିତ ଡଙ୍ଗା, ଟ୍ରଲର ବା ଯାନ୍ତ୍ରିକ କୌଶଳରେ ମାଛମରା ନିଷେଧ ହୋଇଥିବାରୁ ବେଳାଭୂମିରେ ଶହ ଶହ ମଲା କଇଁଛ ପଡ଼ି ରହିବାର ଦୃଶ୍ୟ ସାମ୍ନାକୁ ଆସିନାହିଁ। କିଛି ସ୍ଥାନରେ ଅଣ୍ଡା ନଷ୍ଟ ହୋଇଥିଲେ ମଧ୍ୟ ମୋଟାମୋଟି ଭାବେ ଅଲିଭ୍ ରିଡ୍‌ଲେଙ୍କ ଲାଗି ଏବର୍ଷ ଭଲରେ କଟିଥିବା କୁହାଯାଇଛି। ନଭେମ୍ବର ପହିଲାରୁ ଧମରା ମୁହାଣ ତଥା ଗହିରମଥା ନାସୀ-୨, ଦେବୀ ଓ ଋଷିକୁଲ୍ୟା ନଦୀ ମୁହାଣ ନିକଟରେ ସୁମଦ୍ର ଉପକୂଳରୁ ୨୦ କିମି ପର୍ଯ୍ୟନ୍ତ ନିର୍ଦ୍ଧାରିତ ଅଞ୍ଚଳରେ ମାଛଧରା ଏବେ ବି ସମ୍ପୂର୍ଣ୍ଣ ନିଷେଧ ହୋଇଛି।

ଯାହାକି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସେମାନଙ୍କ ସୁରକ୍ଷା ପାଇଁ ୬୬ଟି ପାଟ୍ରୋଲିଂ କ୍ୟାମ୍ପ୍, ଭଦ୍ରକ, ରାଜନଗର, ପୁରୀ ଓ ବ୍ରହ୍ମପୁର ବନ୍ୟଜନ୍ତୁ ବନଖଣ୍ଡକୁ ୫ଟି ତୀବ୍ରଗତି ସଂପନ୍ନ ବୋଟ୍, ୧୩ଟି ଟ୍ରଲର୍ ଓ ସହାୟକ ବୋଟ୍ ଯୋଗାଇ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ସମେତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ, ପୁଲିସ, ସମୁଦ୍ରତଟ ପୁଲିସ, ତଟସୁରକ୍ଷା ବାହିନୀ, ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ସଚେତନତା ଓ ସୁରକ୍ଷା କାର୍ଯ୍ୟକ୍ରମରେ ସ୍ବେଚ୍ଛାସେବୀ ସଙ୍ଗଠନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରାଯାଇ କଇଁଛଙ୍କୁ ସୁରକ୍ଷା ‌ଯୋଗାଇ ଦିଆଯାଇଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ଶଶି ପଲ୍‌ କହିଛନ୍ତି। ଆଶ୍ବସ୍ତିକର ବିଷୟ ହେଉଛି ଯେ ଏଥର ସେଭଳି କଇଁଛ ମୃତ୍ୟୁ ହୋଇନାହିଁ।

୨୦୨୦-୨୧ରେ ୩୮ଟି ଟ୍ରଲର ସିଜ୍ ହେବା ସହ ୨୦୨ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିଲା।

ଚଳିତବର୍ଷ କେତେ ସଂଖ୍ୟକ କଇଁଛ ଅଣ୍ଡା ଦେଇଥିଲେ ତାହାର ସଠିକ୍‌ ତଥ୍ୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ମାତ୍ର ପାଗ ଅନୁକୂଳ ରହିଥିବାରୁ ଗତବର୍ଷ ତୁଳନାରେ ଏଥର ଅଧିକ ସଂଖ୍ୟକ ଅଲିଭ୍ ରିଡ୍‌ଲେ ଓଡ଼ିଶା ଉପକୂଳରେ ଅଣ୍ଡାଦାନ କରିଥିବା ଜଣାପଡ଼ିଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଗହୀରମଥା ଉପକୂଳରେ ପ୍ରାୟ ୩.୫ଲକ୍ଷ କଇଁଛ ଅଣ୍ଡା ଦେଇଥିଲେ। ଏଥର କେବଳ ଗହିରମଥାକୁ ୫ ଲକ୍ଷରୁ ଅଧିକ ଅଲିଭ୍ ରିଡ୍‌ଲେ ଆସିବା ସହ ୨ କୋଟିରୁ ଅଧିକ ଅଣ୍ଡାଦାନ କରିଥିବା ଜଣାପଡ଼ିଛି। ଦିନେ କଇଁଛଙ୍କ ଏନ୍ତୁଡ଼ିଶାଳ ପାଲଟିଥିବା ଦେବୀ ମୁହାଣରେ ସେମାନଙ୍କ ଆଗମନ ଆଶାତୀତ ହୋଇନାହିଁ। ସମୁଦ୍ର ଉପକୂଳରେ ଯନ୍ତ୍ରଚାଳିତ ଡଙ୍ଗା ଚାଲିବା, ନିଷିଦ୍ଧାଞ୍ଚଳରେ ଅବାଧ ମାଛ ଧରା ପରି ସମସ୍ୟା ଯୋଗୁଁ ପ୍ରତିବର୍ଷ କଇଁଛଙ୍କ ସଂଖ୍ୟା ହ୍ରାସ ପାଇଛି। ବନ ବିଭାଗ ପକ୍ଷରୁ ଏଥର ଦେବୀ ମୁହାଣରୁ ୬୨୦ଟି କଇଁଛ ବସା ଚିହ୍ନଟ କରାଯିବା ସହ ୭୦ ହଜାରରୁ ଅଧିକ ଅଣ୍ଡା ସଂଗ୍ରହ କରାଯାଇଥିଲା। ଶେଷ ଖବର ସୁଦ୍ଧା ୩୫ ହଜାରରୁ ଅଧିକ କଇଁଛ ଶାବକଙ୍କୁ ଇତିମଧ୍ୟରେ ସମୁଦ୍ରକୁ ଛଡ଼ାଯାଇଥିବା ଜଣାପଡ଼ିଛି। ୨୦୨୦-୨୧ରେ ଋଷିକୂଲ୍ୟା ମୁହାଣରେ ଅଲିଭ୍ ରିଡ୍‌ଲେଙ୍କ ବସା ଦେଖିବାକୁ ମିଳି ନ ଥିଲା। ମାତ୍ର ଏଥର ରେକର୍ଡ ସଂଖ୍ୟକ କଇଁଛ ଆସିଛନ୍ତି। ମାର୍ଚ୍ଚ ୨୭ରୁ ଏପ୍ରିଲ ପ୍ରଥମ ସପ୍ତାହ ମଧ୍ୟରେ ୫ ଲକ୍ଷରୁ ଅଧିକ କଇଁଛ ଅଣ୍ଡାଦାନ କରିଛନ୍ତି। ଶେଷ ଥର ଲାଗି ୨୦୧୭-୧୮ରେ ୪ ଲକ୍ଷ ୮୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ। ଦେଢ଼ କୋଟିରୁ ଅଧିକ କଇଁଛ ଶାବକଙ୍କୁ ଇତିମଧ୍ୟରେ ସମୁଦ୍ରକୁ ଛଡ଼ାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର