ଆଉ ୩ ଦିନ ଥରାଇବ, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିବ ତାପମାତ୍ରା

ଭୁବନେଶ୍ବର: ଆସନ୍ତା ୩ ଦିନ ଥରି ଥରାଇବ ଥଣ୍ଡା। ଦକ୍ଷିଣ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳ ଅପେକ୍ଷା‌ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ କମିବ। କେତେକ ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ରାସ୍ତାଘାଟ ଦୃଶ୍ୟମାନ ହେବ ନାହିଁ। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୩ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଥଣ୍ଡାରୁ ରକ୍ଷା ପାଇବା ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପୂର୍ବାନୁମାନ ଅନୁଯାୟୀ ସୋମବାର ପୂର୍ବାହ୍ନ ସୁଦ୍ଧା କଳାହାଣ୍ଡି, କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି, ନୟାଗଡ଼ ଜିଲ୍ଲାର ଅଧିକାଂଶ ସ୍ଥାନ ଏବଂ ଅନୁଗୁଳ, ଢେଙ୍କାନାଳ, ଖୋର୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବଲାଙ୍ଗୀର, ନୂଆପଡ଼ା ଓ ‌ବୌଦ୍ଧର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ। ଏହି ସମୟରେ ସୁନ୍ଦରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, କଟକ, ମୟୂରଭଞ୍ଜରେ ଘନ କୁହୁଡ଼ି ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ସୋନପୁର, ବଲାଙ୍ଗୀର ଓ ସୁନ୍ଦରଗଡ଼ରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଏହାପର ୨୪ ଘଣ୍ଟା ବର୍ଷା ନ ଥିବା ବେଳେ ବାଲେଶ୍ବର, ସୁନ୍ଦରଗଡ଼, ଅନୁଗୁଳ, କଟକ, ସୋନପୁର ଓ ବଲାଙ୍ଗୀରରେ ଥଣ୍ଡାର ପ୍ରକୋପ ଲାଗିରହିବ। ୧୧ ଓ ୧୨ ତାରିଖରେ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଘନ କୁହୁଡ଼ି ଅନୁଭୂତ ହେବ। ଏହାପରେ ପାଗରେ ପରିବର୍ତନ ଆସିବ।

ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ‌ତଥାପି ଅଧିକାଂଶ ଜିଲ୍ଲାରେ ଥଣ୍ଡା ଅନୁଭୂତ ହେଉଥିଲା। ଗତ ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ୨୨.୪ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୭.୨, ବୌଦ୍ଧରେ ୧୫.୩, ଦାରିଙ୍ଗବାଡ଼ି ଓ ତାଳଚେରରେ ୧୩, ପାରଳାଖେମୁଣ୍ଡିରେ ୧୨.୫, ଫୁଲବାଣୀ, ଅନୁଗୁଳ ଓ ଟିଟିଲାଗଡ଼ରେ ୧୨, ବାଲେଶ୍ବରରେ ୧୦.୫, ସୋନପୁରରେ ୧୦ ମିମି ବର୍ଷା ହୋଇଛି। ଆଜି ଦିନ ସମୟରେ କେରାପୁଟ ସମେତ ଚାନ୍ଦବାଲି, ଭୁବନେଶ୍ବର, ପୁରୀ, ଗୋପାଳପୁର, ରାୟଗଡ଼ା, ପାରାଦୀପରେ ହାଲୁକା ବର୍ଷା ହୋଇଛି।

ସମ୍ବନ୍ଧିତ ଖବର