ଭର୍ତି ହୋଇନି ୫୦% ଆଇସିୟୁ, କଟକ ଅପେକ୍ଷା ଭୁବନେଶ୍ୱରରେ ଅଧିକ ଆଇସିୟୁ ଓ ଭେଣ୍ଟିଲେଟର ଖାଲି

୫୬% ସାଧାରଣ ଶଯ୍ୟା, ୪୮% ଆଇସିୟୁରେ ଅଛନ୍ତି ‌ରୋଗୀ

ଭୁବନେଶ୍ୱର : ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଆଇସିୟୁ ଓ ଭେଣ୍ଟିଲେଟର ଜରୁରୀ ହୋଇପଡ଼ିଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି ତହିଁରେ ଥିବା ଆଇସିୟୁ ଓ ଭେଣ୍ଟିଲେଟର ୫୦ ପ୍ରତିଶତ ବି ଭର୍ତି ହୋଇନାହିଁ। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ରାଜ୍ୟରେ ୪୮ ପ୍ରତିଶତ ଆଇସିୟୁ ଓ ୪୬ ପ୍ରତିଶତ ଭେଣ୍ଟିଲେଟରରେ ରୋଗୀ ଅଛନ୍ତି। ‌ସେହିପରି କଟକ-ଭୁବନେଶ୍ବରରେ ମଧ୍ୟ ବହୁ ସଂଖ୍ୟାରେ ଆଇସିୟୁ ଓ ଭେଣ୍ଟିଲେଟର ଖାଲି ରହିଛି। ତେବେ ଭୁବନେଶ୍ବର ଅପେକ୍ଷା କଟକରେ ଅଧିକ ରୋଗୀ ଏଥିରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ରାଜ୍ୟରେ କୋଭିଡ୍‌ ପାଇଁ ସମୁଦାୟ ୮୩୧୦ ସାଧାରଣ ଶଯ୍ୟା ରହିଛି। ତହିଁରୁ ୪୬୮୪ ବା ୫୬ ପ୍ରତିଶତରେ ରୋଗୀ ରହିଛନ୍ତି। ସେହିପରି ଭୁବନେଶ୍ବରରେ ୧୧୬୭ ଶଯ୍ୟାରୁ ୧୨୬୯ ବା ୭୮ ପ୍ରତିଶତରେ ରୋଗୀ ଥିବା ବେଳେ କଟକରେ ୭୦୨ଶଯ୍ୟାରୁ ୪୩୧ ବା ୬୧ ପ୍ରତିଶତ ଶଯ୍ୟା ବ୍ୟବହୃତ ହୋଇଛି। ରାଜ୍ୟ ସରକାର ଏବେ ଲକ୍ଷଣ ନ ଥିବା ବା ସ୍ବଳ୍ପ ଲକ୍ଷଣ ଥିବା ‌ରୋଗୀଙ୍କୁ ହୋମ୍ ଆଇସୋଲେସନ୍‌ରେ ରହିବା ଲାଗି ପ୍ରୋତ୍ସାହିତ କରୁଥିବାରୁ ବହୁ ରୋଗୀ ଏହି ବ୍ୟବସ୍ଥାକୁ ଆପଣାଉଛନ୍ତି।

ରାଜ୍ୟରେ ଗୁରୁତର ରୋଗୀଙ୍କ ପାଇଁ ସମୁଦାୟ ୧୩୬୨ ଆଇସିୟୁ ଓ ଏଚ୍‌ଡିୟୁ ପ୍ରତିଷ୍ଠା କରାଯାଇଛି। ଏଥିରେ ୬୪୭ ବା ୪୮ ପ୍ରତିଶତ ଶଯ୍ୟାରେ ରୋଗୀ ରହିଛନ୍ତି। ଭୁବନେଶ୍ବରରେ ୫୧୫ ଆଇସିୟୁ/ଏଚ୍‌ଡିୟୁରୁ ୨୫୨ ବା ୪୯ ପ୍ରତିଶତ ଓ କଟକରେ ୨୭୮ ଆଇସିୟୁ/ଏଚ୍‌ଡିୟୁ ଶଯ୍ୟାରୁ ୧୫୪ ବା ୫୫ ପ୍ରତିଶତ ରୋଗୀ ଭର୍ତି ହୋଇଛନ୍ତି। ସେହିପରି ରାଜ୍ୟରେ ସମୁଦାୟ ୫୨୬ ଭେଣ୍ଟିଲେଟର ରହିଛି। ଏଥିରୁ ୨୪୦ ବା ୪୬ ପ୍ରତିଶତ ମାତ୍ର ବ୍ୟବହୃତ ହୋଇଛି। ଭୁବନେଶ୍ବରରେ ୧୮୫ ଭେଣ୍ଟିଲେଟର ଥିବା ବେଳେ ତହିଁରୁ ୧୦୭ ବା ୫୮ ପ୍ରତିଶତ ଓ କଟକରେ ୭୩ ଭେଣ୍ଟିଲେଟରରୁ ୬୨ ବା ୮୫ ପ୍ରତିଶତ ଭେଣ୍ଟିଲେଟରକୁ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି।

ନିକଟରେ ରାଜ୍ୟ ସରକାର ଜିଲ୍ଲାସ୍ତରରେ ରୋଗୀଙ୍କୁ ସିଧାସଳଖ ଭୁବନେଶ୍ବର-କଟକ ନ ପଠାଇବା ପାଇଁ ନିର୍ଦେଶନାମା ଜାରି କରିଥିଲେ। ରୋଗୀମାନଙ୍କୁ ପ୍ରଥମେ ଜିଲ୍ଲାସ୍ତରରେ ହିଁ ଚିକିତ୍ସା ଦେବା ଓ ରେଫର କରିବା ପୂର୍ବରୁ ରୋଗୀଙ୍କୁ ଉପଯୁକ୍ତ କାଉନସେଲିଂ କରିବା ଲାଗି କୁହାଯାଇଥିଲା। ତେବେ ନିର୍ଦେଶନାମା ଜାରି ହେବାର ପରଦିନ ହିଁ, ରୋଗୀମାନଙ୍କୁ ଭୁବନେଶ୍ବର-କଟକ ପଠାଇବାରେ କୌଣସି ସମସ୍ୟା ନ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେଣୁ ଭୁବନେଶ୍ବର-କଟକରେ ଏବେ ବି ବହୁ ସଂଖ୍ୟାରେ ଆଇସିୟୁ ଓ ଭେଣ୍ଟିଲେଟର ଖାଲି ରହିଥିବାରୁ ଏଠାକୁ ରୋଗୀଙ୍କୁ ରେଫର ହେବାରେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର