ପ୍ରବନ୍ଧ ପ୍ରତିଯୋଗିତାରେ ଅଧିକ ପିଲା ଭାଗ ନିଅନ୍ତୁ

ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି, ୧୧ ତାରିଖରେ ହେବ ପ୍ରତିଯୋଗିତା

ଭୁବନେଶ୍ବର : ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟବ୍ୟାପୀ ପ୍ରବନ୍ଧ ପ୍ରତିଯୋଗିତା କରିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଗ୍ରହ ପ୍ରକାଶ କରିଛନ୍ତି। ଆସନ୍ତା ୧୧ ତାରିଖ ରବିବାର ଦିନ ସମଗ୍ର ରାଜ୍ୟରେ ଏକ ସମୟରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ହେବାକୁ ଥିବା ଏହି ପ୍ରତିଯୋଗିତାକୁ ଆୟୋଜନ କରିବା ପାଇଁ ‘ସମ୍ବାଦ‌’କୁ ଦାୟିତ୍ବ ଦିଆଯାଇଛି। ଏହି ମର୍ମରେ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ପ୍ରବନ୍ଧ ପ୍ରତିଯୋଗିତାରେ କିଭଳି ଅଧିକରୁ ଅଧିକ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଭାଗ ନେବେ

ସେ‌ନେଇ ସ୍କୁଲଗୁଡ଼ିକୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ବାର୍ତ୍ତା କିଭଳି ସମସ୍ତଙ୍କ ପାଖରେ ପହଞ୍ଚିବ ସେଥିପାଇଁ ଉଦ୍ୟମ କରିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା ଏଭଳି ପ୍ରବନ୍ଧ ପ୍ରତିଯୋଗିତା ଓଡ଼ିଶାରେ ପ୍ରଥମଥର ପାଇଁ ହେଉଛି। ପ୍ରତ୍ୟେକ ବ୍ଲକ୍‌ ଓ ପୌରାଞ୍ଚଳରେ ୬୦୦ରୁ ଅଧିକ କେନ୍ଦ୍ରରେ ୧୧ ତାରିଖ ପୂର୍ବାହ୍ନ ୧୧ଟା ୩୦ରୁ ୧୨ଟା ୧୫ ପର୍ଯ୍ୟନ୍ତ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତି କେନ୍ଦ୍ରରୁ ୫ ଜଣ ଲେଖାଏଁ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ଖାତା ଚୟନ କରାଯାଇ ଜିଲ୍ଲାସ୍ତରରେ ପୁନଃ ମୂଲ୍ୟାୟନ ହେବ। ୩୦ ଜିଲ୍ଲା ଓ ୫ ମହାନଗରରୁ ୩ ଜଣ ଲେଖାଏଁ ଉଭୟ ମାଧ୍ୟମରୁ ଶ୍ରେଷ୍ଠ ପ୍ରତିଯୋଗୀ ବଛାଯିବେ। ପ୍ରଥମ ସ୍ଥାନରେ ଥିବା ଜିଲ୍ଲାସ୍ତରୀୟ କୃତୀ ପ୍ରତିଯୋଗୀଙ୍କୁ ୩ ହଜାର ଟଙ୍କା, ଦ୍ବିତୀୟ ସ୍ଥାନ ଲାଗି ୨ ହଜାର ଓ ତୃତୀୟ ସ୍ଥାନରେ ଥିବା କୃତୀ ପ୍ରତିଯୋଗୀଙ୍କୁ ୧ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ। ଏହା ପରେ ରାଜ୍ୟସ୍ତରରେ ପ୍ରଥମ ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀ ରାଜ୍ୟପାଳଙ୍କ ଠାରୁ ପୁରସ୍କାର ଓ ପ୍ରମାଣପତ୍ର ଗ୍ରହଣ କରିବେ।

ସମ୍ବନ୍ଧିତ ଖବର