ପିଲା ନାମ ଲେଖାଇଲେନି, କଲେଜରେ ଲକ୍ଷାଧିକ ସିଟ୍‌ ଖାଲି

ଯୁକ୍ତ ଦୁଇରେ ୯୭ହଜାର ଖାଲି, ଯୁକ୍ତ ତିନିରେ ୪୩ ହଜାର, ଯୁକ୍ତ୩ ପାଇଁ ପୁଣିଥରେ ହେବ ନାମଲେଖା, ୧୭ରୁ ୨୦ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ଯୁକ୍ତ ୩ ଓ ଉଚ୍ଚ ମାଧ୍ୟମିକ ବିିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଲକ୍ଷାଧିକ ସିଟ୍‌ ବଳକା ରହିଛି। ଯୁକ୍ତ୨ କଲେଜଗୁଡ଼ିକରେ ୯୬ ହଜାର ୮୫୨ ସିଟ୍‌ ଖାଲି ରହିଥିବା ବେଳେ ଯୁକ୍ତ ୩ରେ ଏହି ସଂଖ୍ୟା ୪୩ ହଜାର ୫୨୭ ରହିଛି। ଉଦ୍‌ବେଗର ବିଷୟ ହେଉଛି, କେତେକ କଲେଜରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏକ ଅଙ୍କ ବି ଟପିନାହିଁ। ଏପରିକି ଭୁବନେଶ୍ୱରର କିଛି ଯୁକ୍ତ୨ କଲେଜରେ ଜଣେ ବି ପିଲା ନାମ ଲେଖାଇ ନ ଥିବା ସୂଚନା ମିଳିଛି।

ଏତେ ସଂଖ୍ୟକ ସିଟ୍‌ ଖାଲି ପଡ଼ିଥିବାରୁ ଯୁକ୍ତ୩ କଲେଜଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ନାମଲେଖାଯିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଖାଲିଥିବା ଅନର୍ସ ଓ ସାଧାରଣ ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ଏହି ପର୍ଯ୍ୟାୟରେ ବି ବିଭିନ୍ନ ବର୍ଗ ପିଲାଙ୍କ ଲାଗି ସିଟ୍‌ ସଂରକ୍ଷିତ ରହିବ। ଯଦି ଆବେଦନକାରୀ ନ ହୁଅନ୍ତି ତେବେ ଅନ୍ୟମାନଙ୍କ ମଧ୍ୟରେ ଏସବୁ ସିଟ୍‌ ଆବଣ୍ଟନ କରାଯିବ। କଲେଜସ୍ତରରେ ଅଫ୍‌ଲାଇନ୍‌ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ଆସନ୍ତା ୧୭ରୁ ୨୦ ତାରିଖ ମଧ୍ୟରେ କଲେଜସ୍ତରରେ କମନ୍‌ ଆପ୍ଲିକେସନ୍‌ ଫର୍ମ(ସିଏଏଫ୍‌) ଦାଖଲ କରିପାରିବେ। ୨୧ ତାରିଖରେ କଲେଜ ନୋଟିସ୍‌ ବୋର୍ଡରେ ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୩ରେ ନାମଲେଖା ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଉଲ୍ଲେଖଯୋଗ୍ୟ, ଯୁକ୍ତ୩ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ୮୭୮ ସାଧାରଣ କଲେଜ ଓ ୧୪୧ଟି ସଂସ୍କୃତ କଲେଜ ପାଇଁ ଏଥର ନାମଲେଖା ହେଉଛି। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ପରେ ସାଧାରଣ ବର୍ଗର ମୋଟ ୨ ଲକ୍ଷ ୩୫ ହଜାର ୨୬୮ ସିଟ୍‌ ମଧ୍ୟରୁ ୧ ଲକ୍ଷ ୯୧ ହଜାର ୭୪୧ ସିଟ୍‌ ପୂରଣ ହୋଇଛି। ଆହୁରି ୪୩ ହଜାର ୫୨୭ ସିଟ୍‌ ବଳକା ରହିଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ବେଳେ ୧ ଲକ୍ଷ ୫୧ ହଜାର ୩୬୮ ସିଟ୍‌ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୧ ହଜାର ୪୯୭ ସିଟ୍‌ ପୂରଣ ହୋଇଛି। ସଂସ୍କୃତ କଲେଜରେ ଥିବା ୯,୨୧୨ ସିଟ୍‌ ମଧ୍ୟରୁ ୫,୯୮୩ ସିଟ୍‌ ପୂରଣ ହୋଇଛି। ଆଉ ୩,୨୨୯ ସିଟ୍‌ ଖାଲି ରହିଥିବା ନେଇ ସୂଚନା ମିଳିଛି।

ଅନ୍ୟପକ୍ଷରେ ସାରା ରାଜ୍ୟରେ ୨୦୦୩ଟି ଉଚ୍ଚ ମାଧ୍ୟମିକ ବିିଦ୍ୟାଳୟ(ଯୁକ୍ତ୨ କଲେଜ) ରହିଛି। ସେଥିମଧ୍ୟରୁ ୧୫୯୬ଟି ସାଧାରଣ କଲେଜ ହୋଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ୨୩୧ ଓ ସଂସ୍କୃତରେ ୧୭୪ଟି କଲେଜ ରହିଛି। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ୪ ଲକ୍ଷ ୪୮ ହଜାର ୭୪୭ ସିଟ୍‌ ମଧ୍ୟରୁ ୯୬ ହଜାର ୮୫୨ ଖାଲି ରହିଛି। କଳା ବିଭାଗରେ ୧୫ ହଜାର ୫୯ ସିଟ୍‌ ଖାଲି ରହିଥିବା ବେଳେ ବିଜ୍ଞାନରେ ୫୪ ହଜାର ୩୯୨, ବାଣିଜ୍ୟରେ ୧୯ ହଜାର ୮୬୮, ସଂସ୍କୃତରେ ୨,୬୯୦ ଓ ଧନ୍ଦାମୂଳକ ଶିକ୍ଷାରେ ୪,୮୪୩ ସିଟ୍‌ ବଳକା ରହିଛି। କଳା ବିଭାଗରେ ୨ ଲକ୍ଷ ୩୬ ହଜାର ୮୯୪ ସିଟ୍‌ ରହିଥିବା ବେଳେ ୨ ଲକ୍ଷ ୨୧ ହଜାର ୮୩୬ ସିଟ୍‌ ପୂରଣ ହୋଇଛି। ବିଜ୍ଞାନରେ ୧ ଲକ୍ଷ ୪୩ ହଜାର ୩୭୮ ସିଟ୍‌ ମଧ୍ୟରୁ ୮୮ ହଜାର ୯୮୬, ବାଣିଜ୍ୟରେ ୪୫ ହଜାର ୪୧୧ରୁ ୨୫ ହଜାର ୫୪୩, ସଂସ୍କୃତରେ ୧୧ ହଜାର ୯୭୬ରୁ ୯,୨୮୬ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୧ ହଜାର ୮୮ ସିଟ୍‌ ମଧ୍ୟରୁ ମାତ୍ର ୬,୨୪୫ ସିଟ୍‌ ପୂରଣ ହୋଇଛି।

ସମ୍ବନ୍ଧିତ ଖବର