ଭୁବନେଶ୍ୱର : ରାଜ୍ୟରେ ପର୍ଯ୍ୟାପ୍ତ ବିଦ୍ୟୁତ ଉପଲବ୍ଧ ଥିବା ସତ୍ତ୍ବେ ଗ୍ରୀଷ୍ମକାଳରେ ଘନ ଘନ ବିଦ୍ୟୁତ କାଟ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଦଳ ମତ ନିର୍ବିଶେଷରେ ବିଧାୟକମାନେ ଶକ୍ତି ବିଭାଗ ସଂକ୍ରାନ୍ତ ବିଧାନସଭା ଗୃହ କମିଟି ବୈଠକରେ ଏ ସଂକ୍ରାନ୍ତରେ ଆପତ୍ତି ଉଠାଇଥିଲେ ହେଁ, ଘରୋଇ ଆବଣ୍ଟନ କଂପାନିମାନେ ଖାତିର କରୁ ନାହାନ୍ତି। କେବଳ ସେତିକି ନୁହେଁ, ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଦିନରେ ବିଦ୍ୟୁତ୍ କାଟ୍ ନ କରିବା ଲାଗି ଦେଇଥିବା ନିର୍ଦେଶର ବି ସାମାନ୍ୟତମ ପ୍ରଭାବ ପଡ଼ିନାହିଁ। ଏହାକୁ ନେଇ ପୂରା ଓଡ଼ିଶାରେ (ବିଶେଷକରି ଗ୍ରାମାଞ୍ଚଳରେ) ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।
ନୂଆଦିଲ୍ଲୀସ୍ଥିତ ଶକ୍ତି, ପରିବେଶ ଓ ଜଳ ପରିଷଦ ଘରୋଇ କ୍ଷେତ୍ରରେ ଶକ୍ତି ବ୍ୟବହାର ସଂପର୍କରେ ତାର ରିପୋର୍ଟ ପ୍ରକାଶ କରିଛି। କାଉନସିଲ୍ ଅନ୍ ଏନର୍ଜି, ଏନ୍ଭାୟରନମେଣ୍ଟ ଏଣ୍ଡ ଵାଟର୍, ୨୦୨୦ ମସିହା ରିପୋର୍ଟରେ କୁହାଯାଇଛି ଯେ ଭାରତବର୍ଷରେ କୌଣସି ରାଜ୍ୟ ପାଵାର କଟ୍ରୁ ମୁକ୍ତ ନୁହେଁ। ହେଲେ ଉଦ୍ବେଗର ବିଷୟଟି ହେଉଛି ଯେ ଓଡ଼ିଶାର ଗ୍ରାମାଞ୍ଚଳର ପାଵାର କଟ୍ ଜାତୀୟ ହାରାହାରି ପାଵାର୍ କଟ୍ ସମୟ ଅବଧି ଠାରୁ ଅଧିକ ରହିଛି। ଜାତୀୟସ୍ତରରେ ସହରାଞ୍ଚଳରେ ଦିନକୁ ହାରାହାରି ୧ ଘଣ୍ଟା ୪୦ ମିନିଟ୍ ପାଵାର୍ କଟ୍ ହେଉଛି; ଗ୍ରାମାଞ୍ଚଳରେ ଏହା ୪ ଘଣ୍ଟା ଅଟେ। ଓଡ଼ିଶାରେ କିନ୍ତୁ ଗ୍ରାମାଞ୍ଚଳରେ ଦୈନିକ ୪ ଘଣ୍ଟା ୧୦ ମିନିଟ୍ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ ସହରାଞ୍ଚଳରେ ଜାତୀୟ ହାରଠାରୁ ସାମାନ୍ୟ କମ୍ ଅର୍ଥାତ୍ ୧ ଘଣ୍ଟା ୩୦ ମିନିଟ୍ ପାଖାପାଖି ଲୋକ ଅନ୍ଧାରରେ ରହୁଛନ୍ତି।
ଗ୍ରାମାଞ୍ଚଳରେ ୪ଘଣ୍ଟା, ସହରାଞ୍ଚଳରେ ଦେଢ଼ ଘଣ୍ଟା
ଦିଲ୍ଲୀରେ ଦୈନିକ ୩୦ ମିନିଟ୍, ୟୁପିରେ ସର୍ବାଧିକ୮ ଘଣ୍ଟା
ଓଡ଼ିଶାରେ ୬୫୦୦ ମେଗାଵାଟ୍ ଅଛି, ଚାହିଦାଠୁ ଯଥେଷ୍ଟ ଅଧିକ
ଆବଣ୍ଟନ କଂପାନିଙ୍କ ବେଖାତିର, କେଳେଙ୍କାରୀରେ ବିଭାଗ ଲଟପଟ

ଉକ୍ତ ରିପୋର୍ଟ କହୁଛି ଯେ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ପାଵାର୍ କଟ୍ ହେଉଛି। ସେଠାରେ ଗ୍ରାମାଞ୍ଚଳରେ ଦୈନିକ ଆଠ ଘଣ୍ଟା ଏବଂ ସହରାଞ୍ଚଳରେ ଚାରି ଘଣ୍ଟା ପାଵାର କଟ୍ କରାଯାଉଛି। ଓଡ଼ିଶା ଠାରୁ ଅଧିକ ପାଵାର କଟ୍ ଝାଡ଼ଖଣ୍ଡ, ହରିୟାଣା, ଆସାମ, ବିହାର, ରାଜସ୍ଥାନ, ଛତିଶଗ଼ଡ଼ ଭଳି ରାଜ୍ୟରେ ହେଉଛି। ଏ କ୍ଷେତ୍ରରେ ଉଲ୍ଲେଖନୀୟ ଦିଗଟି ହେଉଛି, ବିକଶିତ ରାଜ୍ୟରେ ପାଵାର୍ କଟ୍ ପରିମାଣ ଯଥେଷ୍ଟ କମ୍। ଦିଲ୍ଲୀରେ ସବୁଠାରୁ କମ୍ ସମୟ ପାଵାର କଟ୍ କରିବାକୁ ପଡ଼ୁଛି। ଏଠାରେ ଦୈନିକ ପାଵାର କଟ୍ ଅବଧି ମାତ୍ର ୩୦ ମିନିଟ୍ ରହିଛି। ସେହିଭଳି ଜାତୀୟ ହାରାହାରି ପାଵାର କଟ୍ ଠାରୁ ଯଥେଷ୍ଟ କମ୍ ସମୟ ପାଵାର୍ କଟ୍ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଞ୍ଜାବ, ତାମିଲନା଼ଡୁ, ଗୁଜରାଟ, କେରଳରେ ହେଉଛି। କେରଳରେ ପାଵାର କଟ୍ ସମୟ ଦିଲ୍ଲୀ ପରେ ତଳଆଡୁ ଦ୍ବିତୀୟ ସ୍ଥାନରେ ଥିବା ବେଳେ ଗୁଜରାଟ ଏହି ଧାରାରେ ତୃତୀୟରେ ରହିଛି। କେଉଁଠି ନା କେଉଁଠି ଏହି ଚିତ୍ର ସୂଚାଇ ଦେଉଛି ଯେ ଭାରତ ଶକ୍ତି କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିପାରୁନାହିଁ। ବିକଶିତ ରାଜ୍ୟଗୁଡିକ ଜାତୀୟ ହାରାହାରି ପାଵାର କଟ୍ ଠାରୁ କମ୍ ସମୟ ବିଦ୍ୟୁତ୍ କାଟ୍ କରୁଥିବା ବେଳେ ପଛୁଆ ରାଜ୍ୟଗୁଡିକ ଜାତୀୟ ହାରାହାରି ପାଵାର କଟ୍ ଠାରୁ ଅଧିକ କରୁଛନ୍ତି।
ଏହି ରିପୋର୍ଟ କିନ୍ତୁ ଓଡ଼ିଶା କ୍ଷେତ୍ରରେ ଆଉ ଏକ ରହସ୍ୟର ଉନ୍ମୋଚନ କରିଛି। ବିଦ୍ୟୁତ୍ ଆବଣ୍ଟନ କଂପାନି କିଭଳି ଅଘୋଷିତ ଭାବେ ବିଦ୍ୟୁତ୍ କାଟ୍ କରିଚାଲିଛନ୍ତି, ଏହାର ପର୍ଦାଫାଶ ହୋଇଛି। ଘନ ଘନ ବିଦ୍ୟୁତ୍ କାଟ୍ ହେଉଥିବା ବେଳେ କଂପାନିମାନେ ଏହାକୁ ଅସ୍ବୀକାର କରି ଚାଲିଛନ୍ତି। ଲୋକେ ଫୋନ୍ କଲେ କେତେବେଳେ ମରାମତି ଚାଲିଛି ବୋଲି କୁହାଯାଉଛି, ଆଉ କେବେ ଅଧିକାରୀମାନେ ଫୋନ୍ ଧରନ୍ତି ନାହିଁ।

ଶକ୍ତି ସମୀକ୍ଷକମାନଙ୍କର ଯୁକ୍ତି ହେଲା ଯେ ଓଡ଼ିଶାର ପ୍ରାକୃତିକ ସମ୍ପଦ ମହଜୁଦ ରହିଛି। ରାଜ୍ୟ ଶକ୍ତି କ୍ଷେତ୍ରରେ ଏକ ସୁବିଧାଜନକ ସ୍ଥିତିରେ ରହିଛି ଓ ବରଦାନ ବୋଲି କୁହାଯାଇପାରିବ। ହେଲେ ଏହାକୁ ଠିକ୍ ଭାବରେ ବ୍ୟବହାର କରାଯାଇପାରୁନାହିଁ। ଓଡ଼ିଶା ଶକ୍ତି କ୍ଷେତ୍ରରେ ସର୍ବ ଭାରତ ସ୍ତରରେ ଏକ ନମ୍ବର ହେବାର ଯୋଗ୍ୟତା ଥିଲେ ବି ପରିଚାଳନାଗତ ଅପାରଗତା ଏତେ ପ୍ରବଳ ହୋଇଛି ଯେ ପିକ୍ ସମୟରେ ପାୱାର କଟ୍ କରାଯାଉଛି। ଗ୍ରାମାଞ୍ଚଳ କଥା ନକହିବା ଭଲ। ସର୍ବ ଭାରତ ସ୍ତରରେ ଓଡ଼ିଶା ପାୱାର କଟ କରିବାରେ ଜାତୀୟ ହାରାହାରି ପାୱାର କଟ ଠାରୁ ଅଧିକ ରହିବା ଗୋଟିଏ ଲଜ୍ଜାଜନକ ଘଟଣା।
ତଥ୍ୟ କହୁଛି ଯେ ଓଡ଼ିଶାରେ ଗ୍ରୀଷ୍ମ ଋତୁରେ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ୫୫୦୦ ମେଗାଵାଟ୍ ରହୁଛି। ହେଲେ ରାଜ୍ୟରେ ବିଭିନ୍ନ ସୂତ୍ରରୁ ପ୍ରାୟ ୬୫୦୦ ମେଗାଵାଟ୍ ବିଦ୍ୟୁତ୍ ଉପଲବ୍ଧ ଅଛି। ଓଡ଼ିଶା ଜଳ ବିଦ୍ୟୁତ୍ ନିଗମର କ୍ଷମତା ୨୧୦୦ ମେଗାଵାଟ୍। ଏହି ସଂସ୍ଥା ଅତି କମରେ ୧୫୦୦ ମେଗାଵାଟ୍ (୧୮୦୦ ମେଗାଵାଟ୍ ବି ଉତ୍ପାଦନ କରିପାରେ) ବିଦ୍ୟୁତ୍ ଉତ୍ପାଦନ କରିବାର ସାମର୍ଥ୍ୟ ରଖେ। ଓଡ଼ିଶା ବିଦ୍ୟୁତ ଉତ୍ପାଦନ ନିଗମର ସ୍ଥାପିତ କ୍ଷମତା ୧୭୪୦ ମେଗାଵାଟ୍। ଏଠାରୁ ଅତି କମରେ ୧୨୭୦ ମେଗାଵାଟ୍ ବିଦ୍ୟୁତ ଉପଲବ୍ଧ ହେବା କଥା। ବେଦାନ୍ତ, ଜିଏମ୍ଆର୍, ଜିନ୍ଦଲ, ନବଭାରତ ଭଳି ବେସରକାରୀ ସ୍ବାଧୀନ ବିଦ୍ୟୁତ କେନ୍ଦ୍ରଗୁଡିକରୁ ରାଜ୍ୟ ଦୈନିକ ୯୬୦ ମେଗାଵାଟ୍ ବିଦ୍ୟୁତ ପାଇବାକୁ ହକ୍ଦାର୍। କେବଳ ସେତିକି ନୁହେଁ, ଏହି ବିଦ୍ୟୁତ୍ ଅତି ସୁଲଭ ଦରରେ ଉପଲବ୍ଧ, ଯାହାକୁ ଆମେ ବର୍ଷ ବର୍ଷ ଧରି ହାତଛଡ଼ା କରିଆସିଛନ୍ତି। ଘରୋଇ କଂପାନିଙ୍କୁ ଅନୁକମ୍ପା ପ୍ରଦର୍ଶନ କରିବାକୁ ଯାଇ ରାଜ୍ୟର ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ କେବଳ ମହଙ୍ଗା ବିଦ୍ୟୁତ ଦିଆଯାଇଛି ଏବଂ ଅନ୍ଧାରରେ ବି ରଖାଯାଇଛି। ସେହିଭଳି ଶିଳ୍ପମାନଙ୍କ ପାଇଁ ସ୍ଥାପିତ ନିଜସ୍ବ ବିଦ୍ୟୁତ କେନ୍ଦ୍ରଗୁଡିକରୁ ରାଜ୍ୟ ୫୫୦ ମେଗାଵାଟ୍ ପାଇପାରିବ। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ଥାପିତ ଜଳ ଓ ତାପଜ ବିଦ୍ୟୁତ କେନ୍ଦ୍ରରୁ ୧୭୦୦ ମେଗାଵାଟ୍ ଏବଂ ଅକ୍ଷୟ ଶକ୍ତି ସୂତ୍ରରୁ ୪୫୦ ମେଗାଵାଟ୍ ସମୁଦାୟ ୨୧୫୦ ମେଗାଵାଟ୍ ବିଦ୍ୟୁତ ମିଳିବାର ସୁଯୋଗ ରହିଛି। ମୋଟାମୋଟି ଭାବେ ରାଜ୍ୟ ସୂତ୍ରରୁ ୪୩୫୦ ମେଗାଵାଟ୍ ଏବଂ କେନ୍ଦ୍ର ସୂତ୍ରରୁ ୨୧୫୦ ମେଗାଵାଟ୍ ଏହିଭଳି ଦୈନିକ ୬୫୦୦ ମେଗାଵାଟ୍ ଉପଲବ୍ଧ ଥିବା ବେଳେ ଏହାଠାରୁ ପାଖାପାଖି ହଜାରେ ମେଗାଵାଟ୍ରୁ କମ୍ ବିଦ୍ୟୁତ ଚାହିଦା ପିକ୍ ସମୟରେ ରହିଛି। ଏତେ ସୁବିଧାରେ ଥାଇ ବି ରାଜ୍ୟରେ ବିଦ୍ୟୁତ୍ କାଟ୍ କରାଯିବା ପ୍ରଶାସନିକ ଅପରାଗତା, ଦୂରଦୃଷ୍ଟିହୀନତା ଏବଂ ଏକ ବିଡ଼ମ୍ବନା ବୋଲି ହିଁ କୁହାଯାଇପାରିବ।

କେବଳ ସେତିକି ନୁହେଁ, ଗତ ଦଶନ୍ଧିରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୨୦ ହଜାର କୋଟି ଟଙ୍କା ପୁଞ୍ଜି ବିନିଯୋଗ ହୋଇଛି, ଖାସ୍ ଭିତ୍ତିଭୂମିର ବିକାଶ ଲାଗି। ଏହାସତ୍ତ୍ବେ ମରାମତି, ରକ୍ଷଣାବେକ୍ଷଣ କାରଣରୁ ବିଦ୍ୟୁତ୍ କାଟ୍ ଏବଂ ବାଣିଜ୍ୟ ଓ ବିତରଣ ଜନିତ କ୍ଷତି (ହାରାହାରି ୨୮%) ସୂଚାଇ ଦେଉଛି ଯେ ସମୁଦାୟ କ୍ଷେତ୍ରଟି ଗୋଟିଏ ବଡ କେଳେଙ୍କାରୀ ଭିତରେ ଛନ୍ଦି ହୋଇଯାଇଛି। ଏହାର ଉଚ୍ଚସ୍ତରୀୟ ଅନୁସନ୍ଧାନ କରାଗଲେ, ସମ୍ଭବତଃ ଏହା ଗତ ଦଶନ୍ଧିର ସବୁଠୁ ବଡ ଦୁର୍ନୀତି ଭାବେ ଉଭା ହେବ।