ଏକାଧିକ ବୃଦ୍ଧ-ବୃଦ୍ଧାଙ୍କୁ ତିନି ମାସ ଧରି ମିଳିନାହିଁ ବାର୍ଦ୍ଧକ୍ୟ ଭତ୍ତା

ଲଇକେରା: ମହାମାରୀ କରୋନା ସମୟରେ ସମସ୍ତ ପ୍ରକାର କାମ ଧନ୍ଦା ବନ୍ଦ ରହିଛି । ଗ୍ରାମାଞ୍ଚଳରେ ଜନସାଧାରଣ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବାବେଳେ କେତେକ ସରକାରୀ କର୍ମଚାରୀଙ୍କ ନାମରେ ଆସିଛି ସଙ୍ଗିନ ଅଭିଯୋଗ । ଅଭିଯୋଗ ଅନୁସାରେ ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଖୁନ୍ତାମାଲ ପଞ୍ଚାୟତର ବରହା ମୂଷା ଗ୍ରାମର ଏକାଧିକ ବୃଦ୍ଧ-ବୃଦ୍ଧା ଆଜିଙ୍କୁ ତିନି ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

କରୋନା ସମୟରେ ସରକାରଙ୍କ ପକ୍ଷରୁ ଅଗ୍ରୀମ ଦୁଇ ମାସର ଭତ୍ତା ଟଙ୍କା ପ୍ରଦାନ କରାଯାଇଛି । ହେଲେ କିଛି କର୍ମଚାରୀଙ୍କର ଅପାରଗତା ଯୋଗୁଁ ଅଗ୍ରୀମ ଟଙ୍କା ପାଇବା ତ ଦୂରର କଥା ଏପ୍ରିଲ ମାସରୁ ଭତ୍ତା ଟଙ୍କା ପାଇନାହାନ୍ତି । ଉକ୍ତ ପଞ୍ଚାୟତର ଜିଆରଏସ କିଛି ବୃଦ୍ଧଙ୍କ ନିକଟରୁ ଭତ୍ତା ବହି ମଧ୍ୟ ନେଇଯାଇଥିବାର ଅଭିଯୋଗ କରିଛନ୍ତି ।

ଆଜି ପ୍ରାୟ ୧୫ ଜଣରୁ ଅଧିକ ବୃଦ୍ଧ-ବୃଦ୍ଧା ଏକ ଅଟୋ ଭଡା କରି ଅଭିଯୋଗ କରିବାକୁ ପହଞ୍ଚିଥିଲେ ଲଇକେରା ବିଡ଼ିଓଙ୍କ ନିକଟରେ । ବିଡ଼ିଓଙ୍କୁ ଲିଖିତ ଭାବରେ ଅଭିଯୋଗ ଦେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ । ଏ ବିଷୟରେ ବିଡ଼ିଓ ଶଙ୍କର କେର୍କେଟାଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଏବେ ଅଭିଯୋଗ ପାଇଲି ଆସନ୍ତା ସୋମବାର ଭିତରେ ସମସ୍ତେ କିପରି ଭତ୍ତା ଟଙ୍କା ପାଇପାରିବେ ବ୍ୟବସ୍ଥା କରିବି । ଚାରି ଦିନର ପୂର୍ଣ୍ଣ ପ୍ରତିଶ୍ରୁତି ପାଇଲା ପରେ ଏହି ହିତାଧିକାରୀ ମାନେ ବିଡ଼ିଓଙ୍କ କ୍ୱାଟର ନିକରରୁ ଫେରିଥିଲେ ।

ସମ୍ବନ୍ଧିତ ଖବର