ଭୁବନେଶ୍ୱର : ରାଜ୍ୟରେ ଆଉ ୪ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ରବିବାର ଦିନ ଚିହ୍ନଟ ହୋଇଥିବା ୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ନାଇଜେରିଆରୁ ଫେରିଥିବା ବେଳେ ଦୁଇ ଜଣ ସାଉଦି ଆରବରୁ ଫେରିଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଜଗତସିଂହପୁରର ଥିବାବେଳେ ଜଣେ ଖୋର୍ଦ୍ଧା ଏବଂ ଆଉ ଜଣେ ଗଞ୍ଜାମର।

Advertisment

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ପୂର୍ବରୁ ଯେଉଁ ୪ଜଣ କରୋନା ଆକ୍ରାନ୍ତଙ୍କର ଜେନମ୍ ସିକ୍ବେନସିଂ ପାଇଁ ନମୁନା ପଠାଯାଇଥିଲା ସେମାନଙ୍କର ରିପୋର୍ଟ ଆସିବା ପରେ ଓମିକ୍ରନ୍ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏଥିରୁ ଜଣେ ଆକ୍ରାନ୍ତଙ୍କର ଆର୍‌ଟିପିସିଆର୍‌ ରିପୋର୍ଟ ଏବେ ନେଗେଟିଭ୍ ଆସିଛି। ବାକି ଆକ୍ରାନ୍ତମାନେ ସୁସ୍ଥ ଅଛନ୍ତି। ନାଇଜେରିଆରୁ ଫେରିଥିବା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କର ଆର୍‌ଟିପିସିଆର୍‌ ରିପୋର୍ଟ ନେଗେଟିଭ୍ ଆସିଛି। ଏବେ ସାଉଦି ଆରବ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କର ଆର୍‌ଟିପିସିଆର୍ ରିପୋର୍ଟ ଆସିବା ବାକି ଅଛି।

ଅପରପକ୍ଷେ ବର୍ତ୍ତମାନ ସୁଦ୍ଧା ବିଦେଶରୁ ୩ହଜାରରୁ ଅଧିକ ଲୋକ ଫେରିଥିବା ବେଳେ ଏଥିରୁ ୮ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୮ଜଣଙ୍କ ମଧ୍ୟରୁ ୫ଜଣ ନାଇଜେରିଆ ଫେରନ୍ତା। ରାଜ୍ୟରେ ଓମିକ୍ରନ ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ଦେଶରେ ବର୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଟପିଥିବା ବେଳେ ଏଥିରୁ ୧୩୦ଜଣ ସୁସ୍ଥ ହୋଇସାରିଲେଣି। ବର୍ତ୍ତମାନ
ସୁଦ୍ଧା ୧୯ଟି ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ ରାଜ୍ୟରେ ଗତ ୨୪ଘଣ୍ଟାରେ ୧୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୮ବର୍ଷରୁ କମ୍ ୧୭ଜଣ ଅଛନ୍ତି। ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦ଲକ୍ଷ ୫୩ହଜାର ୮୮୧ରେ ପହଞ୍ଚିଥିବା ବେଳେ ଏବେ ୧୫୯୪ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।