ଜୁଲାଇରେ ଚି‌ହ୍ନଟ ହୋଇଛନ୍ତି ୬୭ ହଜାର ଆକ୍ରାନ୍ତ, ସ୍ୱାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି ୨%

ଭୁବନେଶ୍ବର : ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୧୪୩ ଜଣଙ୍କ କୋଭିଡ୍‌ରେ ମୃତ୍ୟୁ ହେଉଛି। ଗତ ଏପ୍ରିଲ ସୁଦ୍ଧା ରାଜ୍ୟରେ ଏହି ମୃତ୍ୟୁ ସଂଖ୍ୟା ୪୩ ଥିବା ବେଳେ ୪ ମାସରେ ଏଥିରେ ଯଥେଷ୍ଟ ବୃଦ୍ଧି ହୋଇଛି। କେବଳ ମୃତ୍ୟୁ ସଂଖ୍ୟା ନୁହେଁ, ସଂକ୍ରମିତ ସଂଖ୍ୟା ମଧ୍ୟ ୩ଗୁଣ ବଢ଼ିଛି। ପୂର୍ବରୁ ୧୦ଲକ୍ଷ ଜନସଂଖ୍ୟାରେ ରାଜ୍ୟରେ ୭୫୪୧ଜଣ ସଂକ୍ରମିତ ହେଉଥିବା ବେଳେ ଚଳିତ ମାସ ୧୦ ତାରିଖ ସୁଦ୍ଧା ଏହା ୨୧,୩୩୫ରେ ପହଞ୍ଚିଛି। ଦେଶରେ କରୋନା ସଂକ୍ରମଣକୁ ନେଇ କେନ୍ଦ୍ର ସରକାର ଗଠନ କରିଥିବା ଏମ୍ପାୱାର୍ଡ ଆକ୍ସନ୍ ଗ୍ରୁପ୍ ବା ଏଇଜି ରାଜ୍ୟ ଭିତରେ ଓଡ଼ିଶାକୁ ନେଇ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

ଭାରତୀୟ ଜନସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ପିଏଚ୍‌ଏଫ୍‌ଆଇ ସହାୟତାରେ ‘ଜୀବନରକ୍ଷା’ ଗ୍ରୁପ୍‌ ପକ୍ଷରୁ ମିଳିତ ଭାବେ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ କୁହାଯାଇଛି ଯେ ଯଦି ରାଜ୍ୟରେ ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ, ଓଡ଼ିଶାରେ ଆସନ୍ତା ମାସ ସୁଦ୍ଧା ଆହୁରି ୧୯ହଜାର ନୂତନ ମାମଲା ଓ ୧୫୮୨ ମୃତ୍ୟୁ ହେବ। ସେହିପରି ଗତ ମାସ ତୁଳନାରେ ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ଯଥେଷ୍ଟ ହ୍ରାସ ହୋଇଛି। ଗତ ମାସରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯,୪୨୫ ଥିବା ବେଳେ ଏବେ ତାହା ୯୮୧୩କୁ ଖସି ଆସିଛି। ହେଲେ କୋଭିଡ୍‌ ଜନିତ ମୃତ୍ୟୁ ସଂଖ୍ୟାରେ ୩୪ ପ୍ରତିଶତ ବୃଦ୍ଧି ହୋଇଛି। ୪୯୭୮ରୁ ମୃତ୍ୟୁ ସଂଖ୍ୟା ୬୬୮୩ରେ ପହଞ୍ଚି ଯାଇଛି।

ଜୀବନରକ୍ଷାର ଜଣେ ଅଧିକାରୀଙ୍କ ମତରେ, ଓଡ଼ିଶାରେ ମାତ୍ର ୧ ପ୍ରତିଶତ ଲୋକଙ୍କ ନିକଟରେ ଘରୋଇ ସ୍ବାସ୍ଥ୍ୟବୀମା ଯୋଜନା ରହିଛି। ଏହାକୁ ଅନୁଧ୍ୟାନ କଲେ ଜଣାପଡ଼ିବ ଯେ ଜୁଲାଇ ମାସରେ ଓଡ଼ିଶାରେ ୬୭,୪୬୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାହାର ପ୍ରାୟ ୨ପ୍ରତିଶତ ବା ୧୩୫୬ଜଣ ସ୍ବାସ୍ଥ୍ୟବୀମା ପାଇଁ ହସ୍ପିଟାଲରେ ଆବେଦନ କରିଛନ୍ତି। ‌ହେଲେ ଓଡ଼ିଶା ତୁଳନାରେ ଅନ୍ୟ ରାଜ୍ୟରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ। ରାଜସ୍ଥାନ ସରକାର ଜୁଲାଇରେ ୧୨୪୫ ସଂକ୍ରମିତଙ୍କ ସଂପର୍କରେ ଘୋଷଣା କରିଥିବା ବେଳେ ୪୦୪୭ଜଣ ସ୍ବାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି। ସେହିପରି ମଧ୍ୟପ୍ରଦେଶରେ ୨୦୨୪ କରୋନା ସଂକ୍ରମିତ ଘୋଷଣା ହୋଇଥିବା ବେଳେ ୫୮୫୮ଜଣ ସ୍ବାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି। ଉତ୍ତରପ୍ରଦେଶରେ ଏହି ସ୍ଥିତି ଆହୁରି ଅଧିକ ରହିଛି। ସ୍ଥାନୀୟ ସରକାର ଜୁଲାଇରେ ୨୩୩୪ କରୋନା ସଂକ୍ରମିତଙ୍କ ସଂପର୍କରେ ଘୋଷଣା କରିଥିବା ବେଳେ ୬୬୯୦ଜଣ ସ୍ବାସ୍ଥ୍ୟବୀମା ପାଇଁ ଆବେଦନ କରିଛନ୍ତି। ତେଣୁ ଏସବୁ ରାଜ୍ୟ ସରକାର କରୋନା ସଂକ୍ରମଣ ଓ ମୃତ୍ୟୁ ସଂପର୍କିତ ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି, ତାହା ସତ୍ୟଠାରୁ ଢେର୍‌ ଦୂରରେ।

ଏ ଦୃଷ୍ଟିରୁ ଦେଶରେ କେବଳ ମହାରାଷ୍ଟ୍ର, ଓଡ଼ିଶା ଓ ଆସାମ ସରକାର କରୋନା ସଂପର୍କିତ ଯେଉଁ ତଥ୍ୟ ଘୋଷଣା କରୁଛନ୍ତି, ତାହା ଏକପ୍ରକାର ଭରସାଯୋଗ୍ୟ ବୋଲି କୁହାଯାଇପାରିବ। ତେଣୁ ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କୁ ନମୁନା ପରୀକ୍ଷା ଉପରେ ଗୁରୁତ୍ବ ଦେବାକୁ ହେବ। ଫଳରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ରାଜ୍ୟ ସରକାର ରାପିଡ୍‌ ଆଣ୍ଟିଜେନ୍ ଅପେକ୍ଷା ଆର୍‌ଟି-ପିସିଆର୍‌ ଅଧିକ କରିବାର ଆବଶ୍ୟକତା ରହିଥିବା ଅଧିକାରୀଜଣଙ୍କ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର