ଭୁବନେଶ୍ବର: ଓଡ଼ିଶାରେ ମେ’ ୨୦ରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ। ଏଥିପାଇଁ ୩୫ଟି ବିଧାନସଭା ଆସନରେ ୨୬୫ଜଣ ପ୍ରାର୍ଥୀ ମଇଦାନରେ ଥିବାବେଳେ ସେମାନଙ୍କ ମଧ୍ୟରୁ ୯୫ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି। ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୩କୋଟି ୯୮ଲକ୍ଷ ଟଙ୍କା। କେବଳ ଧନୀ ନୁହେଁ ଆପରାଧିକ ମାମଲା ବି ୮୭ଜଣ ପ୍ରାର୍ଥୀଙ୍କ ନାଁରେ ଅଛି। ଏଥିରୁ ୭୦ଜଣ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଆପରାଧିକ ମାମଲା ରହିଛି। ୫ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା ଥିବାବେଳେ ୧୬ଜଣ ପ୍ରାର୍ଥୀଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି। ୧୧ଜଣ ପ୍ରାର୍ଥୀଙ୍କ ନାଁରେ ମହିଳାଙ୍କ ବିରୋଧରେ ଅପରାଧର ଅଭିଯୋଗ ରହିଛି। ସବୁଠୁ ଅଧିକ ଆପରାଧିକ ମାମଲା ବିଜେପିର ପ୍ରାର୍ଥୀଙ୍କ ନାଁରେ ରହିଛି। ବିଜେପିର ମୋଟ୍ ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ଜଣ ନାଁରେ ଅପରାଧିକ ମାମଲା ଅଛି। କଂଗ୍ରେସର ୩୩ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୭ଜଣଙ୍କ ନାଁରେ ଏବଂ ବିଜେଡିରୁ ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯ଜଣଙ୍କ ନାଁରେ, ଆପ୍‌ର ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି।

Advertisment

ସେହିପରି ୩୫ଟି ଆସନରୁ ୧୪ଟି ଆସନକୁ ରେଡ୍ ଆଲର୍ଟ ଆସନ ଘୋଷଣା କରାଯାଇଛି। କାରଣ ଏଠାରେ ୩ରୁ ଅଧିକ ଲେଖାଏ ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି। ଆପରାଧିକ ମାମଲାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ ନକରିବାକୁ ଏକପ୍ରକାର ବାରଣ ଥିଲେ ବି ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍ ୩୩% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା ରହିଛି। ଅପରପକ୍ଷେ ମୋଟ୍ ୨୬୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣଙ୍କ ନିକଟରେ ୫କୋଟିରୁ ଅଧିକ ସମ୍ପତ୍ତି ଅଛି। ୩୬ଜଣଙ୍କ ନିକଟରେ ୨ରୁ ୫କୋଟି, ୭୦ଜଣଙ୍କ ନିକଟରେ ୫୦ଲକ୍ଷରୁ ୨କୋଟି, ୬୪ଜଣଙ୍କ ନିକଟରେ ୧୦ରୁ ୫୦ଲକ୍ଷ, ୭୨ଜଣଙ୍କ ନିକଟରେ ୧୦ଲକ୍ଷରୁ କମ୍‌ ସମ୍ପତ୍ତି ଅଛି। ବିଜେଡିରେ ସବୁଠୁ ଅଧିକ ଧନୀ ପ୍ରାର୍ଥୀ ଅଛନ୍ତି। ମୋଟ୍ ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୦ଜଣଙ୍କର ସମ୍ପତ୍ତି କୋଟିଏରୁ ଅଧିକ। ଯେତେବେଳେ କି ବିଜେପିର ୨୪ଜଣ, କଂଗ୍ରେସର ୨୪ଜଣ, ଆପ୍‌ର ୩ଜଣ ପ୍ରାର୍ଥୀଙ୍କ ନିକଟରେ କୋଟିଏରୁ ଅଧିକ ସମ୍ପତ୍ତି ଅଛି। ବିଜେପିର ରାଉରକେଲା ପ୍ରାର୍ଥୀ ଦିଲୀପ କୁମାର ରାୟ ସବୁଠୁ ଧନୀ। ତାଙ୍କର ୩୧୩କୋଟି ୫୩ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ଦ୍ବିତୀୟ ଧନୀ ପ୍ରାର୍ଥୀ ହେଉଛନ୍ତି ବଲାଙ୍ଗୀରରେ ବିଜେଡି ଟିକେଟ୍ ପାଇଥିବା କଳିକେଶ ନାରାୟଣ ସିଂହଦେଓ। ତାଙ୍କ ପାଖରେ ୭୩କୋଟି ୬୬ଲକ୍ଷ ଟଙ୍କାର ସମ୍ପତ୍ତି ଅଛି। ଧନୀ ପ୍ରା‌ର୍ଥୀ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କର ୭୧କୋଟି ୭ଲକ୍ଷ ଟଙ୍କାର ସମ୍ପତ୍ତି ଅଛି।

ସେହିପରି ବୌଦ୍ଧରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ସବୁଠୁ ଗରିବ ପ୍ରାର୍ଥୀ। ତାଙ୍କର ମାତ୍ର ୭ହଜାର ଟଙ୍କା ଅଛି। କଣ୍ଟାବାଞ୍ଜିରେ ଅଲ୍‌ ଇଣ୍ଡିଆ ଫରୱାର୍ଡ ବ୍ଲକ ପ୍ରାର୍ଥୀ ଅଭିରାମ ଧାରୁଆଙ୍କ ପାଖରେ ୮୫୯୨ଟଙ୍କା, ଟିଟିଲାଗଡ଼ରେ ସ୍ବାଧୀନ ପ୍ରାର୍ଥୀ ହୋଇଥିବା ସତ୍ୟନାରାୟଣ ବହିଦାରଙ୍କ ପାଖରେ ୧୧ ହଜାର ଟଙ୍କା ଥିବା କହିଛନ୍ତି। ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କର ୩୭କୋଟି ଟଙ୍କାର ସମ୍ପତ୍ତି ଥିବାବେଳେ ୧୯କୋଟି ୩୯ଲକ୍ଷ ଟଙ୍କାର ଋଣ ଅଛି।
୩ଜଣ ପ୍ରାର୍ଥୀ କେବଳ ଦସ୍ତଖତ ଜାଣିଛନ୍ତି। ୧୩ଜଣ ୫ମ ପାସ୍‌ କରିଥିବାବେଳେ ୧୮ଜଣ ୮ମ ପାସ୍‌, ୫୧ଜଣ ୧୦ମ ପାସ୍‌, ୪୮ଜଣ ଦ୍ବାଦଶ ପାସ୍, ୫୩ଜଣ ସ୍ନାତକ, ୩୪ଜଣ ବୃତ୍ତିଗତ ସ୍ନାତକ, ୩୧ଜଣ ସ୍ନାତକୋତ୍ତର, ୪ଜଣ ଡକ୍ଟରେଟ୍, ୧୦ଜଣ ଡିପ୍ଲୋମା ପାସ୍ କରିଛନ୍ତି। ୨୫ରୁ ୩୦ବର୍ଷ ବୟସ ମଧ୍ୟରେ ୨୧ଜଣ ଥିବାବେଳେ ୩୧ରୁ ୪୦ବର୍ଷ ମଧ୍ୟରେ ୪୪ଜଣ, ୪୧ରୁ ୫୦ବର୍ଷ ମଧ୍ୟରେ ୯୩ଜଣ, ୫୧ରୁ ୬୦ବର୍ଷ ମଧ୍ୟରେ ୫୭ଜଣ, ୬୧ରୁ ୭୦ବର୍ଷ ମଧ୍ୟରେ ୪୨ଜଣ, ୭୧ରୁ ୮୦ବର୍ଷ ମଧ୍ୟରେ ୮ଜଣ ପ୍ରାର୍ଥୀ ଅଛନ୍ତି। ଆଜି ବୁଦ୍ଧ ମନ୍ଦିର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଇଲେକ୍ସନ ୱାଚ୍, ଏଡିଆର୍‌ ପକ୍ଷରୁ ପ୍ରାର୍ଥୀଙ୍କ ସତ୍ୟପାଠ ସମୀକ୍ଷା କରି ଏହି ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଓଡ଼ିଶା ଇଲେକ୍ସନ ୱାଚ୍‌ର ସଂଯୋଜକ ରଞ୍ଜନ କୁମାର ମହାନ୍ତି, ଉପଦେଷ୍ଟା ତଥା କୋର୍‌ ଟିମ୍ ସଦସ୍ୟ ସହଦେବ ସାହୁ ଓ କୋର୍‌ ଟିମ୍‌ ସଦସ୍ୟ କ୍ଷମାକର ସ୍ବାଇଁ ଏହି ରିପୋର୍ଟ ଉନ୍ମୋଚନ କରିବା ସହ ବିସ୍ତୃତ ସୂଚନା ଦେଇଥିଲେ।