ଭୁବନେଶ୍ବର : ରାଜ୍ୟର ବିଭିନ୍ନ କାରାଗାରରେ ଥିବା ୬୧ ମହିଳା କଏଦୀ ନିଜ ମାମଲା ଲଢ଼ିବା ପାଇଁ ଅସମର୍ଥ। ମକଦ୍ଦମା ଲଢ଼ିବାକୁ ସେମାନଙ୍କ ପାଖରେ ଅର୍ଥ ନାହିଁ। ସରକାର ସେମାନଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣ ମାଧ୍ୟମରେ ବିନା ମୂଲ୍ୟରେ ଆଇନ ସହାୟତା ଯୋଗାଉଛନ୍ତି। ଆଜି ବିଧାନସଭାରେ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

Advertisment

ଉକ୍ତ ତଥ୍ୟ ଅନୁଯାୟୀ, ରାଜ୍ୟର ୩୦ ଜିଲ୍ଲାରେ ଥିବା ସ୍ବତନ୍ତ୍ର କାରାଗାର, କାରାଗାର ଏବଂ ଉପକାରାଗାରରେ ୬୩୮ଜଣ ବିଚାରାଧୀନ ମହିଳା କଏଦୀ ରହିଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୪୧ଜଣ ବିଚାରାଧୀନ ମହିଳା କଏଦୀ ଥିବା ବେଳେ କଟକ ଓ ବାଲେଶ୍ବରରେ ୩୦ଜଣ ଲେଖାଏଁ ଏବଂ ମୟୂରଭଞ୍ଜ ଓ କୋରାପୁଟ ଜିଲ୍ଲାରେ ୨୩ଜଣ ଲେଖାଏଁ ମହିଳା କଏଦୀ ଅଛନ୍ତି। ଏହାବ୍ୟତୀତ ଅନ୍ୟ ଜେଲ୍‌ଗୁଡ଼ିକରେ ହାତଗଣତି ବିଚାରାଧୀନ ମହିଳା କଏଦୀ ରହିଛନ୍ତି। ଏମାନଙ୍କ ବାଦ୍ ଦେଇ ଦୋଷୀ ସାବ୍ୟସ୍ତ ୯୧ଜଣ ମହିଳା କଏଦୀ ରାଜ୍ୟର ବିଭିନ୍ନ ଜେଲ୍‌ରେ ଦଣ୍ଡାଦେଶ ଭୋଗୁଛନ୍ତି। କଟକ ଜିଲ୍ଲାରେ ସର୍ବାଧିକ ୧୭ଜଣ ଥିବା ବେଳେ କେନ୍ଦୁଝର, ମୟୂରଭଂଜ ଏବଂ କୋରାପୁଟ୍‌ ଜିଲ୍ଲାରେ ୬ଜଣ ଲେଖାଏଁ ରହିଛନ୍ତି। ଯାଜପୁର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଏବଂ ସୋନପୁର ଆଦି ୬ ଜିଲ୍ଲାରେ ଜଣେ ହେଲେ ବି ଦଣ୍ଡିତ ମହିଳା କଏଦୀ ନାହାନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୪୧ଜଣ ମହିଳା ବିଚାରାଧୀନ କଏଦୀ ଥିଲେ ବି ଜଣଙ୍କୁ ବି ଦଣ୍ଡାଦେଶ ହୋଇନାହିଁ।