ସୁନ୍ଦରଗଡ଼ : ଦୁଇଟି ଗଛ ତଳ ଛାଇରେ ଟ୍ରାକ୍ଟର ଓ ଟ୍ରକରେ ଧାନ ବୋଝେଇ ଚାଲିଛି। ସେହି ସ୍ଥାନ ବା ଆଖପାଖରେ ଘର ବା କୌଣସି ଛାଉଣିଟେ ନାହିଁ। ପୂରା ପଡ଼ିଆ ଖୋଲାମେଲା। ଶୀତ କାକର ବା ଅଦିନିଆ ବର୍ଷା ଆସିଲେ, ଶସ୍ୟ ଭିଜିବା ସାର। ଏସ୍ଥିତିରେ ନଳକୂପ ବା ଶୌଚାଳୟ ଆସିବ କୁଆଡ଼ୁ। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଏକ ଧାନ ସଂଗ୍ରହ କେନ୍ଦ୍ର ବା ମଣ୍ଡିର ଚିତ୍ର। ବାଲିଶଙ୍କରା ଲ୍ୟାମ୍ପସ ଦ୍ବାରା ପରିଚାଳିତ ବୁଡ଼ାବାହାଲ ମଣ୍ଡି। ଏଠାରେ ଆବଶ୍ୟକ ଭିତ୍ତିଭୂମି ତ ଦୂରର କଥା କୌଣସି ଅସ୍ଥାୟୀ ବ୍ୟବସ୍ଥା ମଧ୍ୟ ନାହିଁ। ଏହା ମଧ୍ୟରେ ଗଛ ତଳେ ୩୫ ଚାଷୀଙ୍କ ଠାରୁ ୧୪୦୯.୧୮ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇସାରିଛି। କେବଳ ଏ ଗୋଟିଏ ମଣ୍ଡି ନୁହେଁ, ବାଲିଶଙ୍କରା ଲ୍ୟାମ୍ପସ ଅନ୍ତର୍ଗତ ଆଉ ଦୁଇଟି ମଣ୍ଡିରେ ମଧ୍ୟ ସେହି ସମାନ ଚିତ୍ର ଦେଖିବାକୁ ମିଳିଛି।

Advertisment

ଶାଗବାହାଲ ଓ ତୁମଲିଆ ମଣ୍ଡି ସେମିତି ଖୋଲା ଆକାଶ ତଳେ ଚାଲିଛି। ତୁମଲିଆ ମଣ୍ଡିରେ ଜୟ ମା ମଙ୍ଗଳା ସ୍ବୟଂ ସହାୟିକା ଗୋଷ୍ଠୀକୁ ଧାନ ସଂଗ୍ରହ ଦାୟିତ୍ବ ମିଳିଛି। ଖୋଲା ପଡ଼ିଆରେ ଏଠାରେ ପଞ୍ଜିକୃତ ୮୮୭ ଚାଷୀଙ୍କ ମଧ୍ୟରୁ ୮୯ ଚାଷୀଙ୍କ ଠାରୁ ୫୦୮୮ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଛି। ସେହିପରି ଶାଗବାହାଲ ମଣ୍ଡିରେ ଖୋଲା ଆକାଶ ତଳେ ୩୮ ଚାଷୀଙ୍କ ଠାରୁ ୧୩୫୭.୮୬ କ୍ବିଣ୍ଟାଲ ଧାନ କିଣାଯାଇଛି। କେବଳ ବାଲିଶଙ୍କରା ମଣ୍ଡିରେ ଊଣାଅଧିକ ଆବଶ୍ୟକ ବ୍ୟବସ୍ଥା ଥିବା ବେଳେ ଅନ୍ୟସବୁ ମଣ୍ଡିକୁ ଆସୁଥିବା ଚାଷୀଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ।

publive-image

ସେହିପରି କିଞ୍ଜିରକେଲା ଲ୍ୟାମ୍ପସ ତିଲଡେଗା, କରୁଆବାହାଲରେ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ତେବେ କେବଳ ବାଲିଶଙ୍କରା ଲ୍ୟାମ୍ପସ କି କିଞ୍ଜିରକେଲା ଲ୍ୟାମ୍ପସ ଅଧୀନସ୍ଥ ମଣ୍ଡିଗୁଡ଼ିକରେ ଏ ଦୁର୍ଦ୍ଦଶା ସୀମିତ ନୁହେଁ, ଜିଲ୍ଲାର ଅନେକ ମଣ୍ଡି ଏପରି ଖୋଲା ପଡ଼ିଆରେ ଚାଲିଛି। ସାମାନ୍ୟତମ ବ୍ୟବସ୍ଥା ନଥିବାରୁ ଚାଷୀଙ୍କ ଧାନ ଶୀତ କାକରରେ ଭିଜୁଛି। ଜିଲ୍ଲାର ୪୪ଟି ଲ୍ୟାମ୍ପସ, ୨ଟି ଆରସିଏମଏସ, ଗୋଟିଏ ଏମପିସିଏସ୍ ଓ ୮ଟି ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ଆୟୋଜିତ ୧୩୪ଟି ଧାନ ସଂଗ୍ରହ କେନ୍ଦ୍ର ମଧ୍ୟରୁ ପ୍ରମୁଖ ୪୭ଟି କେନ୍ଦ୍ରରେ ଆବଶ୍ୟକ ଭିତ୍ତିଭୂମି ଥିବା ବେଳେ ଅନ୍ୟ କିଛି କେନ୍ଦ୍ରରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି। ତେବେ ପ୍ରାୟ ୫୦ଟି କେନ୍ଦ୍ର ପଞ୍ଚାୟତ ପରିସର ନହେଲେ ଖୋଲା ଆକାଶ ତଳେ ଚାଲିଛି।

ପ୍ରକାଶଯୋଗ୍ୟ, ମଣ୍ଡିରେ ଧାନ ଓଜନ ଠାରୁ ଧାନ ମହଜୁଦ ରଖିବା ପାଇଁ ସମସ୍ତ ବ୍ୟବସ୍ଥା ରହିବା ଉଚିତ। ଶୌଚାଳୟ, ପାଣି, ଅପେକ୍ଷା ଗୃହ, ଇଣ୍ଟରନେଟ୍ ସୁବିଧା ସହ ଅଣ ଏଫଏକ୍ୟୁ ଧାନକୁ ଏଫଏକ୍ୟୁ କରିବାକୁ ମେସିନ ରଖିବା ଲାଗି ନିର୍ଦ୍ଦେଶ ରହିଛି। କିନ୍ତୁ ଏସବୁ ସୁବିଧା ତ ଦୂରର କଥା, ସାଧାରଣଭାବେ ଅଧିକାଂଶ ମଣ୍ଡିରେ ଧାନ ରଖିବାକୁ ପକ୍କା ପିଣ୍ଡିଟେ ବି ନାହିଁ। ସବୁଠାରୁ ବଡ଼ କଥା ହେଲା, ଧାନ ସଂଗ୍ରହ ପ୍ରକ୍ରିୟାରେ ଲ୍ୟାମ୍ପସ ବା ସମବାୟ ବିଭାଗକୁ ଦାୟିତ୍ବ ଦିଆଯିବା ପରେ ସେମାନଙ୍କୁ କ୍ବିଣ୍ଟାଲ ପିଛା ୩୧ ଟଙ୍କା ୨୫ ପଇସା ପ୍ରଦାନ କରାଯାଉଛି। ଏହା ସତ୍ତ୍ବେ ମଣ୍ଡିରେ ଆବଶ୍ୟକ ଭିତ୍ତିଭୂମି ଉପଲବ୍ଧ କରାଇବାରେ ଲ୍ୟାମ୍ପସ ବା ନିୟନ୍ତ୍ରିତ ବଜାର କମିଟି ବିଶେଷ ଧ୍ୟାନ ଦେଉ ନଥିବା ଅଭିଯୋଗ ହୋଇଛି।