୨୫ରୁ ପ୍ରବଳ ବର୍ଷିବ! : ଅନୁଗୁଳରେ ୧୧୦ ମି.ମି. ବର୍ଷା, ସପ୍ତାହକ ପରେ ତାତିରୁ ଆଶ୍ୱସ୍ତି

୨୪ରେ ସକ୍ରିୟ ହୋଇପାରେ ମୌସୁମୀ

ଭୁବନେଶ୍ୱର : ସପ୍ତାହେ ପରେ ତାତିରୁ ମିଳିଛି ଆଶ୍ୱସ୍ତି। ପଶ୍ଚିମ ଓଡ଼ିଶାକୁ ଛାଡ଼ି ସବୁଠି ତାପମାତ୍ରା ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି। କୋହଲା ପାଗ ସାଙ୍ଗକୁ ବର୍ଷା ମଧ୍ୟ ହୋଇଛି। ଯେଉଁଥିପାଇଁ ବଲାଙ୍ଗୀର ଓ ଟିଟିଲାଗଡ଼କୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳକୁ ଚାଲି ଆସିଛି।

ସବୁଠାରୁ ବଡ଼ କଥା ହେଲା ଆଜି ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଅନୁଗୁଳରେ ଦେଶର ଦ୍ୱିତୀୟ ସବୁଠାରୁ ଅଧିକ ବର୍ଷା ହୋଇଛି। ଏଠାରେ ୧୧୦ ମି.ମି. ଅର୍ଥାତ୍‌ ୧୧ ସେ.ମି. ବର୍ଷା ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ହରନାଇରେ ସର୍ବାଧିକ ୧୬ ସେ.ମି. ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ବାଲେଶ୍ୱରରେ ୫ ସେ.ମି. ଓ ଚାନ୍ଦବାଲିରେ ୩ ସେ.ମି. ବର୍ଷା ହୋଇଛି, ଯାହାକି ଦେଶର ସବୁଠାରୁ ଅଧିକ ବର୍ଷା ହୋଇଥିବା ୬ଟି ସ୍ଥାନ ମଧ୍ୟରେ ରହିଛି।

ବର୍ଷା ଯୋଗୁଁ ଅନୁଗୁଳରେ ଆଜି ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ଗତକାଲି ପର୍ଯ୍ୟନ୍ତ ଏଠାରେ ତାପମାତ୍ରା ୪୦ ଡିଗ୍ରିରୁ ଅଧିକ ରହୁଥିବା ବେଳେ ମାତ୍ର କିଛି ସମୟ ମଧ୍ୟରେ ପାଗରେ ପରିବର୍ତନ ହେବା ଦ୍ୱାରା ତାହାର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡ଼ିଛି। ସହରର ଅନେକ ସ୍ଥାନରେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ମାତ୍ର ୪ ଘଣ୍ଟା ମଧ୍ୟରେ ୧୧୦ ମି.ମି. ବର୍ଷା ହୋଇଛି।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏପର୍ଯ୍ୟନ୍ତ ଓଡ଼ିଶାରେ ସକ୍ରିୟ ହୋଇନାହିଁ। ପୂର୍ବ ଭାରତରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବି ସ୍ଥିର ରହିଛି। ତାହା ପ୍ରଭାବରେ ୨୪ ତାରିଖ ବେଳକୁ ମୌସୁମୀ ପୁଣିଥରେ ସକ୍ରିୟ ହେବ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଆସାମର ବାକି କିଛି ସ୍ଥାନରେ ମୌସୁମୀ ପ୍ରବାହ କରିବ। ଫଳରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗ ଆହୁରି ଆକଳନ କରିଛି କି ଜୁନ୍‌ ୨୪ ଅପରାହ୍ନରୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ୨୫ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ସମେତ ଉତ୍ତର ଓ ପଶ୍ଚିମ ସୀମାନ୍ତ ଜିଲ୍ଲାଗୁଡ଼ିକରେ ୫୦ ମି.ମି.ରୁ ଅଧିକ ବର୍ଷା ହେବ। ୨୬ରୁ ୨୮ ତାରିଖ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତିିପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ମୌସୁମୀ ସକ୍ରିୟ ହେବା ପୂର୍ବରୁ ଆସନ୍ତା ୨୨ ଓ ୨୩ ତାରିଖରେ ଉପକୂଳ, ଅଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦେଶକ ଏଚ୍‌.ଆର. ବିଶ୍ୱାସ କହିଛନ୍ତି ଯେ ୨୨ ଓ ୨୩ ତାରିଖରେ ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ, ବାଲେଶ୍ୱର, ମୟୂରଭଞ୍ଜ ପ୍ରଭୃତି ଜିଲ୍ଲାରେ କାଳବୈଶାଖୀ ସହ ବଜ୍ରପାତ ହୋଇପାରେ। ମୌସୁମୀ ଏବେ ସକ୍ରିୟ ହୋଇ ନାହିଁ। ୨୪ ତାରିଖରେ ସକ୍ରିୟ ହେବା ପରେ ବର୍ଷା କିଭଳି ରହିବ ତାହା ଜଣାପଡ଼ିବ। ୨୫ ଓ ୨୬ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ।

ଅନ୍ୟପକ୍ଷରେ ଗତ ୧୨ ଘଣ୍ଟା ମଧ୍ୟରେ ଉପକୂଳ ସମେତ ଉତ୍ତର ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଛି। ଅନୁଗୁଳରେ ୧୧ ସେ.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୪୭, ଢ଼େଙ୍କାନାଳରେ ୩୬, ଚାନ୍ଦବାଲିରେ ୨୭, କେନ୍ଦୁଝରରେ ୬, ଭୁବନେଶ୍ୱରରେ ୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ରାତି ପର୍ଯ୍ୟନ୍ତ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ଜାରି ରହିଛି। ସକାଳ ସମୟରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ସମ୍ବନ୍ଧିତ ଖବର