ଭୁବନେଶ୍ୱର : କରୋନା ମହାମାରୀ ଯୋଗୁଁ ଏବେ ରାଜ୍ୟରେ ପ୍ରତ୍ୟେକ ଦିନ ମୃତ୍ୟୁ ହେଉଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମୃତ୍ୟୁ ସଂପର୍କରେ ଘୋଷଣା ହେଉଛି। ମାତ୍ର ମ୍ୟାଲେରିଆ ଓ ଯକ୍ଷ୍ମାରେ ରାଜ୍ୟରେ ପ୍ରତ୍ୟେକ ଦିନ ପ୍ରାୟ ୧୦ଜଣଙ୍କ ମୃତ୍ୟୁ ହେଉଛି। ବିଶେଷକରି ଯକ୍ଷ୍ମାରେ ପ୍ରତ୍ୟେକ ଦିନ ୮ଜଣଙ୍କ ଜୀବନ ଯାଉଛି। ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲା ରାଜ୍ୟର ସର୍ବାଧିକ ଯକ୍ଷ୍ମା ଆକ୍ରାନ୍ତ ଜିଲ୍ଲା ପାଲଟିଛି। ଯଦିଓ ଗତ ୨/୩ବର୍ଷ ହେବ ରାଜ୍ୟରେ ମ୍ୟାଲେରିଆ ଜନିତ ମୃତ୍ୟୁ କମିବାରେ ଲାଗିଛି।
ତେବେ ଯକ୍ଷ୍ମା ମୃତ୍ୟୁ ଏବେ ବି ଉଦ୍ବେଗଜନକ ରହିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି। ଏହାସତ୍ତ୍ବେ ରାଜ୍ୟରେ ଯକ୍ଷ୍ମା ମୃତ୍ୟୁ ସଂଖ୍ୟା କମିବା ବଦଳରେ ବଢ଼ି ଚାଲିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ ମସିହାରେ ଯକ୍ଷ୍ମାରେ ୨୪୫୧, ୨୦୧୬ରେ ୨୩୮୦, ୨୦୧୭ରେ ୨୫୫୩, ୨୦୧୮ରେ ୨୬୬୩, ୨୦୧୯ରେ ୨୯୦୦ ଓ ଚଳିତବର୍ଷ ଜୁଲାଇ ସୁଦ୍ଧା ୯୩୭ଜଣଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ସଂଶୋଧିତ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମକୁ ପରିବର୍ତନ କରାଯାଇ ଏହାକୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମର ନାମ ଦିଆଯାଇଛି। ୨୦୧୫ ସୁଦ୍ଧା ଯକ୍ଷ୍ମା ନିରାକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରାଜ୍ୟର ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଅଧିକ ସଂଖ୍ୟାରେ ଯକ୍ଷ୍ମା ରୋଗୀଙ୍କ ମୃତ୍ୟୁ ହେଉଥିବା ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲାରେ ପ୍ରବାସୀ ସମସ୍ୟା ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରେ ଦୂର ଦୂରାନ୍ତରେ ଲୋକ ରହିଥିବା କାରଣରୁ ସମସ୍ୟା ହେଉଛି। ଡ୍ରଗ୍ ରେଜିଷ୍ଟାନ୍ସ ଟିବି ଗଞ୍ଜାମ ଜିଲ୍ଲାରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହାସହ ଏଚ୍ଆଇଭି ରୋଗୀଙ୍କ ସଂଖ୍ୟା ମଧ୍ୟ ଗଞ୍ଜାମରେ ଅଧିକ ରହିଛି। ତେବେ ଦୀର୍ଘଦିନ ଧରି ଔଷଧ ଖାଇବା ପାଇଁ ପଡ଼ୁଥିବାରୁ ଲୋକମାନେ ମଧ୍ୟ ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି। ଯକ୍ଷ୍ମା ପାଇଁ ଅଧିକ ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୫ଶହ ଟଙ୍କା ଲେଖାଏଁ ଦିଆଯାଉଛି। ଅପରପକ୍ଷରେ ଘରୋଇ ହସ୍ପିଟାଲ/ଡାକ୍ତରଙ୍କ ନିକଟରେ ଯେଉଁ ରୋଗୀମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କ ତଥ୍ୟ ଠିକ୍ ସମୟରେ ଆସିପାରୁ ନାହିଁ। ଘରୋଇ ହସ୍ପିଟାଲମାନେ ଚିକିତ୍ସା କଲେ ମଧ୍ୟ ରୋଗୀମାନଙ୍କୁ ସରକାରୀ କ୍ଷେତ୍ରକୁ ରେଫର କରିବେ। ଏଥିପାଇଁ ସରକାରଙ୍କ ପାଇଁ ସିନିଅର ଟ୍ରିଟିମେଣ୍ଟ ସୁପରଭାଇଜର ବା ଏସ୍ଟିଏସ୍ମାନେ ରୋଗୀମାନେ ପ୍ରକୃତରେ ଚିକିତ୍ସା ପାଉଛନ୍ତି କି ନାହିଁ ତାହାର ଯାଞ୍ଚ କରିବେ। ପ୍ରତି ବ୍ଲକ୍ସ୍ତରରେ ଜଣେ ଲେଖାଏଁ ଏସ୍ଟିଏସ୍ ରହିଛନ୍ତି। ଏବେ ଅଧିକ ଥର ପରୀକ୍ଷା କରାଯାଉଛି। ପୂର୍ବରୁ ଯେଉଁ ରୋଗୀମାନେ ଔଷଧ ଖାଉଥିଲେ ପରେ ୨ଥର ପରୀକ୍ଷା କରାଯାଉଥିଲା, ଏଥିରେ ଯଦି କୌଣସି ରୋଗୀ ନେଗେଟିଭ୍ ଆସିଲେ ତାହାଲେ ସେ ସୁସ୍ଥ ହେଉଥିବା ଧରା ଯାଉଥିଲା। ମାତ୍ର ଏବେ ସୁସ୍ଥ ହେବା ପରେ ମଧ୍ୟ ଆହୁରି ୨ଥର ପରୀକ୍ଷା କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ତେବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନେ ଏଭଳି ପରୀକ୍ଷା ପାଇଁ ଆସିପାରୁ ନାହାନ୍ତି। ଅନେକ ଅଧାରୁ ଔଷଧ ବନ୍ଦ କରି ଦେଉଛନ୍ତି। ପରବର୍ତୀ ସମୟରେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଛନ୍ତି। ଫଳରେ ଚିକିତ୍ସା ବିଳମ୍ବ ହେଉଛି।
ଅପରପକ୍ଷରେ ରାଜ୍ୟରେ ପୂର୍ବରୁ ୩ଟି ଯକ୍ଷ୍ମା ହସ୍ପିଟାଲ ସ୍ବତନ୍ତ୍ରଭାବେ କାର୍ଯ୍ୟ କରୁଥିଲା। ମାତ୍ର ଏବେ ସଂପୃକ୍ତ ହସ୍ପିଟାଲଗୁଡ଼ିକ ଅନ୍ୟ ସାଧାରଣ ହସ୍ପିଟାଲ ଭାବେ କାର୍ଯ୍ୟ କରୁଛି। ଗୁରୁତର ରୋଗୀମାନଙ୍କୁ ସେଠାରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ନିୟମରେ ପରିବର୍ତନ ଅଣାଯିବା ପରେ ସେସବୁ ହସ୍ପିଟାଲ ଅନ୍ୟ ସାଧାରଣ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଛି। ଅପରପକ୍ଷରେ ରାଜ୍ୟରେ ଏବେ ମ୍ୟାଲେରିଆ ଜନିତ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ୨୦୧୫ ମସିହାରେ ୨୧୪୧, ୨୦୧୬ରେ ୨୨୭୧, ୨୦୧୭ରେ ୧୩୫୯ ଓ ୨୦୧୮ରେ ୭୮୦ଜଣଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଛି। ରାଜ୍ୟରେ ମ୍ୟାଲେରିଆ ନିରାକଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଔଷଧୀୟ ମଶାରୀ ଯୋଗାଇ ଦିଆଯାଇଛି। ଏହାସହ ‘ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ନିରାକରଣ’ ବା ‘ଦମନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯାହାଫଳରେ ଦିନକୁ ଦିନ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ରାଜ୍ୟରେ କମିବାରେ ଲାଗିଛି।