ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ: କୋରାପୁଟରୁ ଧରାପଡ଼ିଲେ ଆଉ ୪ ଅଭିଯୁକ୍ତ

ପୁରୀ: ପୁରୀର ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ପୁଲିସ ଆଜି ପୁଣି ୪ ଜଣଙ୍କୁ ଗିରଫ କରିଛି। କୁନୁମୁନ, ଟୁଟୁ, ହରିକୁ ଗିରଫ କରିବା ସହ ସେମାନଙ୍କୁ ଆଶ୍ରୟ ଦେଇଥିବା ଜଗନ ଖଟେଇଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରୁଛି। ଏମାନଙ୍କୁ କୋରାପୁଟ ସୀମାରୁ ଧରାଯାଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଛନ୍ତି।


ଫେରାର ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଧରିବାରେ ପୁରି ପୁଲିସ ସଫଳ ହୋଇଛି। ଟୁଟୁ ସୁଆର, କୁନମୁନ ମହାପାତ୍ର, ହରି ପଣ୍ଡା ଓ ଜଗନ ଖଟେଇଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ଗତକାଲି ଗୁନ ସିଂହାରୀଙ୍କ ଭାଇ ନିତ୍ୟାନନ୍ଦ ମହାପାତ୍ର ଓ ପୁତୁରା ଦୋଳଗୋବିନ୍ଦଙ୍କ ସମେତ ୬ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବି ସେ କହିଥିଲେ। ଏହି ହତ୍ୟାକାଣ୍ଡରେ ୯ ଜଣ ସାମିଲ ଥିବା ବି ଏସପି ସ୍ପଷ୍ଟ କରିଥିଲେ। ଏବେ ବି ଟୁଟୁ ସୁଆର, କୁନମୁନ ଓ ହରି ପଣ୍ଡା ଫେରାର ଥିବା ନେଇ ସୂଚନା ଦେଇଥିଲେ ଏସପି। । ଏହି ତିନି ଅଭିଯୁକ୍ତଙ୍କୁ ପୁଲିସ୍ ଖୁବ୍ ଶୀଘ୍ର ଧରିବ ବୋଲି ସେ କହିଥିଲେ। ସେମାନଙ୍କୁ ରିମାଣ୍ଡରେ ଅଣାଯାଇ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡର ସିନ୍ ରିକ୍ରିଏଟ୍ କରାଯିବ।
କାଳିଆ ସିଂହାରୀ ଓରଫ ନିତ୍ୟାନନ୍ଦ ମହାପାତ୍ର ଓ ଦୋଳଗୋବିନ୍ଦ ଏହି ଘଟଣାର ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଅନ୍ୟ ଅଭିଯୁକ୍ତମାନେ ହେଲେ କାଳୁ ପାଣିଗ୍ରାହୀ, ସନ୍ଦୀପ ଜେନା, ବାବା ମହାପାତ୍ର ଏବଂ ରଶ୍ମୀରଂଜନ ପାତ୍ର। ତେବେ ଏହି ହତ୍ୟ ଘଟଣାରେ ପ୍ରତିଶୋଧ ନା ଅନ୍ୟ କିଛି କାରଣ ରହିଛି ସେନେଇ ପୁଲିସ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନଥିଲା। ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ କନୱର ବିଶାଲ ସିଂହ ସୂଚନା ଦେଇଥିଲେ।

 

ସମ୍ବନ୍ଧିତ ଖବର