ଏଆଇ ଆଧାରିତ ଅଧିକ ସ୍ୱତନ୍ତ୍ର ଟ୍ରେନ୍‌ ଚା‌ଲିବ: ଅଶ୍ବିନୀ

ପୁରୀ ଷ୍ଟେସନରେ ରଥ ଯାତ୍ରା ପ୍ରସ୍ତୁତିର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ

ଭୁବନେଶ୍ବର/ପୁରୀ: ରଥଯାତ୍ରା ସମୟରେ ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସିବେ। ଏଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୩୨୫ଟି ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତି ହୋଇଛି। ଏହା ପୂର୍ବରୁ ଆଜି ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନ ପରିଦର୍ଶନ କରି ରଥଯାତ୍ରା ସମୟରେ ରେଳବାଇ ଦ୍ୱାରା ତୀର୍ଥଯାତ୍ରୀ ତଥା ଭକ୍ତଙ୍କ ସୁବିଧା ପାଇଁ କରାଯାଉଥିବା ବ୍ୟବସ୍ଥାଗୁଡ଼ିକର ନିରୀକ୍ଷଣ କରିବା ସହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ରେଳବାଇ ଦ୍ୱାରା ରଥ ଯାତ୍ରା ପାଇଁ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରି ରେଳ ମନ୍ତ୍ରୀ କହିଛନ୍ତି ଯେ ଏଥର ରଥଯାତ୍ରା ସମୟରେ ପୁରୀକୁ ପ୍ରାୟ ୧୫ଲକ୍ଷ ଶ୍ରଦ୍ଧାଳୁ ଆସିବେ ବୋଲି ଅାଶା କରାଯାଉଛି। ଯାତ୍ରୀଙ୍କ ସୁବିଧା ପାଇଁ ଚଳିତ ବର୍ଷ ସମୁଦାୟ ୩୧୫ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ଏହି ସ୍ୱତନ୍ତ୍ର ଟ୍ରେନଗୁଡ଼ିକ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ପଶ୍ଚିମବଙ୍ଗ ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତକୁ ପୁରୀ ସହିତ ସଂଯୋଗ କରାଯିବ। ଯାତ୍ରୀଙ୍କୁ ପୁରୀକୁ ଏବଂ ପୁରୀରୁ ନିଜ ଗନ୍ତବ୍ୟ ସ୍ଥଳକୁ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାର ବାଦାମପାହାଡ଼, ବାଙ୍ଗିରିପୋଷୀ, ରାଉରକେଲା, ସମ୍ବଲପୁର, ଜୁନାଗଡ଼ ରୋଡ, ସୋନପୁର, ଗୁଣୁପୁର, ବ୍ରହ୍ମପୁର, ଦଶପଲ୍ଲା, ଅନୁଗୁଳ, ପାରାଦୀପ, କେନ୍ଦୁଝରଗଡ଼, ଭଦ୍ରକ ଏବଂ ବାଲେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ପୁରୀ ସହିତ ସ୍ୱତନ୍ତ୍ର ଟ୍ରେନ ଦ୍ୱାରା ଯୋଡ଼ିବାକୁ ଯୋଜନା କରାଯାଇଛି। ଏହାବ୍ୟତୀତ, ଏଆଇ ଆଧାରିତ ଡାଇନାମିକ ସିଡୁଲିଂ ମାଧ୍ୟମରେ ଅଧିକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଇବାକୁ ଯୋଜନା କରାଯାଇଛି। ଯାହାଦ୍ୱାରା ଅଧିକ ଯାତ୍ରୀଙ୍କୁ ସେମାନଙ୍କ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାକୁ ସହାୟକ ହେବ। ଯେତେବେଳେ ଚାହିଦା ବୃଦ୍ଧି ପାଇବ ସେତେବେଳେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯିବ।

ପୁରୀ ଷ୍ଟେସନରେ ରଥ ଯାତ୍ରା ପ୍ରସ୍ତୁତିର ନିରୀକ୍ଷଣ କଲେ ରେଳ ମନ୍ତ୍ରୀ
୧୫ ଲକ୍ଷ ଯାତ୍ରୀଙ୍କୁ ଯାତାୟାତ ସୁବିଧା ପ୍ରଦାନ ଲକ୍ଷ୍ୟ
ଉଭୟ ମେଳା ସେଡ୍‌ ଓ ତୀର୍ଥଯାତ୍ରୀ ସେଡ୍‌ରେ ୨୫ ହଜାର ଯାତ୍ରୀ ବିଶ୍ରାମ ନେଇ ପାରିବେ

ରଥଯାତ୍ରା ମହୋତ୍ସବ ସମୟରେ ରେଳବାଇ ଦ୍ୱାରା କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପଗୁଡ଼ିକ ସମ୍ବନ୍ଧରେ ସୂଚନାଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଯେ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ, ଅନୁସନ୍ଧାନ କେନ୍ଦ୍ର, ଭିଡିଓ ୱାଲ୍ ପ୍ରଦର୍ଶନ, ମୋବାଇଲ୍ ଆପ୍ ଦ୍ୱାରା ଅଣସଂରକ୍ଷିତ ଟିକେଟ ପ୍ରଣାଳୀ, ଅତିରିକ୍ତ ଟିକେଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକେଟ୍ କାଉଣ୍ଟର, ୧୫ହଜାରରୁ ଅଧିକ ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର, ସେଡ୍ ଏବଂ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ଏବଂ ଆତିଥ୍ୟ, ମେଡିକାଲ ସୁବିଧା ସହିତ ଆମ୍ବୁଲାନ୍ସ, ସେବା ଏବଂ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ବିଦ୍ୟୁତ୍ ଯୋଗାଣ, ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା, ନିରାପତ୍ତା, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ସୁବିଧା ପ୍ରଦାନ କରିବାକୁ ରେଳବାଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର