ସ୍ଥାଣୁ ପାଲଟିଛି ଆର୍‌ଡିଏ! ଯୋଜନାରେ ସୀମିତ ଏକାଧିକ ପ୍ରକଳ୍ପ

ବାସଗୃହ ପ୍ରକଳ୍ପ, ମାର୍କେଟ୍‌ କଂପ୍ଲେକ୍ସ ଦିବାସ୍ବପ୍ନ

ରାଉରକେଲା: ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ସାମଗ୍ରିକ ବିକାଶ ପାଇଁ ସ୍ଥାପନ କରାଯାଇଥିଲା ରାଉରକେଲା ବିକାଶ ପ୍ରାଧିକରଣ(ଆର୍‌ଡିଏ)। ରାଉରକେଲା ପୌରାଞ୍ଚଳ ସମେତ ଇସ୍ପାତ ସହରାଞ୍ଚଳ ସମେତ ରାଜଗାଙ୍ଗପୁର, ବିରିମିତ୍ରପୁର, ସୁନ୍ଦରଗଡ ଅଞ୍ଚଳକୁ ଆର୍‌ଡିଏ ଅଧୀନକୁ ଅଣାଯାଇଥିଲା। ଉଦ୍ଦେଶ୍ୟଥିଲା, ଏସବୁ ଅଞ୍ଚଳର ଭିତ୍ତିଭୂମି ତଥା ଯୋଜନାବଦ୍ଧ ଓ ବ୍ୟବସ୍ଥିତ ବିକାଶକରି ଅଗ୍ରଣୀ ସହରଭାବେ ଗଢ଼ିତୋଳିବା। ସହରବାସୀଙ୍କୁ ବାସଗୃହ ଯୋଗାଇବାକୁ ହାଉସିଂ କଲୋନି, ବ୍ୟବସାୟ ବୃଦ୍ଧି ପାଇଁ ସପିଂ କମ୍ପ୍ଲେକ୍ସ, ଶିଳ୍ପାଞ୍ଚଳ ନିର୍ମାଣ ସମେତ ବସ୍ତିର ବିକାଶ କରିବା। କିନ୍ତୁ ଆର୍‌ଡିଏ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇସାରିଲାଣି। ଦଶନ୍ଧି ପୂର୍ବେ ଯେଉଁସବୁ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା, ତାକୁ ରକ୍ଷଣାବେକ୍ଷଣ କରିବାରେ ସକ୍ଷମ ହେଉନଥିବାବେଳେ ନୂଆ ପ୍ରକଳ୍ପ ନିର୍ମାଣ ଦିବାସ୍ବପ୍ନ ପାଲଟିଛି।
୩୦/୪୦ ବର୍ଷ ପୂର୍ବେ ଆର୍‌ଡିଏ ପକ୍ଷରୁ ଭିଏସ୍‌ଏସ୍‌ ମାର୍କେଟ୍‌, ଛେଣ୍ଡ୍‌ ଏଚ୍‌.ଡି.ମାର୍କେଟ୍‌, ସିଭିଲିଟାଉନସିପ ତରଙ୍ଗିନୀ ମାର୍କେଟ, ବାସନ୍ତୀକଲୋନି ଶିଶୁସଦନ ମାର୍କେଟ୍‌, ସିଭିଲ ଟାଉନସିପ୍‌ ଲାୟନ୍ସ ହସପିଟାଲ ପାଖ ମାର୍କେଟ୍‌, ରାଉରକେଲା ବସ୍‌ଷ୍ଟାଣ୍ଡ୍‌ ଆଦି ପାଖାପାଖି ୧୮ରୁ ଅଧିକ ମାର୍କେଟ୍‌ କଂପ୍ଲେକ୍ସ ନିର୍ମାଣ କରାଯାଇଥିଲା। ଏତଦ୍‌ବ୍ୟତୀତ ଛେଣ୍ଡ୍‌, ବାସନ୍ତୀକଲୋନିରେ ପ୍ରାୟ ହଜାରେରୁ ଅଧିକ ବାସଗୃହ ନିର୍ମାଣ ନିର୍ମାଣ ହୋଇଛି। ଆର୍‌ଡିଏ ସ୍ଥାପିତ ହେବାର ତିନି ଦଶନ୍ଧି ବିତିସାରିଥିଲେ ସୁଦ୍ଧା ବାସ୍‌ ଏତିକିରେ ସୀମିତ ରହିଛି ଆର୍‌ଡିଏ ପ୍ରକଳ୍ପ। ଏହାପରେ ଏକାଧିକ ଯୋଜନା କରାଯାଇଛି, ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ ହୋଇଛି, କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ତଥା ଦୂରଦର୍ଶୀତାର ଅଭାବଯୋଗୁଁ ପ୍ରକଳ୍ପ ବାସ୍ତବରୂପ ନେଇପାରିନି।
୨୦୧୪ ନଭେମ୍ବର ୨୭ ତାରିଖରେ ଆର୍‌ଡିଏ ଅଧ୍ୟକ୍ଷଭାବେ ସାରଦା ପ୍ରସାଦ ନାୟକ ଦାୟୀତ୍ବ ନେବାପରେ ୫ ବର୍ଷ ଭିତରେ ୨୦ ହଜାର ବାସଗୃହ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଶ୍ରୀ ନାୟକ କହିଥିଲେ, ପ୍ରାୟ ୬.୧୭ ଏକର ଜମିରେ ତିନିଟି ବହୁ ମହଲା ବିଶିଷ୍ଟ ଆବାସିକ ଆପାର୍ଟମେଣ୍ଟ୍‌, ଛେଣ୍ଡ୍‌ କଲୋନିରେ ୪୨ ଡିସିମିଲରୁ ଅଧିକ ଜମିରେ ଦୁଇଟି ସପିଂ କମ୍ପ୍ଲେକ୍ସ ନିର୍ମାଣ, ରାଉରକେଲା ବଣିକ ସଂଘ କାର୍ଯ୍ୟାଳୟ ପାଖରେ ୨.୨୫ ଏକର ଜମିରେ ବହୁ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ୍‌ ନିର୍ମାଣ କରାଯିବ। ଏହାସହ ଆରଡିଏ ଏବଂ ଓଡିଶା ଷ୍ଟେଟ୍‌ ହାଉସିଂ ବୋର୍ଡ(ଓଏସ୍ଏଚ୍‌ବି) ପକ୍ଷରୁ ମିଳିତଭାବେ ଛେଣ୍ଡ୍‌ କଲୋନିରେ ୧୦୮.୮୨ ଏକରରୁ ଅଧିକ ଜମିରେ ମେଗା ହାଉସିଂ ପ୍ରକଳ୍ପ ନିର୍ମାଣକରି ସୁଲଭ ମୂଲ୍ୟରେ ଘର ଯୋଗାଇବାକୁ ଶ୍ରୀ ନାୟକ ଘୋଷଣା କରିଥିଲେ। ତେବେ ଶ୍ରୀ ନାୟକ ପ୍ରାୟ ବର୍ଷକାଳ ଅଧ୍ୟକ୍ଷ ପଦବିରେ ରହିଥିଲେ ସୁଦ୍ଧା ପ୍ରସ୍ତାବିତ ପ୍ରକଳ୍ପର ଭାଗ୍ୟ ଫିଟିନଥିଲା। ଏବେ ବି ସ୍ଥିତିରେ ସୁଧାର ଆସିନି। ସଂପ୍ରତି କେବଳ ଛେଣ୍ଡ୍‌ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍‌ଡିଏକୁ ଦିଆଯାଇଥିବା ପ୍ରସ୍ତାବିତ ୧୦୮.୮୨ ଏକର ଜମିରେ ଆର୍ଥିକ ଅନଗ୍ରସର ବର୍ଗର ଲୋକଙ୍କ ପାଇଁ ବାସଗୃହପ୍ରକଳ୍ପ ନିର୍ମାଣ କରାଯାଇଛି। ଏଠାରେ ୬ଟି ବସ୍ତିର ୪୨୦ଟି ପରିବାରକୁ ବାସଗୃହ ଯୋଗାଇ ଦିଆଯିବ। ଉଭୟ ରାଉରକେଲା ମହାନଗର ନିଗମ ଅଞ୍ଚଳ ଓ ଇସ୍ପାତ ସହରାଞ୍ଚଳରେ ପାଖାପାଖି ୩୦୦ରୁ ଅଧିକ ବସ୍ତିରେ ଲକ୍ଷାଧିକ ଗରିବଶ୍ରେଣୀର ଲୋକ ବସବାସ କରୁଥିବାବେଳେ କେବଳ ୪୨୦ ପରିବାରକୁ ଥଇଥାନ, ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଏକ ସ୍ଥାଣୁ ପାଲଟିଯାଇଥିବା ଆର୍‌ଡିଏକୁ ପୁନଃ ଚଳଚଞ୍ଚଳ କରି ଅସଲ ଉଦ୍ଦେଶ୍ୟ ସାଧାନ ଦିଗରେ ଆଗଭର କରିବା ହିଁ ଏକମାତ୍ର ବିକଳ୍ପ ପାଲଟିଛି।
ଉଲ୍ଲେଖଯୋଗ୍ୟ, ୧୯୫୯ ଫେବ୍ରୁଆରି ୩ ତାରିଖରେ ଦେଶର ପ୍ରଥମ ରାଷ୍ଟ୍ରାୟତ ଉଦ୍ୟୋଗ, ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କାର୍ଯ୍ୟକ୍ଷମ ହେବାପରେ ରାଉରକେଲା ନୂଆ ପରିଚୟ ପାଇଥିଲା। କ୍ରମଶଃ ରାଉରକେଲାର କଳେବର ବୃଦ୍ଧିପାଇବାରେ ଲାଗିଥିଲା। ରାଉରକେଲା ସହରର ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ୧୯୬୪ ମସିହାରେ ସ୍ୱତନ୍ତ୍ର ଯୋଜନା ପ୍ରାଧିକରଣ ଗଠନ କରାଯାଇଥିଲା। ପରେ, ୧୯୭୬ ଜାନୁଆରି ୨୬ ତାରିଖରେ ଏହି ସଂସ୍ଥା, ରାଉରକେଲା ଆଞ୍ଚଳିକ ବିକାଶ ଟ୍ରଷ୍ଟ (ଆର୍‌ଆର୍‌ଆଇଟି)ରେ ରୂପାନ୍ତରିତ କରାଯାଇଥିଲା। ଆର୍‌ଆର୍‌ଆଇଟି ଗଠନ ହେବା ପରଠାରୁ ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ବାରା ମ୍ୟାନେଜମେଣ୍ଟ ବୋର୍ଡ୍‌ ପରିଚାଳିତ ହୋଇଥିଲା। ତେବେ ୧୯୯୫ ମସିହା ଅକ୍ଟୋବର ୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅମଳରେ ଏହି ସଂସ୍ଥା ଆର୍‌ଡିଏରେ ପରିଣତ ହୋଇଥିଲା।
ସମ୍ବନ୍ଧିତ ଖବର