ଆର୍‌ଜିଏଚ୍‌ ଡିଏମ୍‌ଏଫ୍‌ ପାଣ୍ଠି ବିନିଯୋଗ ଏମିତି: ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତର ନାହାନ୍ତି, ଆନାସ୍ଥେସିଆରେ ଚାରି

ବିଭିନ୍ନ ବିଭାଗରେ ମୋଟ ୭୦ ଡାକ୍ତର ଆବଶ୍ୟକ, ଅଛନ୍ତି ୫୪

ରାଉରକେଲା: ସୁନ୍ଦରଗଡ଼ରେ ପାଣି ଭଳି ଖର୍ଚ୍ଚ ହେଉଛି ଜିଲ୍ଲା ଖଣିଜ ପାଣ୍ଠି । ସଠିକ୍‌ ବିନିଯୋଗ ହେଉ ନାହିଁ। ଖଣିଜ ପାଣ୍ଠି ବିନିଯୋଗ କରିବାକୁ ରହିଥିବା ମାର୍ଗ ଦର୍ଶିକାକୁ ବିଭାଗୀୟ ଅଧିକାରୀ ଫୁଃ କରି ଦେଇଛନ୍ତି। ଜିଲ୍ଲାରେ ଖଣିଜ ପାଣ୍ଠିର ଏଭଳି ଅପବ୍ୟୟ ରୋକିବାକୁ ଥରୁଟିଏ ମୁହଁଖୋଲୁ ନାହାନ୍ତି ଜିଲ୍ଲାର ସାଂସଦ ଓ ବିଧାୟକ। ଏହାର ଭରପୁର ଫାଇଦା ଉଠାଉଛନ୍ତି ବିଭାଗୀୟ ଅଧିକାରୀ। ଯାହାର ନଗ୍ନ ଉଦାହରଣ ହେଉଛି ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌)। ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନରେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ ହେବା ସ୍ବାଗତଯୋଗ୍ୟ। କିନ୍ତୁ ଆର୍‌ଜିଏଚ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ବର୍ଷ ବର୍ଷ ଧରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଖାଲି ପଡ଼ିଛି। ଏପରିସ୍ଥଳେ ଗୋଟିଏ ବିଭାଗରେ ଏକକାଳୀନ ଚାରି ଚାରିଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ତାହାପୁଣି ନିଶ୍ଚେତକ (ଆନାସ୍ଥେସିଆ) ବିଭାଗରେ। ସେପଟେ ବର୍ଷ ବର୍ଷ ଧରି ଅଡି‌ଓଲୋଜିଷ୍ଟ, ନ୍ୟୁରୋଲୋଜିଷ୍ଟ, ସାଇକ୍ରେଟିକ୍ସ ବିଶେଷଜ୍ଞ ନାହାନ୍ତି। ଜଳପୋଡା ବିଭାଗ ଅଛି। କିନ୍ତୁ ଚିକିତ୍ସା କରିବାକୁ ଡାକ୍ତର ନାହାନ୍ତି। ଇଏନ୍‌ଟି ବିଭାଗରେ ଆବଶ୍ୟକ ଅନୁଯାୟୀ ଡାକ୍ତର ପୂରଣ ହେଉ ନାହିଁ। ଗୁରୁତ୍ବପୂର୍ଣ୍ଣ ଶିଶୁ ବିଭାଗ ବିଭାଗରେ ସେହି ସମାନ ସ୍ଥିତି। ଏପରିସ୍ଥଳେ ଆର୍‌ଜିଏଚ୍‌ରେ ଏକକାଳୀନ ଚାରି ଚାରି ଜଣ ନିଶ୍ଚେତକ ଡାକ୍ତର ନିଯୁକ୍ତିକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ୨୮୦ ଶଯ୍ୟା ବିଶିଷ୍ଟ ଆର୍‌ଜିଏଚ୍‌ରେ ବିଭିନ୍ନ ବିଭାଗରେ ମୋଟ ୭୦ ଡାକ୍ତର ଆବଶ୍ୟକତା ରହିଛି। ଏବେ ଅଛନ୍ତି ମାତ୍ର ୫୪ ଜଣ ଡାକ୍ତର। ଖାଲି ପଡିଛି ୧୬ ଡାକ୍ତର। ଯେଉଁ ୫୪ ଡାକ୍ତର କାର୍ଯ୍ୟରତ ଅଛନ୍ତି, ସେମାନଙ୍କ ମଧ୍ୟରୁ ଖଣିଜ ପାଣ୍ଠିରୁ ନିଯୁକ୍ତି ହୋଇଛନ୍ତି ୧୭ ଡାକ୍ତର। ଆର୍‌ଜିଏଚ୍‌ରେ ଆଇସିୟୁ, ଏମ୍‌ଆର୍‌ଆଇ ସୁବିଧା ଆଜି ଯାଏ ହେଉନି। ପୃଥକ ଦୁର୍ଘଟଣା ବିଭାଗ (ସେପାରେଟ୍‌ କାଜୁଆଲିଟି ବିଭାଗ), ମର୍ଗ ହାଉସ୍‌ରେ ଅଧିକାଂଶ ସମୟରେ ଏସି କାମ କରୁନି। ଶବ ସଡୁଛି। ସ୍ବତନ୍ତ୍ର ଶବ ବ୍ୟବଚ୍ଛେଦ ସେବା ସୁବିଧା ପାଇଁ ପାନପୋଷ ଏସ୍‌ଡିଏମ୍‌ଓ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡୁଛି। ଫରେନ୍‌ସିକ୍‌ ବିଭାଗର ଆବଶ୍ୟକତା ରହିଛି।

ଶିଶୁ ବିଭାଗର ଆଇସିୟୁ ବ୍ୟବସ୍ଥା କେବେ ହେବ କାହାକୁ ଜଣା ନାହିଁ। ରେଡିଓଲୋଜିଷ୍ଟ ନଥିବାରୁ ଅଲଟ୍ରା ସାଉଣ୍ଡ ସେବା ଠିକ୍ ଭାବେ ମିଳୁ ନାହିଁ। ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତରମାନେ ଯେନତେନ ପ୍ରକାରେ ଚଳାଉଛନ୍ତି। ହସ୍ପିଟାଲର ସବୁଠୁ ଗୁରୁତ୍ବ ବିଭାଗ ଏମ୍‌ଆର୍‌ଡି (ମେଡିକାଲ୍‌ ରେକର୍ଡ ଡିପାର୍ଟମେଣ୍ଟ) ପ୍ରତ୍ୟେକ ବିଭାଗର କାଗଜପତ୍ରଗୁଡ଼ିକ ଠିକ୍‌ ଭାବେ ଦେଖାରେଖା କରାଯାଇପାରୁ ନାହିଁ। ଡାକ୍ତର ଓ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ୧୬ଟି ସରକାରୀ କ୍ବାର୍ଟର୍ସ। ୫୫ ଡାକ୍ତରଙ୍କୁ ମାତ୍ର ୬ଟି, ୨୦୦ରୁ ଅଧିକ କର୍ମଚାରୀଙ୍କ ପାଇଁ ୧୦ଟି କ୍ବାର୍ଟର୍ସ ରହିଛି। ଏଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ଜିଲ୍ଲାପାଳ ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଆର୍‌ଜିଏଚ୍‌ ଉପରେ ରାଉରକେଲା ସମେତ ଜିଲ୍ଲାର ଅଧିକାଂଶ ଉପାନ୍ତ ବ୍ଲକ, ଝାଡ଼ଖଣ୍ଡ ଓ ଛତିଶଗଡର ରୋଗୀ ନିର୍ଭରଶୀଳ। ପ୍ରତ୍ୟେକ ଦିନ ବର୍ହିବିଭାଗରେ ୮୦୦ରୁ ୧୦୦୦ ଚିକିତ୍ସିତ ହେଉଛନ୍ତି। ଅର୍ନ୍ତବିଭାଗରେ ୩୦୦ରୁ ୪୦୦ ରୋଗୀ ଭର୍ତ୍ତି ହେଉଛନ୍ତି। ଶଯ୍ୟା ସଂଖ୍ୟା ୧୨୮ରୁ ବଢ଼ି ୨୭୬କୁ ବୃଦ୍ଧି ପାଇଥିଲା। ସେମିତି ଜିଲ୍ଲାର ପିଏଚ୍‌ସି, ସିଏଚ୍‌ସି, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ଅଧିକାଂଶ ଡାକ୍ତରଖାନା କେବଳ ଆୟୁଷ ଡାକ୍ତରରେ ବର୍ଷ ବର୍ଷ ଚାଲିଛି। ଉପାନ୍ତ ବ୍ଲକରେ ସ୍ବାସ୍ଥ୍ୟ ସେବା ଆହୁରି ସଙ୍ଗୀନ। ଏହିସବୁ ଡାକ୍ତରଖାନାରେ ଖାଲି ପଡ଼ିଥିବା ଡାକ୍ତର ପଦବୀ ପୂରଣ ନ କରି କେବଳ ୨୨ ଜଣ ଦାନ୍ତ ଡାକ୍ତରଙ୍କୁ ଖଣି ପାଣ୍ଠିରୁ ନିଯୁକ୍ତି ଦିଆଯାଇଛି। ତେବେ ଅନାବଶ୍ୟକ ଭାବେ ଜିଲ୍ଲା ଖଣିଜ ପାଣ୍ଠି ଖର୍ଚ୍ଚ ରୋକିବାକୁ ଜିଲ୍ଲାର ସାଂସଦ, ବିଧାୟକମାନେ ମୁହଁ ଖୋଲିବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର