ଭୁବନେଶ୍ବର : କରୋନା ମାଡ଼ରେ ପ୍ରଭାବିତ ‌ହୋଇଛନ୍ତି ରାଜ୍ୟର ଦେଢ଼ ଲକ୍ଷରୁ ଉର୍ଧ୍ବ ବୁଣାକାର। ବୁଣା ହୋଇଛି; କିନ୍ତୁ ଅବିକ୍ରି ହୋଇ ପଡ଼ିଛି କୋଟିକୋଟି ଟଙ୍କାର ଶାଢ଼ି, ଡ୍ରେସ କପଡ଼ା, ଚାଦର, ଗାମୁଛା ସମେତ ବିଭିନ୍ନ ପ୍ରକାର ହସ୍ତତନ୍ତ ସାମଗ୍ରୀ। ଚାଷ ପରେ ରାଜ୍ୟର ଦ୍ବିତୀୟ ବୃତ୍ତି ଭାବେ ସର୍ବାଧିକ ଲୋକଙ୍କୁ ରୋଜଗାର ଦେବା ସହିତ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ହସ୍ତତନ୍ତ ଆଜି ନିଜର ଅସ୍ତିତ୍ବ ଖୋଜୁଛି। ବୁଣାକାରମାନେ ରୋଜଗାର ହରାଇ ଘୋର ଦୁର୍ଦିନରେ ଅଛନ୍ତି। ସେମାନଙ୍କ ପାଖକୁ ସରକାରୀ ସହାୟତାର ହାତ ପହଞ୍ଚି ପାରୁନଥିବା ଅଭିଯୋଗ ହେଲାଣି। ଏଭଳି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲା ସ୍ତରରେ ଅବିକ୍ରି ହୋଇ ପଡ଼ିଥିବା ବୁଣାଲୁଗା କ୍ରୟ ପାଇଁ ଦାବି କରିଛି ବୁଣାକାର ମହାସଂଘ।

Advertisment

ଗତବର୍ଷ ଲକ୍‌ଡାଉନ୍‌ ସମୟରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହୋଇଥିବା ‘ଶକୁନ୍ତଳା ଦେବୀ’ ଚଳଚ୍ଚିତ୍ରରେ ବିଶିଷ୍ଟ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସମ୍ବଲପୁରୀ ଶାଢ଼ି ପିନ୍ଧିବା ଦୃଶ୍ୟ ଚର୍ଚାର ବିଷୟ ହୋଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନେକ ରାଜନେତ୍ରୀ, କଳାକାର, ମଡେଲମାନେ ସମ୍ବଲପୁରୀ, କଟକର ଖଣ୍ଡୁଆ ପାଟ, ଯାଜପୁରର ଟସର ସମେତ ରାଜ୍ୟର ବିଭିନ୍ନ ପ୍ରକାରର ହସ୍ତତନ୍ତ ବସ୍ତ୍ର ପିନ୍ଧିବାର ଅନେକ ନଜିର ରହିଛି। ଜାତୀୟସ୍ତରରେ ଉନ୍ନତମାନ ସହିତ ଫେସନରେ ମଧ୍ୟ ରାଜ୍ୟର ହସ୍ତତନ୍ତ ପଛରେ ପଡ଼ିନଥିବା ପ୍ରମାଣିତ କରିଛନ୍ତି। ବରଗଡ଼ ଜିଲ୍ଲାର ସ୍ବର୍ଗତ କୁଂଜ ବିହାରୀ ମେହେର, ସୁବର୍ଣ୍ଣପୁର ଜିଲ୍ଲାର ଚତୁର୍ଭୁଜ ମେହେର, କୋରାପୁଟ ଜିଲ୍ଲାର ଗୋବର୍ଧନ ପାଣିକା ଭଳି ଅନେକ ବୁଣାକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆଜି ସେହି ପ୍ରସିଦ୍ଧ ବୁଣାକାରମାନଙ୍କ ଦାୟାଦମାନେ ଦୁର୍ଦିନରେ ଅଛନ୍ତି।

publive-image Media Insight - WordPress.com

ସୂଚନା ଅନୁଯାୟୀ, ରାଜ୍ୟରେ ସମୁଦାୟ ୧ ଲକ୍ଷ ୪୦ ହଜାର ପଞ୍ଜୀକୃତ ବୁଣାକାର ଅଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ସବୁ ବର୍ଗର ବୁଣାକାର। କମ୍‌ ମୂଲ୍ୟ ସହିତ ଷ୍ଟାଇଲିଷ୍ଟ ପୋଷାକ ଭେଟି ଦେଇ ଯାହାର ଯେମିତି ଆବଶ୍ୟକତା ତାହା ପୂରଣ କରନ୍ତି। ସ୍ଥାନୀୟ ଆବଶ୍ୟକତା ପୂରଣ ସହିତ ଏସବୁ ବସ୍ତ୍ର ରାଜ୍ୟ ବାହାରକୁ ପଠାଯାଏ। ବରଗଡ଼ ଓ ସମ୍ବଲପୁରର ସମ୍ବଲପୁରୀ ଶାଢ଼ି, ଡ୍ରେସ୍‌, ଚାଦର, କୁର୍ତ୍ତି, ସୋନପୁରର ବମ୍‌କାଇ ସିଲ୍କ, କଟନ ବମ୍‌କାଇ, କଳାହାଣ୍ଡିର ୧୧ ହାତର ଶାଢ଼ି, କଟକ ଜିଲ୍ଲା ମାଣିଆବନ୍ଧର କଟନ ଶାଢ଼ି, ନୂଆଁପାଟଣାର ଖଣ୍ଡୁଆ ପାଟ(ଏହା ସ୍ବତନ୍ତ୍ର ଭାବରେ ଜଗନ୍ନାଥଙ୍କ ନିକଟରେ ଲାଗି ହୁଏ), ଖଣ୍ଡୁଆ ସିଲ୍କ, ଗଞ୍ଜାମ ଜିଲ୍ଲା ପିତଳର ସିଙ୍ଗିଲ କଟନ, ଖୋର୍ଧା ଓ ପୁରୀ ଜିଲ୍ଲାରେ ଲୁଙ୍ଗି, ଗାମୁଛା, ଚାଦର, କଟନ ଜୋଡ଼, ଜଗତସିଂହପୁରରେ ସିଙ୍ଗିଲ କାଉଣ୍ଟ ସୂତାରେ ବୁଟି ଶାଢ଼ି (ଯାହା ପଶ୍ଚିମବଙ୍ଗର ଟାଙ୍ଗାଇଲ ଡିଜାଇନ ଭାବରେ ସମସ୍ତେ ଜାଣନ୍ତି), କେନ୍ଦ୍ରାପଡ଼ାର ଶରୀର ବାନ୍ଧ ଶାଢି, ଯାଜପୁର ଜିଲ୍ଲା ଗୋପାଳପୁରର ହାତକଟା ଟସର (ଯେଉଁଥିରେ ଶାଢି, ଜୋଡ଼, ସାର୍ଟ ତିଆରି ହେଉଛି) ବାଲେଶ୍ବରର ମାଙ୍କିଡ଼ିଆ କଟନ ଚାଦର, ଗାମୁଛା, ଲୁଙ୍ଗି, କେନ୍ଦୁଝର ଜିଲ୍ଲାର ଫକୀରପୁରର ହାତକଟା ଟସର, ମୟୂରଭଞ୍ଜର ଟସର, ଆଦିବାସୀ ଶାଢି, ଗାମୁଛା, କୋରାପୁଟର କୋଟପାଡ଼ର ପ୍ରାକୃତିକ ପୋଷାକ ଯଥା ଶାଢି, ଗାମୁଛା, ଷ୍ଟ୍ରଲ୍‌ ଆଦିର ଆଦର ସାରା ‌ରାଜ୍ୟ ସମେତ ରାଜ୍ୟ ବାହାରେ ବି ରହିଛି। କୋଟପାଡ଼ର ବୁଣାକାରମାନେ ଆଜି ବି ନିର୍ଦିଷ୍ଟ ଗଛର ଚେରରୁ ରଙ୍ଗ ତିଆରି କରନ୍ତି। ୪୧୧ଟି ସମବାୟ ସମିତି ଜରିଆରେ ଏମାନଙ୍କ ବୁଣା ଲୁଗା କ୍ରୟ କରି ବିକ୍ରି ବ୍ୟବସ୍ଥା କରନ୍ତି ସରକାର।

ଅନ୍ୟପକ୍ଷରେ ଉତ୍କଳିକା, ବୟନିକା, ସମ୍ବଲପୁରୀ ସମବାୟ ବସ୍ତ୍ରାଳୟ, ସମବାୟ ସମିତି ଉପରେ ନିର୍ଭର ନକରି ମଧ୍ୟ ରାଜ୍ୟରେ ବିରାଟ ବୁଣାକାର ଗୋଷ୍ଠୀ ଅଛନ୍ତି; ଯେଉଁମାନେ ସିଧାସଳଖ ବଜାରରେ ଲୁଗା ବିକ୍ରୟ କରନ୍ତି। ମାତ୍ର କରୋନା ଜନିତ ଲକ୍‌ଡାଉନ୍‌ ଯୋଗୁଁ ବଜାର ବନ୍ଦ, ବିବାହ, ବ୍ରତ, ଭୋଜିରେ କଟକଣା ଲାଗି ବାସ ସହ ପର୍ବ ପାଳନ ଘରେ ଭିତରେ ସୀମିତ ରହିବାରୁ ବୁଣାକାରଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଛି। ମୋଟ ଉପରେ ଲୋକଙ୍କ ଆୟ ହ୍ରାସ ପାଇବାରୁ ପୋଷାକ ବଜାର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା କହିଛନ୍ତି ବୁଣାକର ମହାସଂଘର ଶ୍ରୀଧର ବେହେରା। ୨୦୦୦ ମସିହା ମେ’ ମାସରୁ ଯେଉଁ ମାନ୍ଦା ଅବସ୍ଥା ସୃଷ୍ଟି ହୋଇଥିଲା, ନଭେମ୍ବର, ଡିସେମ୍ବରରୁ ସେ ସ୍ଥିତିରେ ସୁଧାର ହୋଇ ଆସୁଥିଲା। ମାତ୍ର ଏବେ ଦ୍ବିତୀୟ ଲହର ପରେ ଅବସ୍ଥା ଅସମ୍ଭାଳ ହୋଇ ପଡ଼ିଛି। ଏଥିଯୋଗୁଁ ସମବାୟ ସମିତିଗୁଡ଼ିକ ବୁଣାକାରମାନଙ୍କଠାରୁ ଶାଢି କ୍ରୟ ହ୍ରାସ ପାଇଛି ଏବଂ ରାଜ୍ୟରେ ପ୍ରାୟ ଶହେ କୋଟି ଟଙ୍କାର ଶାଢି ଓ ଅନ୍ୟାନ୍ୟ ବସ୍ତ୍ର ଅବିକ୍ରି ହୋଇ ପଡ଼ିଥିବା କହିଛି ବୁଣାକାର ମହାସଂଘ। ବଜାର ବନ୍ଦ ଥିବାରୁ ସମବାୟ ସମିତି କ୍ରୟ କରିପାରୁନଥିବାରୁ ହସ୍ତତନ୍ତ ସାମଗ୍ରୀ ପଡ଼ିରହିଛି। ସମ୍ବଲପୁରୀ ବସ୍ତ୍ରାଳୟର ମାର୍କେଟିଂ ଅଫିସର ହିମାଂଶୁ ମିଶ୍ର କହିଛନ୍ତି, ରାଜ୍ୟରେ ପ୍ରତିବର୍ଷ ୫୦ରୁ ୬୦ କୋଟିର ସମ୍ବଲପୁରୀ ବସ୍ତ୍ରାଳୟର ବ୍ୟବସାୟ ହୋଇଥାଏ। ଚଳିତ ବର୍ଷ କରୋନା ଯୋଗୁଁ ସେମାନେ ୧୦ କୋଟି ଟଙ୍କା ବ୍ୟବସାୟିକ କ୍ଷତିରେ ଅଛନ୍ତି। ତେଣୁ ଏହି ସ୍ଥିତିକୁ ସୁଧାରିବାକୁ ହେଲେ ରାଜ୍ୟର ଦେଢ଼ ଲକ୍ଷ ବୁଣାକାରଙ୍କ ବସ୍ତ୍ର କିଣିବାକୁ ସରକାର ସ୍ବତନ୍ତ୍ର ପଦକ୍ଷେପ ନିଅନ୍ତୁ ବୋଲି ସଂଘ ଦାବି କରିଛି।