ଟିକା ନେଲେଣି ୧ଲକ୍ଷ ୩୦ହଜାରରୁ ଅଧିକ

ଷଷ୍ଠ ଦିନରେ ୧୨୪ % ଟିକାକରଣ

ଟିକାକରଣରେ ଓଡ଼ିଶା ଦେଶରେ ତୃତୀୟ
ଆଉ ଜଣେ ମହିଳାଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା

ଭୁବନେଶ୍ବର : ରାଜ୍ୟରେ ୧ ଲକ୍ଷ ୩୦ ହଜାରରୁ ଅଧିକ ସ୍ବାସ୍ଥ୍ୟକର୍ମୀ କରୋନା ଟିକା ନେଇ ସାରିଲେଣି। ଟିକାକରଣର ଷଷ୍ଠ ଦିନରେ ଆଜି ରାଜ୍ୟରେ ୧୨୪ ପ୍ରତିଶତ ଟିକାକରଣ ହୋଇଛି। ଯାହାକି ଗତକାଲିଠାରୁ ୩ ପ୍ରତିଶତ ଅଧିକ। ଅପରପକ୍ଷରେ ଟିକାକରଣରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ଗତକାଲି ସୁଦ୍ଧା ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଥିଲା। ଓଡ଼ିଶା ଉପରେ ଆନ୍ଧ୍ର ଓ କର୍ଣ୍ଣାଟକ ରହିଛନ୍ତି।

ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ଶତ ପ୍ରତିଶତରୁ ଅଧିକ ଟିକାକରଣ ହୋଇଛି। ଆଜି ସମୁଦାୟ ୧୫୨ ଅଧିବେଶନରେ ୧୩ହଜାର ୧୯୫ଜଣଙ୍କୁ ଟିକା ଦେବା ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ ୧୬ହଜାର ୩୮୪ଜଣଙ୍କୁ ଟିକା ଦିଆଯାଇଛି। କୋରାପୁଟରେ ୮୯୦ ପ୍ରତିଶତ ଟିକାକରଣ ହୋଇଛି। ୨ଟି ଅଧିବେଶନରେ ୪୦ଜଣଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ୩୫୬ଜଣ ଟିକା ନେଇଛନ୍ତି। ଏହାସହ ଭଦ୍ରକରେ ୩୦୯, ଢେଙ୍କାନାଳ ୩୩୨, ବାଲେଶ୍ବର ୨୪୫, କନ୍ଧମାଳରେ ୨୦୩ ଓ ସୁନ୍ଦରଗଡ଼ରେ ୧୬୦ ପ୍ରତିଶତ ଟିକାକରଣ ହୋଇଛି। ପୁରୀରେ ଆଜି ଟିକାକରଣ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଜିଲ୍ଲାରେ ମାତ୍ର ୨୩ ପ୍ରତିଶତ ଟିକାଦାନ ହୋଇଛି। ୨୪୦ଜଣଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ମାତ୍ର ୫୫ଜଣ ଟିକା ନେଇଥିଲେ। ଭୁବନେଶ୍ବରରେ ୧୪ଟି ଅଧିବେଶନରେ ୮୫ ପ୍ରତିଶତ ଟିକାକରଣ ହୋଇପାରିଛି। ୧୩୪୦ଜଣଙ୍କ ବଦଳରେ ୧୧୩୭ଜଣ ଟିକା ନେଇଛନ୍ତି। ରାଜ୍ୟରେ ଅନୁଗୁଳ, ବରଗଡ଼, ବୌଦ୍ଧ, ଦେବଗଡ଼, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା ଓ ସୋନପୁରରେ କୌଣସି ଟିକାକରଣ ଅଧିବେଶନ ଆୟୋଜିତ ହୋଇ ନଥିଲା।

ରାଜ୍ୟରେ ଉପଲବ୍ଧ ହେଉଥିବା ଦୁଇ ପ୍ରକାର ଟିକା ମଧ୍ୟରୁ ଆଜି ୧୫୨୪୭ଜଣଙ୍କୁ ‘କୋଭିସିଲ୍‌ଡ’ ଓ ୧୧୩୭ଜଣଙ୍କୁ ‘କୋଭାକ୍ସିନ୍’ ଟିକା ଦିଆଯାଇଛି। ଏହାସହ ବରଗଡ଼ ଜିଲ୍ଲାରେ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ(୫୯) ଟିକା ନେଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ଗତକାଲି ଟିକା ନେଇଥିବା ବେଳେ ଲୋୟର ଲିମ୍ବ ବା ଗୋଡ଼ ଦୁର୍ବଳ ଅନୁଭବ ହୋଇଥିଲା। ତାଙ୍କୁ ଅବଜରଭେସନ୍‌ରେ ରଖାଯାଇଥିବା ବେଳେ ‌ମହିଳାଜଣକ ସୁସ୍ଥ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୧୬ଜଣଙ୍କ ନିକଟରେ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିଛି।

ଆସନ୍ତାକାଲି ୨୨୧ ଅଧିବେଶନରେ ସମୁଦାୟ ୨୦,୩୩୦ଜଣଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଅପରପକ୍ଷରେ ରାଜ୍ୟରେ ଯେଉଁ ସିଏଚ୍‌ସିଗୁଡ଼ିକରେ ନିୟମିତ ଟିକାଦାନ ହେଉଛି, ସେଠାରେ ସପ୍ତାହକୁ ୩ଦିନ ଟିକାକରଣ କରାଯିବ। ମାତ୍ର ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସପ୍ତାହକୁ ୬ଦିନ ଟିକାଦାନ ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର