ବାରିପଦା : ୬୬ହଜାରରୁ ଊର୍ଧ୍ବ ଗ୍ରାମବାସୀଙ୍କ ଜଳକଷ୍ଟ ଦୂର ହେବ, ଜଳ ଜୀବନ ମିଶନରେ ପାଇପ ଯୋଗେ ମିଳିବ ବିଶୁଦ୍ଧ ପାନୀୟ ଜଳ

ସାରସକଣା ଓ ଗୋପବନ୍ଧୁନଗର ବ୍ଲକର ୧୦୦ଟି ଗ୍ରାମ ପାଇଁ ୮୦ କୋଟି ମଞ୍ଜୁର
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେଡି

ବାରିପଦା : ୬୬ହଜାରରୁ ଊର୍ଧ୍ବ ଗ୍ରାମବାସୀଙ୍କର ଦୂର ହେବ ଜଳକଷ୍ଟ। ଦିନେ ପିଇବା ପାଣି ପାଇଁ ବେଶ୍ ହଇରାଣ ହେଉଥିବା ସାରସକଣା ବ୍ଲକର ୩ ପଞ୍ଚାୟତର ୨୯ଟି ଗ୍ରାମର ୨୦ହଜାରରୁ ଊର୍ଧ୍ବ ଜନତା ଏବଂ ଗୋପବନ୍ଧୁନଗର ବ୍ଲକର ୭ ପଞ୍ଚାୟତର ୭୧ଟି ଗ୍ରାମର ୪୬ହଜାରରୁ ଊର୍ଧ୍ବ ଗ୍ରାମବାସୀଙ୍କୁ ଜଳ ଜୀବନ ମିଶନ ମାଧ୍ୟମରେ ଯୋଗାଇଦିଆଯିବ ବିଶୁଦ୍ଧ ପାନୀୟ ଜଳ। ଏଥିନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ୮୦କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜି ବସିଥିବା କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବ ଉପରେ ମୋହର ଲାଗିଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏହି ଦୁଇ ବ୍ଲକର ୧୦୦ଟି ଗାଁର ପ୍ରାୟ ୬୬ହଜାର ଜନତା ଏହି ଯୋଜନାରେ ଲାଭବାନ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାନେଇ ରାଜ୍ୟସଭା ସାଂସଦ ମମତା ମହାନ୍ତ ସୂଚନା ଦେଇଛନ୍ତି। ଜଳକ୍ଳିଷ୍ଟ ଏହି ଗାଁ ଗୁଡ଼ିକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କର ଏଭଳି ପଦକ୍ଷେପକୁ ଜିଲ୍ଲା ବିଜେଡି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଅବସରରେ ରାଜ୍ୟ କୃଷି ଶିଳ୍ପ ନିଗମ ତଥା ଓଡ଼ିଶା ମୋ ପରିବାର ଏବଂ ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଦେବାଶିଷ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କର ଏହି ମେଗା ପ୍ରକଳ୍ପ ପ୍ରଦାନକୁ ନେଇ ଧନ୍ୟବାଦ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ମମତା ମହାନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି, ସୁବ୍ରମଣ୍ୟମ ମହାନ୍ତି, ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ୨୦୦ରୁ ଉର୍ଦ୍ଧ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଶୁଭାରମ୍ଭ ପାଇଁ ଭିତ୍ତିପ୍ରସ୍ତର ଭିଡିଓ କନଫରେନ୍ସ ମାଧ୍ୟମରେ ଦେଇଛନ୍ତି । ଏହି ପ୍ରକଳ୍ପଗୁଡ଼ିକରେ ମୟୂରଭଞ୍ଜ ନିମନ୍ତେ ୨ଟି ପ୍ରକଳ୍ପ ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର