୪ ଟ୍ରେନ୍‌ରେ ଆସିଲେ ୪୭୦୮, ଚେନ୍ନାଇରୁ ଗୋଟିଏ, ସୁରତରୁ ୩ଟି ଟ୍ରେନ୍‌ ପହଞ୍ଚିଲା

ବ୍ରହ୍ମପୁର/ଛତ୍ରପୁର : ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ ସ୍ବାଭାବିକ ହେବା ପରେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆଜି ପୁଣି ୪ଟି ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେସନ୍‌ରେ ପହଞ୍ଚିଛି। ଚେନ୍ନାଇରୁ ଗୋଟିଏ ଟ୍ରେନ୍‌ ଓ ୩ଟି ଟ୍ରେନ୍‌ ସୁରତରୁ ଆସିଛି। ୪ଟି ଟ୍ରେନ୍‌ରେ ସମୁଦାୟ ୪୭୦୮ ଜଣ ପ୍ରବାସୀ ଓଡ଼ିଆ ଆସିଥିବା ଜଣାପଡ଼ିଛି। ଆସନ୍ତାକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଜଗନ୍ନାଥପୁର ଷ୍ଟେସନ୍‌ରେ ଆଉ ୨ଟି‌ ଟ୍ରେନ ପହଞ୍ଚିବ ବୋଲି ସୂଚନା ମିଳିଛି।

ଆଜି ସକାଳ ୮ଟା ୨୪ରେ ଚେନ୍ନାଇରୁ ୧୦୫୪ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ‌ପ୍ରଥମ ଟ୍ରେନ୍‌ ପହଞ୍ଚିଥିଲା। ସେଥିରେ ୨୮ଟି ଜିଲ୍ଲାର ପ୍ରବାସୀ ଓଡ଼ିଆ ଆସିଥିଲେ। କଳହାଣ୍ଡିର ୭ଜଣ, ଅନୁଗୁଳର ୫, କନ୍ଧମାଳର ୧୬, ବଲାଙ୍ଗୀର ୪୮, କୋରାପୁଟ ୬, କେନ୍ଦ୍ରାପଡ଼ା ୭, ବରଗଡ଼ର ଜଣେ, ବାଲେଶ୍ବରର ୨୬, ମାଲକାନଗିରିର ଜଣେ, ଭଦ୍ରକର ୧୭ଜଣ, ନବରଙ୍ଗପୁରର ୨୭, କଟକ ୨୩, ନୂଆପଡ଼ା ୩, ଦେବଗଡ଼ ୨ଜଣ, ନୟାଗଡ଼ ୧୭, ପୁରୀ ୩୨,ଗଜପତି ୪, ରାୟଗଡ଼ା ୧୪, ସୁନ୍ଦରଗଡ଼ ୨୪, ସମ୍ବଲପୁରର ୩ଜଣ, ଜଗତସିଂହପୁର ୨ଜଣ, ସୁବର୍ଣ୍ଣପୁର ୭ଜଣ, ଖୋର୍ଦ୍ଧାର ୨୬ଜଣ, କେଉଁଝରର ୧୦ଜଣ, ଝାରଗୁଡ଼ାର ୪ଜଣ ଏବଂ ଗଞ୍ଜାମର ୬୭୨ଜଣ ପ୍ରବାସୀ ଓଡ଼ଆ ଏହି ଟ୍ରେନରେ ଆସିଛନ୍ତି।

ସୁରତରୁ ୧୨୯୬ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ଦ୍ବିତୀୟ ଟ୍ରେନ୍ ଆଜି ଜଗନ୍ନାଥପୁର ‌ଷ୍ଟେସନ୍‌ରେ ଲାଗିଥିଲା ପୂର୍ବାହଣ୍‌ ୧୦ଟା ୩୯ରେ। ଏଥିରେ ୩ଟି ଜିଲ୍ଲାର ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ଏଥିରେ କନ୍ଧମାଳର ୪ଜଣ, ଖୋର୍ଦ୍ଧାର ୨ଜଣ ଏବଂ ଗଞ୍ଜାମର୧୨୯୦ ଜଣ ରହିଥିବା ଜଣାପଡ଼ିଛି।

ସୁରତରୁ ୧୧୮୦ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ତୃତୀୟ ଟ୍ରେନ୍‌ ଅପରାହ୍‌ଣ ୪ଟା ୫୫ରେ ଜଗନ୍ନାଥପୁର ଷ୍ଟେସନ୍‌ରେ ଲାଗିଥିଲା। ସେଥିରେ ୧୨ଟି ଜିଲ୍ଲାର ପ୍ରବାସୀ ଓଡ଼ିଆ ଆସିଛନ୍ତି। ଗଞ୍ଜାମ ୭୯୦ ଜଣ ରହିଥିବା ବେଳେ ବାକି ୧୧ଟି ଜିଲ୍ଲାର ବୋଲି ଜଣାପଡ଼ିଛି। ବାଲେଶ୍ବରର ୫ଜଣ, ଭଦ୍ରକର ୩୧ଜଣ, ଜଗତ୍‌ସିଂହପୁରର ୪ଜଣ, କେନ୍ଦ୍ରପଡ଼ାର ୨୭ଜଣ, କେନ୍ଦୁଝରର ଜଣେ, ଖୋର୍ଦ୍ଧାର ୧୦ଜଣ, କଟକର ୩ଜଣ, ମୟୂରଭଞ୍ଜର ୨ଜଣ, ନବରଙ୍ଗପୁରର ୨ଜଣ, ନୟାଗଡ଼ର ୧୬ଜଣ ଏବଂ ପୁରୀ ଜିଲ୍ଲାର ୨୯୦ଜଣ ରହିଥିବା ସୂଚନା ମିଳିଛି। ସେହିପରି ସୁରତରୁ ୧୧୭୮ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ଚତୁର୍ଥ ଟ୍ରେନ ରାତି ପ୍ରାୟ ୮ଟାବେଳେ ଲାଗିଥିଲା। ସେଥିରେ ଗଞ୍ଜାମ ଜିଲ୍ଲାର ୧୧୭୭ଜଣ ଓ କନ୍ଧମାଳର ଜଣେ ରହିଥିବା ସୂଚନା ରହିଛି। ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଛତ୍ରପୁର ଏସ୍‌ଡିପିଓ ଗୌତମ କିସାନ ଉପସ୍ଥିତ ରହି ତଦାରଖ କରିଥିଲେ। ବରୁଣ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍‌ର ଲୋକଙ୍କୁ ବସ୍‌ ଯୋଗେ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଅନୁରୂପ ଭାବେ ଅନ୍ୟ ଜିଲ୍ଲାର ଲୋକଙ୍କୁ ସ୍ବତନ୍ତ୍ର ବସ ଯୋଗେ ନିଜ ଅଞ୍ଚଳକୁ ପଠାଯାଇଛି। ବ୍ରହ୍ମପୁର ଆର୍‌ପିଏଫ୍‌ ଓ ୩୦ ଜଣ କର୍ମଚାରୀ ଏବଂ ଶହେରୁ ଊର୍ଦ୍ଧ୍ବ ପୁଲିସ ମୁତୟନ ଥିଲେ।

ସମ୍ବନ୍ଧିତ ଖବର